fbpx

ଏସିଆନ୍ ଗେମ୍ସରେ ଲେଖାହେଲା ନୂଆ ଇତିହାସ: ପ୍ରଥମ ଥର ଟି-୨୦ରେ ୩୦୦ ଟପିଲା ଦଳୀୟ ସ୍କୋର

ନୂଆଦିଲ୍ଲୀ: କ୍ରିକେଟକୁ ଏକ ଅନିଶ୍ଚିତତାର ଖେଳ ବୋଲି କୁହାଯାଇଥାଏ । କିଛି ରେକର୍ଡ ଦଶନ୍ଧି ଦଶନ୍ଧି ଧରି ଅତୁଟ ରହିଥିବା ବେଳେ ଆଉ କିଛି ରେକର୍ଡ ମାତ୍ର ବର୍ଷ କେଇଟା ଭିତରେ ଭାଙ୍ଗି ଯାଇଥାଏ । ତେବେ ଏହା ମଧ୍ୟରେ ଚୀନର ହ୍ୱାଙ୍ଗଝୁରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ କ୍ରିକେଟର ନୂଆ ଇତିହାସ ଲେଖାଯାଇଛି । ନେପାଳ ଓ ମଙ୍ଗୋଲିଆ ମଧ୍ୟରେ ଅନୁଷ୍ଠିତ ଟି-୨୦ ମ୍ୟାଚ ଅବସରରେ କ୍ରିକେଟର କିଛି ବଡ଼ ରେକର୍ଡ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳ ଆଉ କିଛି ନୂଆ କୀର୍ତ୍ତିମାନ ଲେଖାଯାଇଛି ।

ପ୍ରଥମେ ବ୍ୟାଟିଂ କରିଥିବା ନେପାଳ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟରେ ୩୧୪ ରନ୍ ସଂଗ୍ରହ କରିଥିଲା । ପ୍ରତିପକ୍ଷ ମଙ୍ଗୋଲିଆ ମାତ୍ର ୧୩.୧ ଓଭରରେ ମାତ୍ର ୪୧ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ନେପାଳ ୨୭୩ ରନର ଏକ ବୃହତ ବ୍ୟବଧାନରେ ବିଜୟୀ ହୋଇଥିଲା । ନେପାଳ ବ୍ୟାଟ୍ସମ୍ୟାନ କୁଶଲ ମଲ୍ଲା ୫୦ଟି ବଲରେ ୧୨ଟି ଛକା ଓ ୮ଟି ଚୌକା ସହାୟତାରେ ୫୦ଟି ବଲରୁ ଅପରାଜିତ ୧୩୭ ରନ୍ ସଂଗ୍ରହ କରିଥିଲେ । ଏହି କ୍ରମରେ ମଲ୍ଲା ରୋହିତ ଶର୍ମା ଓ ଡେଭିଡ ମିଲରଙ୍କ ୩୫ଟି ବଲରୁ ଶତକ ରେକର୍ଡ ଭାଙ୍ଗିଥିଲେ । ମଲ୍ଲା ୩୪ ବଲରୁ ଶତକ ଅର୍ଜନ କରିଥିଲେ ।

ସେହିପରି ଦିପେନ୍ଦ୍ର ସିଂହ ଏରି ୮ଟି ଛକା ସହାୟତାରେ ମାତ୍ର ୯ଟି ବଲରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ପୂର୍ବରୁ ଯୁବରାଜ ସିଂହଙ୍କ ନାମରେ ୧୨ଟି ବଲରୁ ଅର୍ଦ୍ଧଶତକ ରେକର୍ଡ ରହିଥିଲା । ୨୦୦୭ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଯୁବରାଜ ଏହି ରେକର୍ଡ କରିଥିଲେ । ୨୭୩ ରନ ବ୍ୟବଧାନରେ ବିଜୟ ଟି-୨୦ ଇତିହାସରେ ସର୍ବବୃହତ ବିଜୟ । ଟି-୨୦ରେ ୩୧୪ ରନ ସର୍ବାଧିକ ଦଳଗତ ରନ୍ । ଏହା ପୂର୍ବରୁ ୨୦୧୯ରେ ଆଫଗାନିସ୍ତାନ ଓ ଚେକ ରିପବ୍ଲିକ ଉଭୟ ଟିମ ୨୭୮ ଦଳୀୟ ସ୍କୋର କରି ଟପରେ ରହିଥିଲେ । ଏହି ମ୍ୟାଚରେ ନେପାଳ ମୋଟ ୨୬ଟି ଛକା ମାରି ରେକର୍ଡ କରିଥିଲା ।

Get real time updates directly on you device, subscribe now.