fbpx

ଦିଲ୍ଲୀରେ ବିଶ୍ୱନେତାଙ୍କ ଭିଡ଼: ଆଜିଠାରୁ ଆରମ୍ଭ ୨ ଦିନିଆ ଜି-୨୦ ସମ୍ମିଳନୀ, ବିଶାଳ ଆୟୋଜନ ସୁନ୍ଦର ସାଜସଜ୍ଜା

ନୂଆଦିଲ୍ଲୀ: ଶନିବାର ଠାରୁ ଦିଲ୍ଲୀରେ ଆରମ୍ଭ ହେଉଛି ଜି-୨୦ ଶିଖର ସମ୍ମିଳନୀ । ଏଥିନେଇ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶିଖର ସମ୍ମିଳନୀ ପାଇଁ ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ । ଶନିବାର ଠାରୁ ଏହି ସମ୍ମିଳନୀ ଆରମ୍ଭ ହୋଇ ଦୁଇଦିନ ଯାଏଁ ଚାଲିବ ।
ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ କରାଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି । ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ସମେତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ଋଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାବୋରୋଭ ପ୍ରମୁଖ ପହଞ୍ôଚ ସାରିଛନ୍ତି ।

ସେହିପରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ନୂଆଦିଲ୍ଲୀରେ ପହଞ୍ôଚଥିବା ସୂଚନା ମିଳିଛି । ସେ ପାଲାମ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଭି.କେ.ସିଂହ ସ୍ୱାଗତ ଜଣାଇଥିଲେ । ପରେ ସେଠାରୁ ସେ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନକୁ ଆସିଥିଲେ । ବାଇଡେନ୍‌ଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ଏବଂ କାନାଡ଼ା ଓ ତୁର୍କୀର ରାଷ୍ଟ୍ରମୁଖ୍ୟମାନେ ନୂଆଦିଲ୍ଲୀରେ ପହଞ୍ଚିଥିବା ସୂଚନା ମିଳିଛି । ପ୍ରଗତି ମୈଦାନର ଭାରତ ମଣ୍ଡପକୁ ଆସୁଥିବା ବିଶ୍ୱ ଅତିଥିଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଇଛି । ବିଶ୍ୱନେତାଙ୍କ ଖାଦ୍ୟ ମେନ୍ୟୁରେ ପ୍ରାୟ ୪୦୦ପ୍ରକାରର ବ୍ୟଞ୍ଜନର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଦେଶୀ ଖାଦ୍ୟ ସହ ବିଦେଶୀ ଖାଦ୍ୟ ମଧ୍ୟ ପରସା ଯିବ ।

ଅନ୍ୟପକ୍ଷରେ ଆଇଏମ୍‌ଏଫ୍‌ (ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି)ର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଆଭା ଦିଲ୍ଲୀରେ ମଧ୍ୟ ପହଞ୍ôଚଛନ୍ତି । ତାଙ୍କୁ ବିଭିନ୍ନ ଅଧିକାରୀମାନେ ସ୍ୱାଗତ କରିଥିଲେ । ତେବେ ମଞ୍ଚରେ ଓଡ଼ିଶାର ଲୋକଗୀତ ଓ ଲୋକପ୍ରିୟ ନୃତ୍ୟ ‘ଡାଲ ଖାଇ’ ସମସ୍ତଙ୍କ ଦୃଷ୍ଟି
ଆକର୍ଷଣ କରିଥିଲା । ଏପରିକି କ୍ରିଷ୍ଟାଲିନା ମଧ୍ୟ ନାଚରେ ସାମିଲ ହୋଇଥିଲେ । ବିଶ୍ୱନେତାଙ୍କ ଆଗମନକୁ ଦୃଷ୍ଟିରେ ରଖି ଦିଲ୍ଲୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଛକଛକରେ ଚେକିଂ ଓ ବ୍ଲକିଂ ଜାରୀ ରହିଛି । ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ସାରା ଦିଲ୍ଲୀ ସହର ସଜେଇ ହୋଇଛି । ଦିଲ୍ଲୀ ମ୍ୟୁନିସପାଲ କାଉନସିଲ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ୨୪ଘଣ୍ଟିଆ କମାଣ୍ଡ ସେଣ୍ଟର ଖୋଲାଯାଇଛି । ୪୪୧ରୁ ଅଧିକ ସିସି ଟିଭି ଲଗାଯାଇଛି । ଆକାଶ ମାର୍ଗରୁ ଦିଲ୍ଲୀରୁ ରାସ୍ତାଘାଟ ଉପରେ କଡ ନଜର ରଖାଯାଇଛି ।

ଆତଙ୍କବାଦୀଙ୍କ ମୁକାବିଲା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବାୟୁସେନା ପକ୍ଷରୁ ଯୁଦ୍ଧ ବିମାନ ମୁତୟନ କରାଯାଇଛି । ରାଫେଲ, ମିରେଜ-୨୦୦୦ ଏବଂ ସୁଖୋଇ-୩୦, ଏମ୍‌କେଆଇ ସମେତ ସର୍ଫେସ-୨ ମିଜାଇଲ ସିଷ୍ଟମ ସକ୍ରିୟ କରାଯାଇଛି । ୫୦ହଜାର ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି । ସେହିପରି ଦିଲ୍ଲୀ ଏବଂ ଏହାର ପଡୋଶୀ ଅଞ୍ଚଳର ବାୟୁସୀମାକୁ ବାୟୁ ସେନାର ୱେଷ୍ଟର୍ଣ୍ଣ କମାଣ୍ଡ ସୁରକ୍ଷା ଦେବାର ବ୍ୟବସ୍ଥା କରାଯାଇଛି । ବିଶେଷ କରି ୨୬/୧୧ ମୁମ୍ବାଇ ଆକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କଡା ସୁରକ୍ଷା ଗ୍ରହଣ କରାଯାଇଛି । ଶ୍ରୀ ବାଇଡେନ ମୋଦୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତ-ଆମେରିକା ସଂପର୍କ ଆଗକୁ ଆହୁରି ସୁଦୃଢ ହେବ । ୫ ବର୍ଷରେ ଆମେରିକା ଭାରତରେ ପୁଞ୍ଜିନିବେଶ କରିବ ।
ୟୁଏନଏସ୍‌ସିରେ ଭାରତର ସ୍ଥାୟୀ ସଦସ୍ୟତାକୁ ଆମେରିକା ସମର୍ଥନ ଦେବ ବୋଲି ମଧ୍ୟ ଆଲୋଚନାବେଳେ ବାଇଡେନ କହିଥିଲେ । ଏଥିସହ ୩୧ ଜେନେରାଲ ଅଟୋମିକ୍ସ ଏମ୍‌କ୍ୟୁ- ୯ବି ଭାରତକୁ ଯୋଗାଇବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ଏପରିକି ଚନ୍ଦ୍ରଯାନ-୩ର ସଫଳତା ନେଇ ଶୁଭେଚ୍ଛା ଜଣାଇଥିଲେ । ଏହି ଆଲୋଚନା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା । ଏଥିପୂର୍ବରୁ ଶ୍ରୀ ମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ମରିସସ୍ ରାଷ୍ଟ୍ରପତି ପ୍ରବୀନ୍ଦ୍ର ଯୁଗନାଥଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଆସନ୍ତାକାଲି ମୋଦୀ ଅନ୍ୟ ୧୫ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.