fbpx

୧ ହଜାର ଟନ୍ ସୁନାର ସ୍ୱପ୍ନ: ଖୋଳିବା ଆରମ୍ଭ କରିଦେଲେ ଭାରତ ସରକାର, ଜାଣନ୍ତୁ ତାପରେ କ’ଣ ହେଲା

ଲକ୍ଷ୍ନୌ, ୧୩ା୫: ଯେଉଁ ସାଧୁଙ୍କ ସ୍ୱପ୍ନକୁ ସତ ଭାବି ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଏଏସ୍‌ଆଇ) ପରି ପ୍ରତିଷ୍ଠିତ ସଂସ୍ଥା ୨୦୧୩ ବର୍ଷରେ ଅନେକ ଦିନ ପର୍ଯ୍ୟନ୍ତ ୧ ହଜାର ଟନ୍ ସୁନା ପାଇଁ ଏକ କିଲ୍ଲା ତଳେ ଖୋଳିବା ଆରମ୍ଭ କରାଯାଇଥିଲା, ସେହି ସାଧୁଙ୍କର ବୁଧବାର କାନପୁରରେ ପରଲୋକ ଘଟିଛି । ସୋଭନ ସରକାର ନାମକ ଏହି ସାଧୁଙ୍କ ପରଲୋକ ପରେ ତାଙ୍କ ଭକ୍ତଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି । କାନପୁରର ଦେହାତ ସ୍ଥିତ କୋତବାଲି କ୍ଷେତ୍ରର ବୈରୀରେ ନିର୍ମିତ ତାଙ୍କ ତାଙ୍କ ଆଶ୍ରମରେ ତାଙ୍କ ମୃତଶରୀରର ଅନ୍ତିମ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି ।


୨୦୧୩ରେ ସୋଭନ ସରକାର ଦାବି କରିଥିଲେ ଯେ, ଉତ୍ତରପ୍ରଦେଶର ଉନ୍ନାବରେ ରାଜା ରାଓରାମ ବକ୍ସ ସିଂହଙ୍କ କିଲା ତଳେ ୧ ହଜାର ଟନ୍ ସୁନା ଲୁଚା ହୋଇ ରଖାଯାଇଛି । ଏହି ସାଧୁବାବାଙ୍କ ଆଖପାଖ ଅଞ୍ଚଳରେ ଅନେକ ପ୍ରଭାବ ଥିଲା । ରାଜାଙ୍କ ଏହି କିଲ୍ଲା ନିକଟରେ ସାଧୁବାବାଙ୍କ ଆଶ୍ରମ ମଧ୍ୟ ରହିଥିଲା । ସେହି ଅଞ୍ଚଳରେ ଖୋଳାଖୋଳି ଆରମ୍ଭ କରିବାକୁ ସାଧୁ ସୋଭନ ସରକାର ସରକାରଙ୍କ ନିକଟରେ ଦାବି ମଧ୍ୟ ରଖିଥିଲେ ।


ଏହାକୁ ଆଖି ଆଗରେ ରଖି ସରକାର ସାଧୁଙ୍କୁ ଆସିଥିବା ସ୍ୱପ୍ନକୁ ସତ ଭାବି କିଲ୍ଲା ଅଞ୍ଚଳରେ ଖୋଳାଖୋଳି ଆରମ୍ଭ କରିଦେଇଥିଲେ । କିନ୍ତୁ ଅନେକ ଦିନ ଧରି ଖୋଜାଖୋଜି ପରେ ମଧ୍ୟ ସୁନା ଭଣ୍ଡାର ମିଳିନଥିଲା । ଜଣେ ସାଧୁଙ୍କୁ ଦେଖାଦେଇଥିବା ସ୍ୱପ୍ନ ଆଧାରରେ ଖୋଳାଖୋଳି ଆରମ୍ଭ କରିବା ଫଳରେ ସେହି ସମୟରେ କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାରଙ୍କୁ ଅନେକ ସମାଲୋଚନାର ସାମ୍ନା ମଧ୍ୟ କରିବାକୁ ପଡ଼ିଥିଲା । ବିଶ୍ୱ ହିନ୍ଦୁ ପରିଷଦର ତତକାଳୀନ ନେତା ଅଶୋକ ସିଂଘଲ୍ କହିଥିଲେ ଯେ, ଜଣେ ସାଧୁଙ୍କ ସ୍ୱପ୍ନ ଆଧାରରେ ଖୋଳାଖୋଳି କରିବା ଉଚିତ ନୁହେଁ । ଅନ୍ୟପଟେ ଏହି ସୁନା ଭଣ୍ଡାର ପାଇଁ ଖୋଜାଖୋଜି ସମୟରେ ସୁନାର ଅନେକ ଦାବିଦାର ମଧ୍ୟ ସାମ୍ନାକୁ ଆସିଯାଇଥିଲେ । ରାଜାଙ୍କ ବଂଶଜମାନେ ଉନ୍ନାବ ଗ୍ରାମରେ ଡେରା ଜମାଇ ଦେଇଥିଲେ । ସେହିପରି ଗ୍ରାମୀଣମାନେ ମଧ୍ୟ ଏହି ସୁନା ଭଣ୍ଡାରର ଦାବିଦାର ଥିଲେ । ଏପରିକି ତତକାଳୀନ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ମିଳିବାକୁ ଥିବା ସୁନା ଉପରେ ଦେଶବାସୀଙ୍କ ହକ୍ ରହିଛି । ତତକାଳୀନ ସମାଜବାଦୀ ପାର୍ଟି ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ମିଳିବାକୁ ଥିବା ସୁନା ଉପରେ ରାଜ୍ୟ ସରକାରଙ୍କ ହକ୍ ରହିବ । କିନ୍ତୁ ଘଟଣାସ୍ଥଳରୁ ସୁନା ନମିଳିବା ପରେ ସମସ୍ତଙ୍କ ମନରେ ନିରାଶା ଭରି ଯାଇଥିଲା ।
ଏହି ସାଧୁଙ୍କ ସମ୍ପୂର୍ଣ୍ଣ ନାମ ପରମହଂସ ସ୍ୱାମୀ ବିରକ୍ତାନନ୍ଦ ଓରଫ ଶୋଭନ ସରକାର ଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, କୌଣସି ସାଧାରଣ ସାଧୁଙ୍କ ପରି ତାଙ୍କର ମୁଣ୍ଡରେ ତିଳକ, ଚନ୍ଦନ ଦେଖିବାକୁ ମିଳୁ ନଥିଲା ।


