fbpx

ଦଳୀୟ ବିକାଶ ବାର୍ତ୍ତାକୁ ନେଇ ଜନ ସମ୍ପର୍କ ପଦଯାତ୍ରାରେ ବିଜେପି ଓ ବିଜେଡି; କାହାର ବିକାଶ ଉପରେ ଆସ୍ଥା ପ୍ରକଟ କରିବେ ଜନତା?

ଓଡିଶା ଭାସ୍କର; ଆସନ୍ତା କାଲିଠାରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରିବ ବିଜୁ ଜନତା ଦଳ ବା ବିଜେଡି । ନବୀନ ସରକାରଙ୍କ ବିକାଶ ବାର୍ତ୍ତାକୁ ପ୍ରତି ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଦଳ ପକ୍ଷରୁ ଏହି ଜନ ସମ୍ପର୍କ ପଦଯାତ୍ରା କରାଯିବ। ଯାହାକୁ ନେଇ ଭୁବନେଶ୍ୱର ବଡଗଡ ବ୍ରିଟ କଲୋନୀ ନେତାଜୀ ପଡ଼ିଆର ୫୭ ନମ୍ବର ୱାର୍ଡରୁ ପ୍ରଥମେ ପଦଯାତ୍ରା ଶୁଭାରମ୍ଭ କରିବେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।

ନିକଟରେ ମୋଦୀ ସରକାରଙ୍କ ବିକାଶ ବାର୍ତ୍ତାକୁ ନେଇ ରାଜ୍ୟ ବିଜେପି ‘ଜନ ସମ୍ପର୍କ’ ପଦଯାତ୍ରା କରିଥିବା ବେଳେ ଏବେ ବିଜେଡି ବି ମଧ୍ୟ ତା’ର ‘ଜନ ସମ୍ପର୍କ’ ପଦଯାତ୍ରା କରିବାକୁ ଯାଉଛି। ତେବେ ଏଠାରେ ବଡ଼ କଥା ହେଉଛି ଯେ, ଜନତା କାହାର ବିକାଶ ଉପରେ ଆସ୍ଥା ପ୍ରକଟ କରିବେ? ବିଜେପି ନା ବିଜେଡି? ଉଭୟ ଦଳ ଏହି ପଦଯାତ୍ରା ସମୟରେ ନିଜ ନିଜର ବିଭିନ୍ନ ଜନ କଲ୍ୟାଣ ଓ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଉଛନ୍ତି । ଏହି ପରିପ୍ରେକ୍ଷୀରେ ଉଭୟ ଉଭେୟଙ୍କ ଦୋଷ ଓ ଦୁର୍ବଳତା ମଧ୍ୟ ଦୋହରାଉଥିବା ଦେଖିବାକୁ ମିଳେ । ତେବେ ଏଭଳି ପରିସ୍ଥିତିରେ ଲୋକେ ଆଗାମୀ ୨୦୨୪ ନିର୍ବାଚନରେ କାହାକୁ ବାଛିବେ ସେନେଇ ମନସ୍ଥ କରିବେ । ଏହି ‘ଜନ ସମ୍ପର୍କ’ ପଦଯାତ୍ରା ସମୟରେ ଯିଏ ଯେତେ ଭଲ ବୁଝାଇ ପାରିବ ସିଏ ସେତେ ଭଲ ଫଳ ପାଇବ ବୋଲି କୁହାଯାଏ । ଦୀର୍ଘ ଦଶନ୍ଧି ଧରି ଓଡିଶା କ୍ଷେତ୍ରରେ ଜନତା ବିଜେଡି ଉପରେ ଆସ୍ଥା ପ୍ରକଟ କରିଆସୁଥିବା ବେଳେ ଆଗାମୀ ଦିନରେ ଲୋକେ କାହା ଉପରେ ଆସ୍ଥା ପ୍ରକଟ କରିବେ ତାହା ବର୍ତ୍ତମାନ ପ୍ରତିକ୍ଷାର ବିଷୟ ପାଲଟିଛି ।

ସୂଚନା ଥାଉକି, ପ୍ରତିବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ବିଜେଡି ପକ୍ଷରୁ ‘ଜନ ସମ୍ପର୍କ’ ପଦଯାତ୍ରା ଆରମ୍ଭ ହୋଇ ଅକ୍ଟୋବର ୧୧ ତାରିଖରେ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ୟ୍ୟନ୍ତ ପଦଯାତ୍ରା ଚାଲିଥାଏ । ପଦଯାତ୍ରା ସମୟରେ ବିଭିନ୍ନ ଜନ କଲ୍ୟାଣ ଓ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କୁ ଦଳୀୟ କର୍ମକର୍ତ୍ତା ଅବଗତ କରାଇଥା’ନ୍ତି । ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ, ଅକ୍ଟୋବର ୯ରେ ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ ଏବଂ ଅକ୍ଟୋବର ୧୧ରେ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ଦଳ ପକ୍ଷରୁ ପାଳନ କରାଯାଏ। ଚଳିତ ବର୍ଷ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ସ୍ତରରେ ଏହି ଜନ ସମ୍ପର୍କ ପଦଯାତ୍ରା ପାଳନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.