ପ୍ରତି ଜିଲ୍ଲାରେ ନିଯୁକ୍ତି ହେବେ ନୋଡାଲ୍ ଅଫିସର, ସାପ କାମୁଡ଼ା ମାମଲା ସୁପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ଜିଲ୍ଲାରେ ସାପକାମୁଡ଼ା ଜନିତ ମାମଲାର ସୁପରିଚାଳନା ପାଇଁ ଜଣେ ଲେଖାଏଁ ନୋଡାଲ୍ ଅଫିସରଙ୍କୁ ନିଯୁକ୍ତ କରାଯିବ । ଯେପରି ଯକ୍ଷ୍ମା ଓ କୁଷ୍ଠ ନିବାରଣ ପାଇଁ ଜାତୀୟ ସ୍ତରରେ କାର୍ଯ୍ୟନୁଷ୍ଠାନ ମାନ ନିଆଯାଉଛି ସେହିପରି ଆଗକୁ ରାଜ୍ୟରେ ସାପକାମୁଡା ମୃତ୍ୟୁ ହ୍ରାସ ପାଇଁ ମଧ୍ୟ ଏକ କାର୍ଯ୍ୟକ୍ରମ ଆରମ୍ଭ କାରଯିବ ।

ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟର ପ୍ରତି ଜିଲ୍ଲାରୁ ତାଲିମପ୍ରାପ୍ତ ଜଣେ ଡାକ୍ତରଙ୍କୁ ଏହି ପଦବୀରେ ନିଯୁକ୍ତ କରାଯିବ ବୋଲି ସୂଚନା ମିଳିଛି । ଏହା ହେବା ଦ୍ୱାରା ନୋଡାଲ ଅଫିସର ସଂପୃକ୍ତ ଜିଲ୍ଲାର ସମସ୍ତ ସାପ କାମୁଡା ଜନିତ ମାମଲା ସଂପର୍କରେ ତଥ୍ୟ ସଂଗ୍ରହ କରିବା ସହ ଚିକିତ୍ସା ସଫଳତା, ରେଫର୍ ଏବଂ ମୃତ୍ୟୁ ଭଳି ତଥ୍ୟ ସଂଗ୍ରହ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିପାରିବେ ।

ରାଜ୍ୟରେ ସାପକାମୁଡା ଜନିତ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ଲାଗି ରାଜ୍ୟ ବିପର୍ଯ୍ୟୟ ପ୍ରମଶନ ବିଭାଗ ବ୍ୟାପକ ପଦକ୍ଷେପ ନେଉଛି । ଏହି କ୍ରମରେ ବର୍ଷେ ହେବ ଏକ ଉଚ୍ଚସ୍ତରୀୟ ଟିମ୍ ଗଠନ କରାଯାଇ ରାଜ୍ୟରେ ସାପକାମୁଡା ମୃତ୍ୟୁ ହ୍ରାସ ଦିଗରେ ମାନସମନ୍ଥନ ଜାରି ରହିଛି । ଟିମର ନିଷ୍ପତ୍ତିକ୍ରମେ, ଦୁଇଦିନ ତଳେ ଡାକ୍ତରମାନଙ୍କ ତାଲିମ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସାପକାମୁଡ଼ା ଜନିତ ସମ୍ବେଦନଶୀଳ ତାଲିକାରେ ଥିବା ରାଜ୍ୟର ୭ଜିଲ୍ଲାର ୧୦ ବ୍ଲକର ଡାକ୍ତରମାନଙ୍କୁ ତାଲିମ ଦିଆଯାଇଛି । କେବଳ ଡାକ୍ତର ନୁହଁନ୍ତି ମେଡିକାଲ ଆଫିସର, ଷ୍ଟାଫ ନର୍ସ, ଏବଂ ଫାର୍ମାଷିଷ୍ଟମାନଙ୍କୁ ମଧ୍ୟ ତାଲିମ୍ ପ୍ରଦାନ କରାଯିବା ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉଛି ।