ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଚିତ୍ତୁରରେ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୪ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏକ ଲରି ସହ ଆମ୍ବୁଲାନ୍ସ ଧକ୍କା ହୋଇଛି । ଏଥିସହ ୩ ଜଣ ମଧ୍ୟ ଗୁରୁତର ଅଛନ୍ତି ।
ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ଚିତ୍ତର ଜିଲ୍ଲା ତାଭନମପାଲେ ମଣ୍ଡଳରେ ଦୁର୍ଘଟଣା ଘଟିଛି । ଏକ ଲରି ସହ ଆମ୍ବୁଲାନ୍ସ ଧକ୍କା ହୋଇଛି । ସଂଗେସଂଗେ ପୋଲିସ ଏବଂ ସ୍ଥାନୀୟ ଲୋକେ ଗାଡ଼ି ମଧ୍ୟରୁ ଲୋକଙ୍କୁ ବାହାର କରିଥିଲେ । ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଅଛନ୍ତି ।
ଆନ୍ଧ୍ର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ୪ଜଣ ମୃତକ ଓଡ଼ିଶାର ବୋଲି ଜଣାପଡିଛି । ରୋଗୀ ଧରି ବେଙ୍ଗାଲୁରୁ ଭିକ୍ଟୋରିଆ ହସ୍ପିଟାଲ ଯିବା ବେଳେ ଏପରି ଦୁର୍ଘଟଣା ଘଟିଛି । ପୁଥଲପାଟ-ନାଇଡୁପେଟା ଏନଏଚରେ ଅମ୍ବୁଲାନ୍ସକୁ ଧକ୍କା ଦେଇଥିଲା ଲରି । ମୃତକଙ୍କ ମଧ୍ୟରେ ୩ଜଣ ପୁରୁଷ ଏବଂ ଜଣେ ମହିଳା ଥିବା ସୂଚନା ମିଳିଛି । ତେବେ ମୃତାହତମାନଙ୍କ ଘର ଓଡ଼ିଶାରେ କେଉଁଠି ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ ।