fbpx

ଗିରଫ ପୂର୍ବରୁ ଅଭିଯୁକ୍ତଙ୍କୁ ଲିଖିତ ଭାବେ କାରଣ ଦର୍ଶାଅ : ଇଡିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଇଡିକୁ କହିଛନ୍ତି ଯେ, କାହାକୁ ଗିରଫ କରିବା ପୂର୍ବରୁ ଲିଖିତ ଆକାରରେ କାରଣ ଦର୍ଶାଇବାକୁ ପଡ଼ିବ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଏଜେନ୍ସି ପକ୍ଷରୁ ଏକପାଖିଆ ଏବଂ ମନମୁଖୀ ଆଚରଣ ଆଶା କରାଯାଇପାରିବ ନାହିଁ ।

ଜଷ୍ଟିସ୍ ଏଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ପିଭି ସଞ୍ଜୟ କୁମାରଙ୍କ ବେଞ୍ଚ କହିଛନ୍ତି, ‘ଏହା ଆବଶ୍ୟକ ବୋଲି କୋର୍ଟ ଅନୁଭବ କରୁଛନ୍ତି । ତେଣୁ ଅଭିଯୁକ୍ତକୁ ଗିରଫ କରିବା ପୂର୍ବରୁ ସେ ଲିଖିତ ଭାବେ ଏହାର କାରଣ ଦେବା ଉଚିତ୍ । ଏଥିରେ କୌଣସି ପ୍ରକାରର ଛୁଟ୍ ନାହିଁ । ଏକ ସ୍ୱଚ୍ଛ ଏବଂ ପରିଷ୍କାର ଢ଼ଙ୍ଗରେ କାର୍ଯ୍ୟ କରିବାକୁ କୋର୍ଟ ମଧ୍ୟ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି ।

କ’ଣ ରହିଛି ପୁରା ମାମଲା?
ରିଅଲ୍ ଇଷ୍ଟେଟ୍ ଗ୍ରୁପ୍ ଏମ୩ଏମର ନିର୍ଦ୍ଦେଶକ ପଙ୍କଜ ବନସଲ ଏବଂ ବସନ୍ତ ବନସଲଙ୍କ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ଏହି ଆବେଦନରେ ଉଭୟେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ ଯେଉଁଥିରେ କୋର୍ଟ ପିଏମଏଲଏ ଅଧୀନରେ ସେମାନଙ୍କ ଗିରଫଦାରୀକୁ ମନା କରିଦେଇଥିଲେ ।

ସୁପ୍ରିମକୋର୍ଟ କ’ଣ କହିଛନ୍ତି?
ଶୁଣାଣି ସମୟରେ ଯେତେବେଳେ ସୁପ୍ରିମକୋର୍ଟ ଜାଣିବାକୁ ପାଇଲେ ଯେ ଗିରଫ ସମୟରେ ଉଭୟ ଅଭିଯୁକ୍ତଙ୍କୁ କେବଳ ମୌଖିକ ଅଭିଯୋଗ ସମ୍ପର୍କରେ ଅବଗତ କରାଯାଇଥିଲା ଏବଂ ଲିଖିତ ଆକାରରେ କିଛି ଦିଆଯାଇ ନଥିଲା, ସେତେବେଳେ କୋର୍ଟ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ । କୋର୍ଟ କହିଛନ୍ତି ଯେ, ଯଦି ଆମେ ସମଗ୍ର ଇତିହାସକୁ ଦେଖିବା, ତେବେ ଏହା ଦର୍ଶାଏ ଯେ ଇଡି କେତେ ଖରାପ କାମ କରୁଛି ଏବଂ ଏହାର କାର୍ଯ୍ୟ ପ୍ରଣାଳୀ ମଧ୍ୟ ଜଣାପଡୁଛି ।

Get real time updates directly on you device, subscribe now.