fbpx

‘ଏକ ଦେଶ-ଏକ ନିର୍ବାଚନ’: କେଉଁ ଦଳମାନେ ଏହାକୁ ସମର୍ଥନ କରୁଛନ୍ତି, କେଉଁମାନେ ବିରୋଧ କରୁଛନ୍ତି

ନୂଆଦିଲ୍ଲୀ: ‘ଏକ ଦେଶ-ଏକ ନିର୍ବାଚନ’କୁ ନେଇ କେନ୍ଦ୍ର ସରକାର ଆଗକୁ ବଢ଼ୁଥିବା ବେଳେ ବିରୋଧୀଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଉଛି । ଆସନ୍ତା ୧୮ରୁ ୨୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେସନରେ ନରେନ୍ଦ୍ର ମୋଦୀ ସରକାର ଏନେଇ ଏକ ବିଲ୍ ଆଣିପାରନ୍ତି ବୋଲି କୁହାଯାଉଛି । ଏହା ମଧ୍ୟରେ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ୮ ଜଣିଆ କମିଟି ଗଠନ କରିଥିବା ବେଳେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏହି କମିଟିର ସଦସ୍ୟ ହେବା ନେଇ ଅଗ୍ରାହ୍ୟ କରିଦେଇଛନ୍ତି ।

ସେପ୍ଟେମ୍ବର ୩ ତାରିଖରେ ‘ଏକ ଦେଶ-ଏକ ନିର୍ବାଚନ’ କମିଟିର ଅଧ୍ୟକ୍ଷ କୋବିନ୍ଦ ଆଇନ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ସାକ୍ଷାତ କରିଛନ୍ତି । ଏ ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ପକ୍ଷରୁ ଆସିଛି ପ୍ରତିକ୍ରିୟା । ଏକ ଦେଶ-ଏକ ନିର୍ବାଚନ’ ବିଚାର ଭାରତୀୟ ସଂଘ ଓ ତା’ର ସମସ୍ତ ରାଜ୍ୟ ଉପରେ ଆକ୍ରମଣ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି । ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହାକୁ ବିରୋଧ କରିବା ସହ ଲୋକତନ୍ତ୍ରକୁ ଧୀରେଧୀରେ ନଷ୍ଟ କରାଯାଉଛି ବୋଲି ସେ କହିଛନ୍ତି ।

ଜେଡିୟୁ ଏହାକୁ ବିରୋଧ କରିଥିବା ବେଳେ ବିଜେପି ନେତା ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ ଏହାକୁ ସମର୍ଥନ କରିଛନ୍ତି । ଏହାଦ୍ୱାରା କେବଳ ଲୋକସଭା ନିର୍ବାଚନ ହେବ ଓ ରାଜ୍ୟର ନିର୍ବାଚନ ସମାପ୍ତ ହୋଇଯିବ ବୋଲି ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି । ଏହା ଲାଗୁ କରିବା ପୂର୍ବରୁ ବିଜେପି ସରକାର ଲୋକସଭା ଓ ୟୁପି ବିଧାନସଭା ନିର୍ବାଚନ ଏକ ସମୟରେ କରାନ୍ତୁ ବୋଲି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ କହିଛନ୍ତି ।

ଏହା ସମ୍ପୂର୍ଣ୍ଣ ଭାବେ ଅଣଲୋକତାନ୍ତ୍ରିକ ବୋଲି ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ କୁହାଯାଇଛି । ବିଜେଡି ପକ୍ଷରୁ ଏହାକୁ ସମର୍ଥନ କରାଯିବା ସହ ଏହା ଲାଗୁ ହେଲେ ଦଳର ଚିନ୍ତା ନାହିଁ ବୋଲି ଦଳର ଜଣେ ମନ୍ତ୍ରୀ କହିଛନ୍ତି । ଆପ ପକ୍ଷରୁ ଏହାକୁ ବିରୋଧ କରାଯାଇଥିବା ବେଳେ ୱାଇଏସଆରସିସି ପକ୍ଷରୁ ସମର୍ଥନ କରାଯାଇଛି । ଡିଏମକେ ଏହାକୁ ବିରୋଧ କରିଥିବା ବେଳେ ଏଆଇଏଡିଏମକେ ସମର୍ଥନ କରିଛି । ଅକାଳୀ ଦଳ ଓ ଜନନାୟକ ଜନତା ପାର୍ଟି ଏହାକୁ ସମର୍ଥନ କରିଛନ୍ତି । ଏଆଇଏମଆଇଏମ ଓ ଶିବସେନା (ଉଦ୍ଧବ) ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ଏମଜିପି, ଆରଏଏଜିପି ଏହାକୁ ସମର୍ଥନ କରିଥିବା ବେଳେ ଏନସିର ଏନେଇ କିଛି ଆପତ୍ତି ରହିଛି ।

Get real time updates directly on you device, subscribe now.