ଆମର ବନ୍ଧକଙ୍କୁ ମୁକ୍ତ ନ କରାଯିବା ପର୍ଯ୍ୟନ୍ତ ମିଳିବନି ବିଜୁଳି, ଜଳ ଓ ଇନ୍ଧନ; ଗାଜାକୁ ଇସ୍ରାଏଲ ବଡ଼ ଚେତାବନୀ

ଓଡିଶା ଭାସ୍କର; ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ତୀବ୍ର ହୋଇଛି । ଇସ୍ରାଏଲ ଉପରେ ରକେଟ୍ ମାଡ କରିଚାଲିଛି ହମାସ। ସେହିପରି ପ୍ରତିଆକ୍ରମଣରେ ଇସ୍ରାଏଲ ଗାଜା ସହରକୁ ଅକ୍ତିଆର କରିବାକୁ ଯାଇ ଘନ ଘନ ଆକ୍ରମଣ ମଧ୍ୟ କରିଚାଲିଛି । ଯେଉଁଥିରେ ଅନେକ ସଂଖ୍ୟାର ଲୋକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଗାଜା ସହରକୁ ବିଦ୍ୟୁତ୍‌, ଇନ୍ଧନ, ଔଷଧ ଓ ଜଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରିରଖିଛି ଇସ୍ରାଏଲ । ସେପଟେ ଏଭଳି ଯୁଦ୍ଧ ଭିତରେ ଇସ୍ରାଏଲକୁ ଆମେରିକା ସାମରିକ ସହଯୋଗ କରିଥିବା ଦେଖିବାକୁ ମିଳିଛି । ଇସ୍ରାଏଲକୁ ବିଭିନ୍ନ କ୍ଷେପଣାସ୍ତ୍ର ଯୋଗାଇଛି ଆମେରିକା ।

ଅଲ୍ ଜଜିରା ରିପୋର୍ଟ ଅନୁଯାୟୀ, ତେବେ ଆଜି ଷଷ୍ଠ ଦିନରେ ଯୁଦ୍ଧ ଜାରି ରହିଥିବା ବେଳେ ଗାଜାକୁ ଚେତାବନୀ ଦେଇଛନ୍ତି ଇସ୍ରାଏଲର ଶକ୍ତି ମନ୍ତ୍ରୀ । ଯେ ପର୍ଯ୍ୟନ୍ତ ଆମର ବନ୍ଧକ ହୋଇଥିବା ଲୋକଙ୍କୁ ମୁକ୍ତ କରାଯାଇନାହିଁ, ସେ ପର୍ଯ୍ୟନ୍ତ ନା ବିଦ୍ୟୁତ୍‌ ସୁଇଚ ଅନ୍‌ ହେବ, ନା ୱାଟର ହାଇଡ୍ରାଣ୍ଟ ଖୋଲାଯିବ। ଇସ୍ରାଏଲ ପକ୍ଷରୁ ଏଭଳି ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଶକ୍ତି ମନ୍ତ୍ରୀ ଇସ୍ରାଏଲ କତାଜ।