fbpx

ବିଶ୍ୱକପର ୯ଟି ବଡ଼ ରେକର୍ଡ, ଆଜି ବି ସୁରକ୍ଷିତ: ଭାଙ୍ଗିବା ତ ଦୂରର କଥା କେହି ଛୁଇଁ ପାରୁନାହାନ୍ତି

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ୨୦୨୩ କ୍ରିକେଟ ଅକ୍ଟୋବର ମାସ ୫ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ । ତେବେ ବିଶ୍ୱକପର ଇତିହାସରେ ଏଭଳି କିଛି ରେକର୍ଡ ରହିଛି ଯାହାକୁ ଭାଙ୍ଗିବା ଆଜିର ପିଢ଼ି ପାଇଁ ଏକପ୍ରକାର ଅସମ୍ଭବ । ସେହିସବୁ ରେକର୍ଡ ବିଷୟରେ କ୍ରୀଡ଼ାପ୍ରେମୀମାନେ ଜାଣିବା ନିହାତି ଆବଶ୍ୟକ । ତେବେ ଏହି ରେକର୍ଡକୁ ଅତିକ୍ରମ କରିବାକୁ ଜଣେ ଖେଳାଳିଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିବ । ସାଧାରଣ ଭାବେ କ୍ରିକେଟକୁ ଏକ ଅନିଶ୍ଚିତତାର ଖେଳ ବୋଲି କୁହାଯାଇଥାଏ । ତେଣୁ କେତେବେଳେ, କେଉଁ ଖେଳାଳି, କେଉଁ ରେକର୍ଡ ସ୍ଥାପନ କରିବେ ତାହା କହିବା ମୁସ୍କିଲ । ଏଭଳି ଅନେକ ରେକର୍ଡ ବର୍ଷ ବର୍ଷ ଧରି ସୁରକ୍ଷିତ ଅବସ୍ଥାରେ ରହିଛି ।

୧- ସଚିନ ତେନ୍ଦୁଲକର ୧୯୯୨ରୁ ୨୦୧୧ ମଧ୍ୟରେ ୬ଟି ବିଶ୍ୱକପରେ ୪୫ଟି ମ୍ୟାଚ ଖେଳି ୨୨୭୮ ରନ ସଂଗ୍ରହ କରିଛନ୍ତି । ବିରାଟ କୋହଲି ୨୬ ମ୍ୟାଚରୁ ୨୦୩୦ ରନ, ରିକି ପଣ୍ଟିଂ ୧୭୪୩, କୁମାର ସାଙ୍ଗାକାର ୧୫୩୨, ବ୍ରାଏନ ଲାରା ୧୨୨୫ ଓ ଏବି ଡିଭିଲୟର୍ସ ୧୨୦୭ ରନ୍ ସଂଗ୍ରହ କରିଛନ୍ତି ।

୨- ଗ୍ଲେନ ମ୍ୟାକଗ୍ରାଥ ବିଶ୍ୱକପରେ ୩୯ଟି ମ୍ୟାଚରେ ୭୧ଟି ୱିକେଟ ଅକ୍ତିଆର କରିଛନ୍ତି । ତାଙ୍କ ପଛକୁ ମୁଥିଆ ମୁରଲୀଧରନ ୬୮, ଲସିଥ ମାଲିଙ୍ଗା ୫୬, ୱାସିମ ଆକ୍ରମ ୫୫ଟି ୱିକେଟ ନେଇଛନ୍ତି । ମିଶେଲ ଷ୍ଟାର୍କ ୧୮ ମ୍ୟାଚରୁ ୪୯ଟି ୱିକେଟ ନେଇଥିବା ବେଳେ ସେ ଆଉ ୨୩ଟି ୱିକେଟ ନେଲେ ଏହି ରେକର୍ଡ ଭଙ୍ଗ କରିପାରିବେ ।

୩- ୨୦୧୫ ବିଶ୍ୱକପରେ କୁମାର ସାଙ୍ଗାକାର କ୍ରମାଗତ ୪ଟି ମ୍ୟାଚରେ ୪ଟି ଶତକ ମାରିଥିଲେ । ସେ ବାଂଲାଦେଶ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ସ୍କଟଲାଣ୍ଡ ବିପକ୍ଷରେ ଏହି ରେକର୍ଡ କରିଥିଲେ । ୨୦୧୯ ବିଶ୍ୱକପରେ ରୋହିତ ଶର୍ମା କ୍ରମାଗତ ୩ଟି ମ୍ୟାଚରେ ୩ଟି ଶତକ ମାରି ଉକ୍ତ ରେକର୍ଡର ନିକଟତର ହୋଇଥିଲେ ।

