ଗଗନଯାନ ମିଶନର ଆଜି ପ୍ରଥମ ପରୀକ୍ଷଣ ଉଡ଼ାଣ, ଜାଣନ୍ତୁ କେଉଁଠାରେ ଦେଖିପାରିବେ ଲାଇଭ୍ ଟେଲିକାଷ୍ଟ

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଆଜି ଅର୍ଥାତ୍ ୨୧ ଅକ୍ଟୋବର ସକାଳ ୭ ଟାରୁ ୯ ଟା ମଧ୍ୟରେ ଶ୍ରୀହରିକୋଟାରେ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଗଗନଯାନ ମିଶନ ପାଇଁ ମାନବରହିତ ଉଡ଼ାଣ ପରୀକ୍ଷଣ କରିବ ।

ଚନ୍ଦ୍ରଯାନ -୩ ମିଶନର ସଫଳତା ଏବଂ ଆଦିତ୍ୟ ଏଲ୍ -୧ ର ଶୁଭାରମ୍ଭ ପରେ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବା ପାଇଁ ଭାରତର ଉଚ୍ଚାଭିଳାଷୀ ମିଶନ ଗଗନଯାନ ମିଶନ୍ ଆଡକୁ ପ୍ରଥମ ପଦକ୍ଷେପ ନେବାକୁ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ।

ଭବିଷ୍ୟତର ମାନବ ସ୍ପେସ୍ ପ୍ରୋଗ୍ରାମକୁ ଦୃଷ୍ଟିରେ ରଖି ମହାକାଶଚାରୀଙ୍କ ସୁରକ୍ଷା ପରୀକ୍ଷା କରିବାକୁ ଇସ୍ରୋ ଆଜି ସକାଳ ୮:୦୦ ରେ ମାନବରହିତ ଉଡ଼ାଣ ପରୀକ୍ଷଣ ଆରମ୍ଭ କରିବ । ଇସ୍ରୋ ପ୍ରଥମେ ପରୀକ୍ଷଣ ଯାନ ଅବବଟ୍ ମିଶନ୍ -୧ (ଟିଭି-ଡି ୧) ମାଧ୍ୟମରେ କ୍ରୁ ମଡ୍ୟୁଲ୍ ପରୀକ୍ଷା କରିବ ।

ଦର୍ଶକମାନେ ଇସ୍ରୋର ୱେବସାଇଟ୍ (isro.gov.in)ରେ ଗଗନଯାନର ଲଞ୍ଚିଂ ଦେଖିପାରିବେ । ଏହା ସହିତ ୱେବସାଇଟର ଫେସବୁକ୍ ପେଜ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଆପଣ ଦେଖିପାରିବେ । ଜାତୀୟ ଚ୍ୟାନେଲ ଦୂରଦର୍ଶନରେ ମଧ୍ୟ ଲଞ୍ଚିଂର ସିଧା ପ୍ରସାରଣ ହେବ ।

ତେବେ ଇସ୍ରୋ ‘ଗଗନଯାନ’ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କ୍ରୁ ଏସ୍କେପ୍ ସିଷ୍ଟମ (ଜରୁରୀକାଳୀନ ପଳାୟନ ବ୍ୟବସ୍ଥା )ର ଫଳପ୍ରଦ ପରୀକ୍ଷା କରିବ, ଯାହା ଫଳରେ ୨୦୨୪ ସୁଦ୍ଧା ବାହ୍ୟ ମହାକାଶକୁ ମାନବରହିତ ଏବଂ ମାନବଯୁକ୍ତ ଅଭିଯାନ ଆରମ୍ଭ ହେବ । ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରେ ଏହି ପରୀକ୍ଷଣ କରାଯିବ । ‘ଗଗନଯାନ’ ଅଭିଯାନ ସମୟରେ ମହାକାଶଚାରୀ ମାନଙ୍କ କ୍ରୁ ମଡ୍ୟୁଲ୍ ମହାକାଶକୁ ନେଇ ଯିବ।

