fbpx

କ’ଣ ପାଇଁ ସଂସଦର ବିଶେଷ ଅଧିବେଶନ ? ସରକାର ଏଜେଣ୍ଡା ସ୍ପଷ୍ଟ କରନ୍ତୁ ବୋଲି ମୋଦୀଙ୍କୁ ଚିଠି ଲେଖିବେ ସୋନିଆ

ନୂଆଦିଲ୍ଲୀ:ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ମଙ୍ଗଳବାର ସଂସଦର ବିଶେଷ ଅଧିବେଶନର ଏଜେଣ୍ଡା କ’ଣ ରହିଛି ତାହାକୁ ସାର୍ବଜନୀନ କରିବାକୁ ସରକାରଙ୍କ ନିକଟରେ ଦାବୀ କରିଛନ୍ତି । ମେଣ୍ଟ କହିଛି ସେମାନେ ଏକ ସକରାତ୍ମକ ଅଧିବେଶନ ଚାହୁଁଛନ୍ତି । ବିରୋଧୀ ଆଶା କରିଛନ୍ତି ଏହି ବିଶେଷ ଅଧିବେଶନରେ ସରକାର ଦେଶରେ ଦରଦାମ ବୃଦ୍ଧି ଓ ବେରୋଜଗାର ପରି ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବେ । ମିଳିଥିବା ସୂଚନାରୁ ଜଣାପଡିଛି ପୂର୍ବ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମୋଦୀଙ୍କୁ ପତ୍ର ଲେଖି ସଂସଦର ବିଶେଷ ଅଧିବେଶନର ଏଜେଣ୍ଡା କ’ଣ ରହିଛି ସେ ବିଷୟରେ ପଚାରିବେ । ଏହା ସହିତ ଇଣ୍ଡିଆ ଦାବୀ କରିଛି ଯେ, ସେମାନଙ୍କ ଏକତାକୁ ଦେଖି ବିଜେପି ଭୟ ପାଇ ଯାଇଛି ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ତାଙ୍କ ଘରେ ଆୟୋଜିତ ହୋଇଥିବା ରାତ୍ରୀଭୋଜନରେ ଇଣ୍ଡିଆ ମେଣ୍ଟର ଲୋକସଭା ଓ ରାଜ୍ୟସଭାରେ ଦଳର ନେତା ସାମିଲ ହୋଇଥିଲେ । ବୈଠକ ପରେ ମିଡିଆ ସହ ଆଲୋଚନା ସମୟରେ କଂଗ୍ରେସ ନେତା ଗୌରବ ଗୋଗୋଇ କହିଛନ୍ତି ଏହି ବିଶେଷ ଅଧିବେଶନରୁ ୨ ସପ୍ତାହରୁ ବି କମ୍ ସମୟ ବାକି ଅଛି କିନ୍ତୁ ସରକାର ଏ ପର୍ଯ୍ୟନ୍ତ ବିଶେଷ ଅଧିବେଶନର ଏଜେଣ୍ଡା କ’ଣ ରହିଛି ସେ ବିଷୟରେ କିଛି ବି କହିନାହାନ୍ତି । ସରକାରଙ୍କ ଏଜେଣ୍ଡା ସଂପର୍କରେ ସ୍ପଷ୍ଟ କରିବାକୁ ନିବେଦନ କରି ସେ କହିଛନ୍ତି ସରକାର ଶାସନରେ ସ୍ୱଚ୍ଛତା ରକ୍ଷା କରନ୍ତୁ ।
ଗୋଗୋଇ କହିଛନ୍ତି, ବୈଠକରେ ଉପସ୍ଥିତ ଥିବା ସବୁ ପାର୍ଟିର ନେତା ଏହି ବିଶେଷ ଅଧିବେଶନରେ ରଚନାତ୍ମକ ଭୂମିକା ନିଭାଇବାକୁ ଚାହୁଁଛନ୍ତି । ସେ କହିଛନ୍ତି ସରକାର ଆମର ଭାବନାକୁ ବୁଝିବେ ଓ ବିଶେଷ ଅଧିବେଶନରେ ଦେଶ ନିକଟରେ ଉଭା ହୋଇଥିବା ବିଭିନ୍ନ ସମସ୍ୟା ଉପରେ ଚର୍ଚ୍ଚା କରି ତାହାର ସମାଧାନ ଖୋଜିବାକୁ ଚେଷ୍ଟା କରିବେ ।

ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ମୋଦୀ ସରକାର ପ୍ରଥମ ଥର ଲାଗି କୌଣସି ଏଜେଣ୍ଡା ବିଷୟରେ ସ୍ପଷ୍ଟ ନ କରି ସଂସଦର ବିଶେଷ ଅଧିବେଶନ ଡାକୁଛନ୍ତି । ଏ ସଂପର୍କରେ କୌଣସି ବିରୋଧୀ ଦଳ ଠାରୁ ପରାମର୍ଶ ନିଆଯାଇଛି ନା କୌଣସି ସୂଚନା ଦିଆଯାଇଛି । ଏହା ଗଣତନ୍ତ୍ରକୁ ପରିଚାଳନା କରିବାର ଠିକ୍ ତରିକା ନୁହେଁ ।

Get real time updates directly on you device, subscribe now.