୪- ୨୦୧୯ ବିଶ୍ୱକପରେ ରୋହିତ ଶର୍ମା ୯ଟି ମ୍ୟାଚରେ ୬୪୮ ରନ ସଂଗ୍ରହ କରିଥିବା ବେଳେ ସେଥିରେ ୫ଟି ଶତକ ସାମିଲ ରହିଥିଲା । ଜଣେ ଖେଳାଳି ହିସାବରେ ରୋହିତ ବିଶ୍ୱକପରେ ସର୍ବାଧିକ ୫ଟି ଶତକ ଅର୍ଜନ କରିଥିଲେ ।

୫- କୌଣସି ବିଶ୍ୱକପରେ ସର୍ବାଧିକ ରନ ସଂଗ୍ରହ କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କର ନାମରେ ରହିଛି । ସେ ୨୦୦୩ ବିଶ୍ୱକପରେ ୧୧ଟି ମ୍ୟାଚରେ ୬୭୩ ରନ୍ ସଂଗ୍ରହ କରିଥିଲେ । ମାଥ୍ୟୁ ହେଡେନ ୨୦୦୭ ବିଶ୍ୱକପରେ ୧୧ଟି ମ୍ୟାଚରେ ୬୫୯ ରନ ଓ ରୋହିତ ଶର୍ମା ୨୦୧୯ ବିଶ୍ୱକପରେ ୬୪୮ ରନ୍ ସଂଗ୍ରହ କରିଥିଲେ ।

୬- ୨୦୦୭ ବିଶ୍ୱକପରେ ହର୍ଶଲ ଗିବସ ଗୋଟିଏ ଓଭରରେ ୬ଟି ଛକା ମାରି କ୍ରିକେଟ ଜଗତରେ କମ୍ପନ ସୃଷ୍ଟି କରିଥିଲେ । ନେଦରଲାଣ୍ଡର ଡାନ ଭନ ବଞ୍ଜିଙ୍କ ଗୋଟିଏ ଓଭରରେ ଗିବସ ଏହି ରେକର୍ଡ ସ୍ଥାପନ କରିଥିଲେ ।

୭- ୨୦୦୭ ବିଶ୍ୱକପରେ ଲସିଥ ମାଲିଙ୍ଗା ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪ଟି ବଲରେ ୪ଟି ୱିକେଟ ଅକ୍ତିଆର କରିଥିଲେ । ଉକ୍ତ ମ୍ୟାଚରେ ସେ ଶନ ପୋଲକ, ଆନ୍ଦ୍ରେ ହଲ, ଜ୍ୟାକ୍ସ କାଲିସ ଓ ମଖାୟା ଏନଟିନିଙ୍କୁ ଆଉଟ୍ କରିଥିଲେ ।

୮- ବିଶ୍ୱକପରେ କେବଳ ଦୁଇ ଥର ଦ୍ୱିଶତକ ହାସଲ କରାଯାଇଛି । ୨୦୧୫ ବିଶ୍ୱକପରେ କ୍ରିସ ଗେଲ ଜିମ୍ବାୱେ ବପକ୍ଷରେ ୨୧୫ ରନର ଇନିଂ ଖେଳିଥିଲେ । ଏହାପରେ ମାର୍ଟିନ ଗୁପ୍ଟିଲ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୩୭ ରନର ଅପରାଜିତ ଇନିଂସ ଖେଳିଥିଲେ ।

୯- ବିଶ୍ୱକପରେ କ୍ରମାଗତ ଭାବେ ମ୍ୟାଚ ଜିତିବାର ରେକର୍ଡ ଅଷ୍ଟ୍ରେଲିଆ ନାମରେ ରହିଛି । ୧୯୯୯ ମସିହା ଜୁନ ୨୦ରୁ ୨୦୧୧ ମସିହା ମାର୍ଚ୍ଚ ୧୯ ମଧ୍ୟରେ ଅଷ୍ଟ୍ରେଲିଆ କ୍ରମାଗତ ୨୭ଟି ମ୍ୟାଚ ଜିତିଥିଲା । ଏହି ଅବସରରେ ଅଷ୍ଟ୍ରେଲିଆ ୩ ଥର ବିଶ୍ୱ ଚାମ୍ପିୟନ ହୋଇଥିଲା । ବିଶ୍ୱକପରେ ଅଷ୍ଟ୍ରେଲିଆ ମୋଟ ୯୪ଟି ମ୍ୟାଚରୁ ୬୯ଟିରେ ଜିତିଥିବା ବେଳେ କେବଳ ୨୩ଟିରେ ହାରିଛି ।

Get real time updates directly on you device, subscribe now.