ଏହି ପରୀକ୍ଷଣରେ ବାହ୍ୟ ମହାକାଶକୁ ଏକ କ୍ରୁ ମଡ୍ୟୁଲ୍ ଉତକ୍ଷେପଣ କରିବା ଏବଂ ଏହାକୁ ପୃଥିବୀକୁ ଫେରାଇ ଆଣିବା ଏବଂ ବଙ୍ଗୋପସାଗରରେ ଏହା ସ୍ପର୍ଶ କରିବା ପରେ ଏହାକୁ ପୁନରୁଦ୍ଧାର କରିବା ଅନ୍ତର୍ଭୁକ୍ତ । ଭାରତୀୟ ନୌସେନାର ଯବାନମାନେ ମଡ୍ୟୁଲକୁ ଉଦ୍ଧାର କରିବା ପାଇଁ ମକ୍ ଅପରେସନ ଆରମ୍ଭ କରି ସାରିଛନ୍ତି।

ଏହି ପରୀକ୍ଷଣର ସଫଳତା ପ୍ରଥମ ମାନବବିହୀନ ‘ଗଗନଯାନ’ ଅଭିଯାନ ଏବଂ ଶେଷରେ ପୃଥିବୀର ନିମ୍ନ କକ୍ଷ ପଥରେ ମହାକାଶକୁ ମାନବଯୁକ୍ତ ଅଭିଯାନ ପାଇଁ ମଞ୍ଚ ପ୍ରସ୍ତୁତ କରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଚୂଡ଼ାନ୍ତ ମାନବଯୁକ୍ତ ‘ଗଗନାୟନ’ ଅଭିଯାନ ପୂର୍ବରୁ ଆସନ୍ତା ବର୍ଷ ଏକ ପରୀକ୍ଷାମୂଳକ ଉଡ଼ାଣ ହେବ, ଯେଉଁଥିରେ ମହିଳା ରୋବଟ୍ ମହାକାଶଚାରୀ ‘ବ୍ୟୋମମିତ୍ର’ ରହିବେ ।

‘ଗଗନଯାନ’ ପ୍ରକଳ୍ପରେ ମାନବ ଦଳଙ୍କୁ ୪୦୦ କିଲୋମିଟର କକ୍ଷପଥକୁ ଉତକ୍ଷେପଣ କରି ଏବଂ ଭାରତୀୟ ସମୁଦ୍ର ଜଳରେ ଅବତରଣ କରାଇ ସେମାନଙ୍କୁ ସୁରକ୍ଷିତ ଭାବେ ପୃଥିବୀକୁ ଫେରାଇ ଆଣି ମାନବ ମହାକାଶ ଯାତ୍ରା କ୍ଷମତା ପ୍ରଦର୍ଶନ କରାଯିବ ବୋଲି ପରିକଳ୍ପନା କରାଯାଇଛି । ‘ଗଗନଯାନ’ ଅଭିଯାନର ପ୍ରାଥମିକତା ମଧ୍ୟରେ ମାନବ ଦଳ ମାନଙ୍କୁ ସୁରକ୍ଷିତ ଭାବେ ମହାକାଶକୁ ନେବା ପାଇଁ ମାନବ ରେଟେଡ୍ ଲଞ୍ଚ ଯାନ, ମହାକାଶରେ ମାନବ ଦଳଙ୍କୁ ପୃଥିବୀ ପରି ପରିବେଶ ପ୍ରଦାନ କରିବା ପାଇଁ ଜୀବନ ସହାୟତା ବ୍ୟବସ୍ଥା, ମାନବ ଦଳର ଜରୁରୀକାଳୀନ ପଳାୟନ ବ୍ୟବସ୍ଥା ଏବଂ ଚାଳକ ଦଳଙ୍କୁ ପ୍ରଶିକ୍ଷଣ, ପୁନରୁଦ୍ଧାର ଏବଂ ଥଇଥାନ ପାଇଁ ଚାଳକ ଦଳ ପରିଚାଳନା ଦିଗ ବିକଶିତ କରିବା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଜ୍ଞାନକୌଶଳର ବିକାଶ ଅନ୍ତର୍ଭୁକ୍ତ ।