ଏଣିକି ସରକାରୀ କାଗଜପତ୍ରରେ ବି ଇଣ୍ଡିଆ ବଦଳରେ ଦେଖିବାକୁ ମିଳିବ ‘ଭାରତ’, କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ଖୁଲାସା
ନୂଆଦିଲ୍ଲୀ: ଇଣ୍ଡିଆ ବନାମ ଭାରତକୁ ନେଇ ଏବେ ସବୁଠି ଚର୍ଚ୍ଚା । ମୋଦୀ ସରକାର ଇଣ୍ଡିଆ ନାମକୁ ହଟାଇ କେବଳ ଭାରତ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ସରକାରଙ୍କ ବିଭିନ୍ନ ଯୋଜନା, ସରକାରୀ କାର୍ଯ୍ୟକ୍ରମ, ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ନିମନ୍ତ୍ରଣ ପତ୍ର ଓ ଏ ସମ୍ବନ୍ଧିତ କାଗଜପତ୍ରରେ ଏବେ ଇଣ୍ଡିଆ ପରିବର୍ତ୍ତେ ଭାରତ ନାମ ଦେଖିବାକୁ ମିଳିବ । ତେବେ ଏହା କୌଣସି ପୂର୍ବ ସୂଚନା ବିନା କାର୍ଯ୍ୟକାରୀ ହେଉଥିବାର ଦେଖିବାକୁ ମିଳିବ । ଏହି ଅଧିକାରୀ କହିଛନ୍ତି ଭାରତ ପୂର୍ବରୁ ‘କର୍ମଯୋଗୀ ଭାରତ’ ପରି ଯୋଜନା ଓ କାର୍ଯ୍ୟକ୍ରମର ଅଂଶ ଭାବରେ ବିଭିନ୍ନ ଅଫିସିଆଲ କାଗଜପତ୍ରରେ ଉପଯୋଗ ହୋଇସାରିଛି ।
ଯେତେବେଳେ ଗୃହମନ୍ତ୍ରୀ ଅମିତ ଶାହ ଆମର ନୂଆ ଦଣ୍ଡ ସଂହିତା ଲାଗି ନାମ ପ୍ରସ୍ତାବିତ କରିଥିଲେ ସେବେଠାରୁ ଏହି ମାମଲା ଚର୍ଚ୍ଚାକୁ ଆସିଛି । ସେ ଇଣ୍ଡିଆନ ପେନାଲ କୋଡ୍ ଏବେ ଭାରତୀୟ ନ୍ୟାୟ ସଂହିତା ଓ ଏହା ଅପରାଧିକ ପ୍ରକ୍ରିୟା ସଂହିତା ଲାଗି ମଧ୍ୟ ଲାଗୁ ହୋଇଥାଏ ବୋଲି କହିଥିଲେ ଯାହା ଭାରତୀୟ ନାଗରିକ ସୁରକ୍ଷା ସଂହିତା ହୋଇଥାଏ । ଏହା ସହିତ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ଏବେ ଭାରତୀୟ ସାକ୍ଷ୍ୟ ବିଧେୟକରେ ବଦଳିଯାଇଛି । ଏହି ଅଧିକାରୀ ଜଣକ କହିଛନ୍ତି ଭାରତ ଶବ୍ଦ ଏବେ କେନ୍ଦ୍ର ସରକାରଙ୍କ ଯୋଜନାରେ ଅଧିକ ମାତ୍ରାରେ ଦେଖିବାକୁ ମିଳିପାରେ । ଯେପରିକି ଭାରତ ଡ୍ରୋନ ଶକ୍ତି । କିନ୍ତୁ ମେକ୍ ଇନ ଇଣ୍ଡିଆ ଓ ଷ୍ଟାର୍ଟ ଅପ୍ ଇଣ୍ଡିଆ ନାମରେ ନାମିତ ଯୋଜନାରେ ପରିବର୍ତ୍ତନ ହେବ ନାହିଁ ବୋଲି ସେ କହିଛନ୍ତି ।
ଏହି ଅଧିକାରୀ ଜଣକ ଆହୁରି କହିଛନ୍ତି, ଅଫିସିଆଲ କାଗଜପତ୍ର ଉପରେ ଭାରତର ଉପଯୋଗ କରାଯିବାରେ କୌଣସି ଆଇନଗତ ଯଥାର୍ଥତା ନାହିଁ । କାରଣ ଇଣ୍ଡିଆ ଓ ଭାରତ ଏହି ଦୁଇଟି ନାମ ସାମ୍ବିଧାନକ ଓ ଆଇନଗତ ଦୃଷ୍ଟିରୁ ବୈଧ ।