ଓଡ଼ିଶା ଭାସ୍କର: ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ବଢିଲା ଚିନ୍ତା । ସାଜିଲା ମୁଣ୍ଡବ୍ୟଥାର କାରଣ । ଶ୍ରୀଲିଙ୍ଗରାଜ ମନ୍ଦିରର ଅଷ୍ଟଧାତୁ କଳସରେ ଦେଖିବାକୁ ମିଳିଛି ଫାଟ । ପୂର୍ବରୁ ରାହାପାଗରେ ଫାଟ ସମସ୍ୟା ସୁଧୁରିଥିଲେ ହେଁ ଏବେ ଆଉ ଗୋଟିଏ ବଡ଼ ସମସ୍ୟା ଦେଖିବାକୁ ମିଳିଛି । ଲିଙ୍ଗରାଜ ମନ୍ଦିରର ମୁଖ୍ୟ ମନ୍ଦିରରେ ଥିବା ଶ୍ରୀଲିଙ୍ଗ ଓ ଶକ୍ତିଙ୍କ ମଧ୍ୟରେ ଥିବା ସଂଯୋଗ ସ୍ଥାନ ‘କଣ୍ଠ’ରେ ଫାଟ ସୃଷ୍ଟିହୋଇଛି । ତେବେ କୁହାଯାଉଛି ଯେ ଦୀର୍ଘ ୨୫ ବର୍ଷ ହେଲା ଏଥିରେ କରାଳ ଦିଆଯାଉ ନାହିଁ । ଫଳରେ ପାଖାପାଖି ୧୨ ଇଞ୍ଚ ପର୍ଯ୍ୟନ୍ତ ଫାଟ ଥିବା ଦେଖିବାକୁ ମଳିଛି । ଏହି ଫାଟ ମରାମତି ନହେଲେ ମୁଖ୍ୟଲିଙ୍ଗ କ୍ଷୟ ହୋଇଯିବା ଆଶଙ୍କା ରହିଛି । ଶ୍ରୀଲିଙ୍ଗରାଜ ମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ ଓ ପୂଜାର୍ଚ୍ଚନା କରିବାକୁ ଆସନ୍ତି । ଭକ୍ତମାନେ ଶ୍ରୀଲିଙ୍ଗରାଜଙ୍କ ଉପରେ ଜଳଲାଗି, କ୍ଷୀର ଢାଳିବା, ରୁଦ୍ରାଭିଷେକ କରିବା, ମାଜଣା କରିବା ସହ ଘର୍ଷଣ ମଧ୍ୟ କରିଥାନ୍ତି । ମାନସିକ ପୂରଣ ପାଇଁ ଭକ୍ତମାନେ ଶ୍ରୀଲିଙ୍ଗ ଓ ଶକ୍ତିରେ ନୈବେଦ୍ୟ ଅର୍ପଣ କରିଥାନ୍ତି ।
ଶ୍ରୀଲିଙ୍ଗ ଓ ଶକ୍ତି ମଧ୍ୟରେ ଥିବା ସଂଯୋଗ ସ୍ଥଳ କଣ୍ଠରେ ଏହିସବୁ ସାମଗ୍ରୀ ଲାଗି ରୁହେ । ଫଳରେ ଏବେ ଏଠାରେ ୧୨ ଇଞ୍ଚ ପର୍ଯ୍ୟନ୍ତ ଫାଟ ସୃଷ୍ଟି ହୋଇଛି । ଯଦିଓ ଶକ୍ତିର ସୁରକ୍ଷା ପାଇଁ ଏକ ରୂପା ଆବରଣ ଦିଆଯାଉଛି, ଏହାର ମଝିରେ ଥିବା ଖାଲିସ୍ଥାନରେ କ୍ଷୀର ଓ ପାଦୁକ ଜମି ରହୁଛି । ପାଦୁକ ଶକ୍ତି ଓ ଶ୍ରୀଲିଙ୍ଗର ଏହି ସଂଯୋଗ ସ୍ଥାନରେ ଜମି ରହି ପୁରୁଣା ହେଉଛି । ଏହି ସଂଯୋଗ ସ୍ଥାନରେ ଫାଟ ବହୁ ପୁରୁଣା କାଳରୁ ରହିଥିବା ମନ୍ଦିର ଟ୍ରଷ୍ଟି ଅଗାଧୁ ପୂଜାପଣ୍ଡା କହିଛନ୍ତି । ଏହି ସ୍ଥାନରେ ଦେଖା ଦେଉଥିବା ଫାଟକୁ କରାଳ ଲଗାଯାଇ ବନ୍ଦ କରାଯାଏ । ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ କରାଳ ଯୋଗାଇବା ପରେ ସେବାୟତମାନେ କରାଳ ଲଗାଇଥାନ୍ତି ।
ସୂଚନା ଅନୁଯାୟୀ, ନୂଆ ଗାମୁଛା, ଝୁଣା, ଲାଖ, ଗୁଡ଼, ରାଶିତେଲ ଓ କର୍ପୂର ମିଶ୍ରଣରେ କରାଳ ପ୍ରସ୍ତୁତ କରାଯାଇଥାଏ । କରାଳ ଦୀର୍ଘଦିନ ହେବ ଦିଆଯାଇ ନଥିବାରୁ କଣ୍ଠ ଫାଙ୍କା ଦେଖାଯାଉଛି ବୋଲି ଶ୍ରୀ ପୂଜାପଣ୍ଡା କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ଏହି ଫାଙ୍କରେ ପାଦୁକ ଜମି ରହି ବେଳେ ବେଳେ ଦୁର୍ଗନ୍ଧ ସୃଷ୍ଟି ହେଉଛି । ସେହିପରି ଫଳ, ପଞ୍ଚାମୃତ, ଘିଅ, କ୍ଷୀର ଆଦି ସେଠାରେ ଜମି ରହିବା ଦ୍ୱାରା ଫାଙ୍କ ଦିନକୁ ଦିନ ବୃଦ୍ଧି ପାଉଛି । ଏଥିପ୍ରତି ଧ୍ୟାନ ଦିଆ ନଗଲେ ମୁଖ୍ୟଲିଙ୍ଗ ପ୍ରଭାବିତ ହେବାର ସବୁ ପ୍ରକାର ଆଶଙ୍କା ରହିଛି । ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହନ୍ତି, ‘‘ଆମେ ପିଲାବେଳୁ ଦେଖି ଆସିଛୁ, ବରିଷ୍ଠ ବଡ଼ୁ ସେବାୟତମାନେ ଶ୍ରୀଲିଙ୍ଗରାଜଙ୍କ କଣ୍ଠରେ କରାଳ ଦେଇଥାନ୍ତି । ଏହି କରାଳ ନଦେବାରୁ ଲିଙ୍ଗରେ ପ୍ରାୟ ଏକ ଫୁଟ୍ ଫାଟ ସୃଷ୍ଟି ହେଲାଣି । ଶକ୍ତି ଅସୁରକ୍ଷିତ ହୋଇପଡ଼ୁଛି । ଯଥାଶିଘ୍ର ଟ୍ରଷ୍ଟ ବୋର୍ଡ ଓ ପ୍ରଶାସନ ଏଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।