fbpx

କେସିଆରଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିସ୍ପୋରକ ବୟାନ; କେସିଆର NDAରେ ସାମିଲ ହେବାକୁ ଚାହୁଁଥିଲେ ହେଲେ ମୁଁ ମନା କରିଥିଲି

ଓଡିଶା ଭାସ୍କର: ଭାରତ ରାଷ୍ଟ୍ର ସମିତି ଦଳ ମୁଖ୍ୟ ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ସମ୍ପର୍କରେ ଏକ ବଡ଼ ବୟାନ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ବୟାନ ରଖି ତେଲେଙ୍ଗାନା ରାଜ୍ୟ ରାଜନୀତିରେ ମୋଦି ଏକ ଚହଳ ପକାଇଛନ୍ତି ।

ସୂଚନା ଥାଉକି, ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ତେଲେଙ୍ଗାନା ଗସ୍ତରେ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ହାଇଦ୍ରାବାଦର ଅନୁଷ୍ଠିତ ଏକ ରାଲିରେ ଯୋଗ ଦେଇ ଏହି ବୟାନ ରଖିଥିବା ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, କେସିଆର ଏକ ସମୟରେ ଭାଜପା ନେତୃତ୍ୱାଧୀନ ସହଯୋଗୀ ଏନଡିଏରେ ଯୋଗଦେବାକୁ ଚାହୁଁଥିଲୋ। କିନ୍ତୁ ମୁଁ ନିଜେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲି। କେବଳ ଏହା ନୁହେଁ କେସିଆରଙ୍କ ସ୍ଵଭାବ ଓ ଚରିତ୍ରକୁ ନେଇ ମଧ୍ୟ ସମାଲୋଚନା କରିଛନ୍ତି ମୋଦି ।

ମୋଦି କହିଛନ୍ତି, ଯେତେବେଳେ ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେଶନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ସେତେବେଳେ ଭାଜପା ୪୮ ଟି ଆସନ ଜିତି ଆସିଥିଲା। କେସିଆରଙ୍କ ସମର୍ଥନର ଆବଶ୍ୟକତା ଥିଲା। ପୂର୍ବରୁ ସେ ବହୁତ ସମ୍ମାନ କରୁଥିଲେ। ବିମାନ ବନ୍ଦରକୁ ଫୁଲ ମାଳ ଧରି ଆସୁଥିଲେ। ମାତ୍ର ଏବେ ଅସନ୍ତୁଷ୍ଟ ହୋଇ ଯାଇଛନ୍ତି। ସେ ମତେ ଭେଟିବା ପାଇଁ ଦିଲ୍ଲୀ ଆସିଥିଲେ, ଶାଲ ପ୍ରଦାନ କରି ବହୁତ ପ୍ରେମ ଦେଖାଇଥିଲେ। ମାତ୍ର ପ୍ରେମ ଦେଖାଇବା ତାଙ୍କ ଚରିତ୍ରରେ ନାହିଁ। ଏହା ସହ ସେ କହିଛନ୍ତି, କେସିଆର ଏନଡିଏରେ ଅନ୍ତର୍ଭୁକ୍ତ ହେବାକୁ କହିଥିଲେ। ମୁଁ କହିଥିଲି ତୁମର କାର୍ୟ୍ୟ ଏପରି ଯେ, ମୋଦି ତୁମ ସହିତ ଯୋଗ ଦେଇ ପାରିବେ ନାହିଁ। ଆମେ ବିରୋଧୀ ଦଳରେ ବସିପାରିବୁ, କିନ୍ତୁ ତେଲଙ୍ଗାନାବାସୀଙ୍କୁ ବିଶ୍ୱାସଘାତକତା କରିବୁ ନାହିଁ। ଏହାପରେ କେସିଆର କହିଥିଲେ ସେ ବର୍ତ୍ତମାନ ବୃଦ୍ଧ ହୋଇଯାଇଛନ୍ତି। ବର୍ତ୍ତମାନ ଯଦି ପୁଅ କେଟିଆର ଆପଣଙ୍କ ପାଖକୁ ଆସେ ତେବେ ତାଙ୍କୁ ଆଶୀର୍ବାଦ କରିବେ। ମୁଁ କହିଲି ଏହା ହେଉଛି ଗଣତନ୍ତ୍ର। କିପରି ନିଜ ପୁଅକୁ ସିଂହାସନ ଦେଇ ପାରିବେ? ଏହା ସହ ମୁଁ ଏନଡିରେ ତାଙ୍କର ଯୋଗଦେବାକୁ ରୋକଠୋକ ମନା କରିଥିଲି। ତେବେ ମୋଦିଙ୍କ ଏହି ବୟାନକୁ ନେଇ ତେଲେଙ୍ଗାନା ରାଜ୍ୟ ରାଜନୀତିରେ ଅନେକ ଚର୍ଚ୍ଚା ଓ ଆଲୋଚନା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.