ସୋଭନ ସରକାର ଆରମ୍ଭରୁ ସେହି ଗ୍ରାମରେ ରହୁ ନଥିଲେ । ଗ୍ରାମବାସୀଙ୍କ ମତରେ , ସୋଭନ ସରକାର ଆସିବା ପୂର୍ବରୁ ସେହି ଗ୍ରାମରେ ରଘୁନନ୍ଦନ ଦାସ ନାମକ ସାଧୁ ରହୁଥିଲେ । ନିଜ ମୃତ୍ୟୁ ସମୟରେ ରଘୁନନ୍ଦନ କହିଥିଲେ ଯେ, ତାଙ୍କ ପରେ ସେହି ଗ୍ରାମକୁ ଜଣେ ଚମତ୍କାରୀ ବାବା ଆସିବେ । ଏହାପରେ ମାତ୍ର ୧୬ ବର୍ଷ ବୟସରେ ସାଧୁ ଭାବେ ସେହି ଗ୍ରାମକୁ ସ୍ୱାମୀ ବିରକ୍ତାନନ୍ଦ ଆସିଥିଲେ । ଧିରେ ଧିରେ ତାଙ୍କ ମହିମା ବିଷୟରେ ପ୍ରଚାର ହୋଇଥିଲା ଏବଂ ଏହି ସାଧୁଙ୍କୁ ଗ୍ରାମବାସୀ ଗ୍ରାମରେ ରହିବାକୁ ଅନୁରୋଧ କରିଥିଲେ । ଗ୍ରାମବାସୀଙ୍କ ଅନୁରୋଧ ପରେ ସେ ମାନି ଯାଇଥିଲେ ଏବଂ ଗ୍ରାମବାସୀ ତାଙ୍କୁ ସୋଭନ ସରକାର ସାଧୁବାବାଙ୍କ ନାମରେ ସମ୍ବୋଧିତ କରୁଥିଲେ ।
କୁହାଯାଉଛି ଯେ, ସୋଭନ ବାବାଙ୍କ ଜନ୍ମ କାନପୁର ଦେହାତସ୍ଥିତ ଶୁକ୍ଳନ ପୁରବାରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ପଣ୍ଡିତ କୈଳାଶନାଥ ତିୱାରୀ ଥିଲା । ମାତ୍ର ୧୧ ବର୍ଷ ବୟସରେ ସୋଭନ ସରକାରଙ୍କୁ ବୈରାଗ୍ୟ ପ୍ରାପ୍ତ ହୋଇଥିଲା । ସୋଭନ ସରକାର ଉନ୍ନାବରେ ଅନେକ ଜନହିତକର କାମ ଆରମ୍ଭ କରିଥିଲେ ଏହାଫଳରେ ଗ୍ରାମବାସୀ ତାଙ୍କୁ ଭଗବାନଙ୍କ ଭଳି ମାନୁଥିଲେ । ସୋଭନ ସରକାର ଭଗବାନ ରାମ ଓ ହନୁମାନଙ୍କ ବଡ଼ ଭକ୍ତ ଥିଲେ ।

Get real time updates directly on you device, subscribe now.