ମୋଦୀ ସରକାରଙ୍କ ଘୋଷଣା: ଡିସେମ୍ବର ମାସ ସୁଦ୍ଧା ଗର୍ତ୍ତମୁକ୍ତ ହେବ ଦେଶର ସମସ୍ତ ସଡ଼କ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ଓ ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେବେ ଏହା ମଧ୍ୟରେ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦୀ ସରକାର ଆକ୍ସନ ମୋଡ଼କୁ ଆସିଛନ୍ତି । ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସାରା ଦେଶର ସଡ଼କରୁ ଗର୍ତ୍ତକୁ ହଟାଇବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।

ମୋଦୀ ସରକାରଙ୍କ କାର୍ଯ୍ୟକାଳରେ ଦେଶର ସଡ଼କପଥରେ କାର୍ଯ୍ୟ ବହୁମାତ୍ରାରେ ଆଗେଇଛି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସାରା ଦେଶରେ ହାଇୱେ, ଏକ୍ସପ୍ରେସୱେକୁ ବୃଦ୍ଧି କରିବା ଏକାଧିକ ପଦକ୍ଷେପ କରିଛନ୍ତି । ତେବେ ଆଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାବେଳେ ନିର୍ବାଚନ ପୂର୍ବରୁ ମୋଦୀ ସରକର ଏନେଇ ବଡ଼ ଘୋଷଣା କରିଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଅର୍ଥାତ ଡିସେମ୍ବର ପୂର୍ବରୁ ସମସ୍ତ ଜାତୀୟ ରାଜପଥ ଗର୍ତ୍ତମୁକ୍ତ ହେବ ବୋଲି ଗଡ଼କରୀ କହିଛନ୍ତି ।

ଗଡ଼କରୀ କହିଛନ୍ତି, ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ସମସ୍ତ ରାଷ୍ଟ୍ରୀୟ ରାଜପଥକୁ ଗର୍ତ୍ତମୁକ୍ତ କରିବା ଉପରେ କେନ୍ଦ୍ର ସରକାର କାମ କରୁଛନ୍ତି । ବିଲ୍ଟ-ଅପରେଟ-ଟ୍ରାନ୍ସଫର (ବିଓଟି) ନୀତି ଆଧାରରେ କେନ୍ଦ୍ର ସରକାର ସଡ଼କ ନିର୍ମାଣକୁ ପ୍ରାଥମିକତା ଦେଉଛନ୍ତି । ରାଜପଥରେ ଗର୍ତ୍ତ ରହିବା ଫଳରେ ଅନେକ ବିପଦର ଆଶଙ୍କା ରହିଥାଏ । ତେଣୁ ରାଷ୍ଟ୍ରୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପ୍ରକଳ୍ପକୁ ସଫଳ କରିବା ପାଇଁ ଯୁବ ଇଞ୍ଜିନିୟରଙ୍କୁ ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ମନ୍ତ୍ରଣାଳୟ ୧,୪୬,୦୦୦ କିମି ଦୀର୍ଘ ଦୂରତା ବିଶିଷ୍ଟ ରାଷ୍ଟ୍ରୀୟ ରାଜପଥ ନେଟୱାର୍କର ମ୍ୟାପିଂ କରିସାରିଛନ୍ତି ।

Get real time updates directly on you device, subscribe now.