fbpx

ଏସୀୟ କ୍ରୀଡ଼ାରେ ଭାରତର ରୋମାଞ୍ଚକର ପ୍ରଦର୍ଶନ: ୧୦୭ ମେଡାଲ ହାସଲ କରି ଭାରତ ଭାଙ୍ଗିଲା ସର୍ବକାଳୀନ ରେକର୍ଡ

ନୂଆଦିଲ୍ଲୀ : ଚୀନ୍‍ର ହ୍ୱାଙ୍ଗ୍‍ଝୌ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା-୨୦୨୩ ଭାରତର କ୍ରୀଡ଼ା ଇତିହାସକୁ ରୋମାଞ୍ଚିତ କରିଛି । ଗୋଟିଏ ପରେ ଗୋଟିଏ ରେକର୍ଡ ଭାରତର ଇତିହାସରେ ଯୋଡ଼ି ହୋଇଛି । ୭୦ ବର୍ଷର ରେକର୍ଡକୁ ଭାଙ୍ଗି ଭାରତ ଏହି କ୍ରୀଡ଼ାରେ ୧୦୦ତମ ମେଡାଲ ଆଜି ହାସଲ କରିବାରେ ସମର୍ଥ ହୋଇଛି । ମହିଳା କବାଡ଼ି ଟିମ୍‍ ଚୀନ୍‍ ତାଇପେଇ ଦଳକୁ ପରାସ୍ତ କରିବା ଫଳରେ ସ୍ୱର୍ଣ୍ଣ ପଦକ ହାସଲ କରି ଭାରତକୁ ଏହି ଐତିହାସିକ ମୁହୂର୍ତ୍ତ ଆଣିଦେଇଛି ।

ଆଜି ଗୋଟିଏ ଦିନରେ ୬ଟି ସ୍ୱର୍ଣ୍ଣ ପଦକ ପାଇଛି ଭାରତ । ଦେଶ ଆଜି ତୀଳଚାଳନା, କବାଡି, ବ୍ୟାଡମିଣ୍ଟନ ଓ କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଛି । ତୀରଚାଳନାରେ କମ୍ପାଉଣ୍ଡ୍ ମହିଳା ବ୍ୟକ୍ତିଗତ ବର୍ଗରେ ଜ୍ୟୋତି ସୁରେଖା ସ୍ୱର୍ଣ୍ଣ ଜିତିଛନ୍ତି । ସେହିପରି କମ୍ପାଉଣ୍ଡ ପୁରୁଷ ବ୍ୟକ୍ତିଗତ ବର୍ଗରେ ଓଜାସ୍ ପ୍ରବୀଣଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି । ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ମଧ୍ୟ ଭାରତ ଲାଗି ସ୍ୱର୍ଣ୍ଣ ପଦକ ଆଣିଛନ୍ତି ସ୍ୱାସ୍ଥିକ୍ ସାଇରାଜ୍ ଏବଂ ଚିରାଗ ସେଟ୍ଟୀ ଯୋଡ଼ି । ଫାଇନାଲରେ ଦକ୍ଷିଣ କୋରିଆ ଯୋଡ଼ି ଚୋୟି ସୋଲଗାୟୁ ଓ କିମ୍ ଓନୋଙ୍କୁ ପରାସ୍ତ କରି ବାଜି ମାରିଛନ୍ତି ଭାରତୀୟ ଯୋଡ଼ି । ଅନ୍ୟପକ୍ଷରେ ଆଜି ମହିଳା ଓ ପୁରଷ କବାଡ଼ି ଟିମ୍ ଇଭେଣ୍ଟରେ ମଧ୍ୟ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି । ପୁରୁଷ ବର୍ଗ କବାଡ଼ି ଫାଇନାଲ ମ୍ୟାଚରେ ଇରାନକୁ ୩୩-୨୯ରେ ପରାସ୍ତ କରି ଭାରତ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛି ।

ସେହିପରି ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି । ଆଫଗାନିସ୍ତାନ ବିପକ୍ଷ ଫାଇନାଲ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ବାତିଲ୍ ହେବା ପରେ ଭଲ ରାଙ୍କିଂ ଅନୁସାରେ ଭାରତକୁ ସ୍ୱର୍ଣ୍ଣ ପଦକ ବିଜେତା ଘୋଷଣା କରାଯାଇଥିଲା । ତେବେ ଆଜି ମୋଟ ୬ ସ୍ୱର୍ଣ୍ଣ ପଦକସହ ଭାରତ ୨୮ଟି ସ୍ୱର୍ଣ୍ଣ ପଦକ ୩୮ ରୌପ୍ୟ, ୪୧ ବ୍ରୋଞ୍ଜ ପଦକ ନିଜ ନାମରେ କରିଛି । ମୋଟ ପଦକ ସଂଖ୍ୟା ୧୦୭ରେ ପହଞ୍ଚିଛି ।

Get real time updates directly on you device, subscribe now.