fbpx

World Cupରେ କ୍ୱିଣ୍ଟନଙ୍କ ଶତକ ବର୍ଷା: ଅଷ୍ଟ୍ରେଲିଆକୁ ୩୧୨ ରନର ଟାର୍ଗେଟ ଦେଲା ଦ. ଆଫ୍ରିକା

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ୨୦୨୩ର ପ୍ରତ୍ୟେକ ମ୍ୟାଚରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି । ଅଧିକାଂଶ ମ୍ୟାଚରେ କେହି ନା କେହି ଖେଳାଳି ଶତକ ଅର୍ଜନ କରିଛନ୍ତି । ତେବେ ଲଗାତାର ୨ଟି ମ୍ୟାଚରେ ୨ଟି ଶତକ ହାସଲ କରିଛନ୍ତି ଦକ୍ଷିଣ ଆଫ୍ରିକାର ଷ୍ଟାର ଓପନର କ୍ୱିଣ୍ଟନ ଡି’ କକ୍ । ଶ୍ରୀଲଙ୍କା ପରେ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଶତକ ହାସଲ କରି ଏକ ବଡ଼ କୀର୍ତ୍ତିମାନ ରଚିଛନ୍ତି କ୍ୱିଣ୍ଟନ୍ । ଏହି ଶତକ ସହ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଏକ ବିରଳ ରେକର୍ଡ ନିଜ ନାମରେ କରିଛନ୍ତି ।

ଆଜି ବିଶ୍ୱକପର ଦଶମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା । ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । କିନ୍ତୁ ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟର କ୍ୱିଣ୍ଟନ ଡି’କକ୍ େଅଷ୍ଟ୍ରେଲିଆ ବୋଲରଙ୍କ ଉପରେ ଭାରୀ ପଡ଼ିଛନ୍ତି । ମାତ୍ର ୯୦ ବଳରେ ଚଳିତ ବିଶ୍ୱକପରେ ନିଜର ଲଗାତାର ଦ୍ୱିତୀୟ ଶତକ ହାସଲ କରିଛନ୍ତି ଡି’କକ୍ । ତେବେ ଏହି ଶତକ ବଳରେ ସେ ଏକ ବିରଳ ରେକର୍ଡର ଅଧିକାରୀ ପାଲଟିଛନ୍ତି । ଦିନିକିଆ ବିଶ୍ୱକପରେ ଶତକ ହାସଲ କରିଥିବା ଦକ୍ଷିଣ ଆଫ୍ରିକୀୟ ଖେଳାଳିଙ୍କ ତାଲିକାରେ ସାମିଲ ହୋଇଛନ୍ତି କ୍ୱିଣ୍ଟନ ଡି’କକ୍ । ଏହି ତାଲିକାରେ ସେ ତୃତୀୟ କେଳାଳି ଭାବରେ ସ୍ଥାନ ପାଇଛନ୍ତି । କ୍ୱିଣ୍ଟନଙ୍କ ଆଜିର ଶତକୀୟ ଇନିଂସରେ ୮ଟି ଚୌକା ଏବଂ ୫ଟି ଛକା ସାମିଲ ରହିଛି ।

କ୍ୱିଣ୍ଟନଙ୍କ ଶତକ ସହ ଏଡେନ ମାର୍କରମଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ଏକ ବଡ଼ ଟାର୍ଗେଟରେ ପହଞ୍ଚି ପାରିଛି । ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୩୧୨ ରନର ବଡ଼ ଟାର୍ଗେଟ ଦେଇଛି ଦକ୍ଷିଣ ଆଫ୍ରିକା । ତେବେ ଅଷ୍ଟ୍ରେଲିଆ ପକ୍ଷରୁ ଅଧିକାଂଶ ବୋଲର ଆଜି ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ତେବେ ମିଚେଲ ଷ୍ଟାର୍କ ଏବଂ ଷ୍ଟାର ଅଲରାଉଣ୍ଡର ଗ୍ଲେନ ମାକ୍ସୱେଲ ସଫଳ ବୋଲର ଭାବରେ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଛନ୍ତି । ଏହାବ୍ୟତୀତ ଷ୍ଟାର ବୋଲର ଜୋସ ହାଜେଲଉଡଙ୍କ ସମେତ ଅଧିନାୟକ ପ୍ୟାଟ୍ କମିନ୍ସ ଏବଂ ଆଡାମ୍ ଜାମ୍ପା ଗୋଟିଏ ଲେଖାଏଁ ସଫଳତା ଅର୍ଜନ କରିପାରିଛନ୍ତି ।

Get real time updates directly on you device, subscribe now.