୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ସୁଦୃଶ୍ୟ ହେବ ଲଘୁଚାପ : ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ, ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ
ଭୁବନେଶ୍ୱର : ଉତ୍ତର-ପୂର୍ବ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ଏହି ଲଘୁଚାପଟି ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି । ଲଘୁଚାପର ପ୍ରଭାବରେ ରାଜ୍ୟରେ ଶନିବାର ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ ।
ସୂଚନା ଅନୁସାରେ, ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହାକୁ ଦୃଷ୍ଟିରେ ରଖି ଅନେକ ଜିଲ୍ଲା ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଙ୍ଗ ଓ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି । କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ହେବାର ସମ୍ଭାବନା ଥିବାରୁ, ଆଞ୍ଚଳିକ ପାଣିପାଗ ବିଭାଗ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଏହା ବ୍ୟତୀତ ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, କେଦ୍ରାପଡା, ଖୋର୍ଦ୍ଧା ଓ ଜଗତସିଂହ ପୁର ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରି ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ।
ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ତେଣୁ ଏହି ସବୁକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ଏସଆରସିଙ୍କ କାର୍ଯ୍ୟାଳୟ ନିର୍ଦ୍ଦେଶ ଦେଇଥିବା ବେଳେ, ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଛି ।