ସତର୍କ କଲା ବିଦେଶୀ ପାଣିପାଗ ସଂସ୍ଥା: ଆସନ୍ତା ବର୍ଷ ଆସିପାରେ ‘Super El Nino’, ମୌସୁମୀ ସାଜିପାରେ ଭାରତ ପାଇଁ ସମସ୍ୟା
ନୂଆଦିଲ୍ଲୀ: ଆସନ୍ତା ୨୦୨୪ରେ ଉତ୍ତର ଗୋଲାର୍ଦ୍ଧରେ ‘ସୁପର ଏଲ ନିନୋ’ ଆସିବାର ସମ୍ଭାବନା ରହିଛି । ଏକ ବିଦେଶୀ ପାଣିପାଗ ସଂସ୍ଥା ଏନେଇ ଆକଳନ କରିଛି । ଏଲ ନିନୋ ଆସିବାର ପାଖାପାଖି ୮୦ ପ୍ରତିଶତ ସମ୍ଭାବନା ରହିଥିବା ବେଳେ ଏହା ବିଶ୍ୱବାସୀଙ୍କ ପାଇଁ ବଡ଼ ସମସ୍ୟା ସାଜିପାରେ । ଯଦି ଏହି ପୂର୍ବାନୁମାନ ସତ ହୁଏ ତେବେ ଭୀଷଣ ଗରମରେ ବିଶ୍ୱବାସୀ କଲବଲ ହେବେ ।
ଆମେରିକାର ପାଣିପାଗ ଏଜେନ୍ସି ନ୍ୟାସନାଲ ଓସେନିକ ଆଣ୍ଡ ଆଟମୋସ୍ଫିୟରିକ ଆଡମିନିଷ୍ଟ୍ରେସନ (ଏନଓଏଏ)ର ପୂର୍ବାନୁମାନ ଅନୁଯାୟୀ, ଭାରତ ଭଳି କୃଷି ପ୍ରଧାନ ଦେଶ ପାଇଁ ଏହା ଅଧିକ ଚିନ୍ତାଜନକ । ଦକ୍ଷିଣ ଭାରତରେ ଏହାର ପ୍ରଭାବ କମ୍ ରହିବ । କେଉଁଠି ଅଧିକ ମାତ୍ରାରେ ବର୍ଷା ହେବ ତ କେଉଁଟି ବର୍ଷା ହଜିଯିବ । ମୌସୁମୀରେ ଅନିୟମିତତା ମରୁଡ଼ିକୁ ଡାକି ଆଣିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । ଏପରିକି ଓଡ଼ିଶାରେ ମଧ୍ୟ କମ୍ ବର୍ଷା ହେବାର ସମ୍ଭାବନା ରହିଛି ।
ଯଦି ସୁପର ଏଲ ନିନୋ ଆସେ ତେବେ ଏହା ମଣିଷ ସମାଜ ସହିତ ସାରା ବିଶ୍ୱ ଉପରେ ପ୍ରଭାବ ପକାଇବ । ଖାଦ୍ୟ ଓ ଜଳର ଉପଲବ୍ଧତା ବହୁମାତ୍ରାରେ ପ୍ରଭାବିତ ହୋଇପାରେ । ଦକ୍ଷିଣ ଆମେରିକା ନିକଟରେ ପ୍ରଶାନ୍ତ ମହାସାଗର ଜଳସ୍ତର ଅସ୍ୱାଭାବିକ ଭାବେ ଉତ୍ତପ୍ତ ହେବା ଯୋଗୁଁ ଏଲ ନିନୋ ପ୍ରଭାବ ବଢ଼ିଥାଏ । ମାତ୍ର ଏଥର ଏହାର ପ୍ରଭାବ ଅତ୍ୟଧିକ ହେବାକୁ ଯାଉଥିବା ନେଇ ଆକଳନ କରାଯାଇଛି । ସୁପର ଏଲ ନିନୋ କାରଣରୁ ଭୂମଧ୍ୟସାଗରୀୟ ସାମୁଦ୍ରିକ ଜଳସ୍ତର ୧.୫ ଡିଗ୍ରୀ ବୃଦ୍ଧି ପାଇପାରେ । ଏହାଫଳରେ ବାୟୁମଣ୍ଡଳର ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇବାର ୩୦ ପ୍ରତିଶତ ସମ୍ଭାବନା ରହିଛି । ୧୯୯୭-୯୮ ଓ ୨୦୧୫-୧୬ରେ ଯେଉଁଭଳି ସ୍ଥିତି ଉପୁଜିଥିବା ତାହା ପୁଣି ଦେଖାଦେଇପାରେ ବୋଲି କୁହାଯାଉଛି । ସେ ସମୟରେ ଏଲ ନିନୋ କାରଣରୁ ବିଶ୍ୱସ୍ତରରେ ଅତ୍ୟଧିକ ତାପମାତ୍ର, ମରୁଡ଼ି, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା ।