fbpx

ଜନସାଧାରଣଙ୍କର ସମସ୍ୟାର ସମାଧାନ କରିବା ‘ମୋ ସରକାର’ର ପ୍ରାଥମିକତା, ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ବିରୋଧୀ ଦଳ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଭାରତୀୟ ଜନତା ପାର୍ଟିର ଦୁଇଟି ପ୍ରଶ୍ନକୁ ବାଚସ୍ପତି ପ୍ରମିଳା ମଲ୍ଲିକ୍‍ ଗୃହରେ ଆଲୋଚନା କରିବା ପାଇଁ ମନା କରିବା ପ୍ରତିବାଦରେ ଦଳରବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ୍‍ ପାଖକୁ ଯାଇ ପାଟିତୁଣ୍ଡ କରିଥିଲେ ।

ମନ୍ତ୍ରୀ ବଡ଼ ନା ସଚିବ ବଡ଼ ଏବଂ ଫାଇଭ୍‍-ଟି ସଚିବଙ୍କ ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତକୁ ନେଇ ବିଜେପି ବିଧାୟକମାନେ ଗୃହରେ ପ୍ରଶ୍ନ ଉଠାଇ ବାଚସ୍ପତିଙ୍କଦୃଷ୍ଟି ଆକର୍ଷଣ କରିଥିଲେ । ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲି ନ ପାରିବାରୁ ବାଚସ୍ପତି ଶ୍ରୀମତୀ ମଲ୍ଲିକ୍‍ ପ୍ରଶ୍ନକାଳକୁ ବାତିଲ କରି ପ୍ରଥମେ ଗୃହକୁ ପୂର୍ବାହ୍ଣ ୧୧ଟା ୩୦ ଯାଏଁ ମୁଲତବୀ ରଖିଥିଲେ । ପରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେପି ସଦସ୍ୟମାନେ ସେମାନଙ୍କର ମୁଲତବୀ ପ୍ରସ୍ତାବ ଗ୍ରହଣ ନ କରିବା ଯୋଗୁଁ ହୋ-ହଲ୍ଲା କରିଥିଲେ । ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ତାଙ୍କର ବିବୃତି ରଖି କହିଥିଲେ ଯେ, ତାଙ୍କ ସରକାର ହେଉଛି ଲୋକଙ୍କ ସରକାର । କୋଭିଡ୍‍ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଭିଯୋଗ ପ୍ରକୋଷ୍ଠ ଗତ ଦୁଇବର୍ଷ ଧରି ବନ୍ଦ ରହିଥିଲା ।

ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ଯାଇ ଅଭିଯୋଗ ଗ୍ରହଣ କରି ଲୋକମାନଙ୍କର ସମସ୍ୟାର ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜନସାଧାରଣଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରି ସମାଧାନର ରାସ୍ତା ବାହାର କରୁଛନ୍ତି । ଗତ ୬ ମାସରେ ରାଜ୍ୟର ୧୯୦ଟି ସ୍ଥାନରୁ ୫୭ ହଜାର ୪୪୨ଟି ଅଭିଯୋଗପତ୍ର ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ୪୩ ହଜାର ୫୩୬ଟି ଅଭିଯୋଗର ସମାଧାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଏତେ ସଂଖ୍ୟକ ଅଭିଯୋଗ ଦାଖଲ ପାଇଁ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ଖର୍ଚ୍ଚାନ୍ତ ହୋଇଥାନ୍ତେ । ତେଣୁ ସେମାନଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‍ ଯାଇ ଅଭିଯୋଗ ଗ୍ରହଣ କରିବାରେ କୌଣସି ତ୍ରୁଟି ନାହିଁ । ଫାଇଭ୍‍-ଟି ସଚିବଙ୍କ ହେଲିକପ୍ଟରରେ ଓଡ଼ିଶା ବୁଲିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ଏହି ସୁବିଧା କରାଯାଇ ନ ଥିଲେ ସମଗ୍ର ରାଜ୍ୟ ବୁଲି ଅଭିଯୋଗ ଶୁଣାଣି କରିବା ପାଇଁ ଦେଢ଼ବର୍ଷ ସମୟ ଲାଗିଥାନ୍ତା । ଗତ ସାଢ଼େ ୩ ବର୍ଷରେ ହେଲିକପ୍ଟର ଖର୍ଚ୍ଚ ବାବଦକୁ ସରକାର ୪୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ ସ୍ପଷ୍ଟୀକରଣ ଦେବା ସହିତ ମାସିକ ୧ କୋଟିରୁ ଦେଢ଼ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ ହୋଇଛି ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଗୃହକୁ ଆହୁରି ସୂଚନା ଦେଇ କହିଥିଲେ ଯେ, ବିରୋଧୀ ଦଳର ସଦସ୍ୟମାନେ କେବଳ ରାଜନୈତିକ କାରଣ ଦୃଷ୍ଟିରୁ ଅସନ୍ତୁଷ୍ଟ ହେବା ଉଚତ୍‍ ନୁହେଁ । ଜନସାଧାରଣ ତାଙ୍କ ସରକାର ପାଇଁ ପ୍ରଥମ ଏବଂ ସେମାନଙ୍କର ସମସ୍ୟା ସମାଧାନ କରିବା ସରକାରଙ୍କ ପ୍ରାଥମିକତା । ତେବେ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ କର୍ଣ୍ଣପାତ ନ କରି ଗୃହରେ ହଟ୍ଟଗୋଳ ଜାରି ରଖିବା ଯୋଗୁଁ ଗୃହକାର୍ଯ୍ୟ ସମ୍ଭବ ହୋଇପାରିନଥିଲା । ବାଚସ୍ପତି ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକାର୍ଯ୍ୟକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଦଳର ବରିଷ୍ଠ ସଦସ୍ୟ ତାରାପ୍ରସାଦ ବାହିନୀପତି ଗୃହବାହାରେ ସାମ୍ବାଦିକମାନଙ୍କୁ ଅଭିଯୋଗ କରି କହିଥିଲେ ଯେ, ସରକାର ଜାଣିଶୁଣି ବିଧାନସଭାକୁ ବନ୍ଦ କରୁଛନ୍ତି । ଗୃହରେ ଅନେକ ପ୍ରସଙ୍ଗ ଆଲୋଚନା ପାଇଁ ଥିବାବେଳେ ଗୃହକୁ ବନ୍ଦ କରିବା ଗ୍ରହଣୀୟ ନୁହଁ ।

Get real time updates directly on you device, subscribe now.