fbpx

ମହାବାତ୍ୟା ଅମ୍ଫାନ ନେଇ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିସନର କଣ କହିଲେ ,ଜାଣନ୍ତୁ

ଭୁବନେଶ୍ୱର, ୧୮ା୫(ଓଡ଼ିଶା ଭାସ୍କର): ମହାବାତ୍ୟା ଅମ୍ଫାନ ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଓ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ମହାବାତ୍ୟା ଉପରେ ରାଜ୍ୟ ସରକାର ତୀକ୍ଷଣ ନଜର ରଖିଛନ୍ତି । ଏହାସହ ମହାବାତ୍ୟା ମୁକାବିଲା ପାଇଁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି । ଉପକୂଳ ଓଡ଼ିଶାର ୧୨ଜିଲ୍ଲାପାଳଙ୍କ ସହ ସରକାର ସମ୍ପର୍କରେ ଅଛନ୍ତି । ବାତ୍ୟା ମୁକାବିଲା ଅଭିଜ୍ଞତା ଥିବା ଅଧିକାରୀଙ୍କୁ ପ୍ରଭାବିତ ଆଶଙ୍କା ଥିବା ୪ଜିଲ୍ଲାକୁ ପଠାଯାଇଛି । ବାତ୍ୟା ମୁକାବିଲା ପାଇଁ ୪ ଆଇଏଏସଙ୍କୁ ୪ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଆସନ୍ତାକାଲି ବାତ୍ୟା ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ମହାବାତ୍ୟା ମୁକାବିଲାକୁ ସରକାର ଗୁରୁତର ଭାବେ ଗ୍ରହଣ କରିଛନ୍ତ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ବାତ୍ୟା ଅମ୍ଫାନ ନେଇ ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ଯେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅମ୍ଫାନ ମହାବାତ୍ୟାର ରୂପ ନେଇଛି । ବଙ୍ଗୋପସାଗରରେ ଘଣ୍ଟାକୁ ୪କିଲୋମିଟର ବେଗରେ ଆଗକୁ ବଢ଼ୁଛି ଅମ୍ଫାନ । ୨୦ତାରିଖ ଅପରାହ୍ନରେ ଦୀଘା-ହାତିଆ ମଧ୍ୟରେ ସ୍ଥଳଭାଗ ଛୁଇଁବ । ମହାବାତ୍ୟାର ପ୍ରକୋପରେ ଓଡ଼ିଶାରେ ବର୍ଷା ପ୍ରବଳରୁ ଅତିପ୍ରବଳ ହେବ । ଉପକୂଳ ଓଡ଼ିଶାରେ ୧୧୦ରୁ ୧୨୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ପବନରେ ହୋର୍ଡ଼ିଂ ଉଡ଼ିଯାଇ ଧନ ଜୀବନ ହାନିର ଆଶଙ୍କା ରହିଥିବାରୁ ଉପକୂଳ ଓଡ଼ିଶାର ସହରୁ ହୋର୍ଡ଼ିଂ ହଟାଇବା କାମ ଆରମ୍ଭ ହୋଇଛି । ୨୪୫ଟି ଫାଷ୍ଟ ରେସ୍ପନ୍ସ ଟିମ୍ ୧୨ ଜିଲ୍ଲାରେ ନିୟୋଜିତ ହୋଇଛନ୍ତି । ମହାବାତ୍ୟା ପରେ ସ୍ଥିତି ସୁଧାରିବା ପାଇଁ ସବୁ ଟିମ୍ କାମରେ ଲାଗିବେ ବୋଲି ସ୍ୱତନ୍ତ୍ର ରିଲିଫ କମିସନର କହିଛନ୍ତି ।

Get real time updates directly on you device, subscribe now.