fbpx

ଭାରତ ପାଇଁ ପୁଣି ଏକ ସ୍ୱର୍ଣ୍ଣ ଜିତିଲେ ଅଙ୍କୁର ଧାମା: ପୁରୁଷ ୫୦୦୦ ମିଟର T11 ଇଭେଣ୍ଟରେ ମିଳିଲା ବଡ଼ ସଫଳତା

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉଠାରେ ଗତ ୨୨ ତାରିଖଠାରୁ ଆରମ୍ଭ ହୋଇଥିବା ୪ର୍ଥ ଏସୀୟ ପାରା କ୍ରୀଡ଼ାରେ ଭାରତର ଶାନଦାର ପ୍ରଦର୍ଶନ ଜାରି ରହିଛି । ଭାରତୀୟ କ୍ରୀଡ଼ାବିତମାନେ ବର୍ତ୍ତମାନ ସୁଦ୍ଧା ୬ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ଜିତିବା ସହିତ ମୋଟ ପଦକ ସଂଖ୍ୟା ୧୭ରେ ପହଞ୍ଚିଛି । ଏହି ପ୍ରଦର୍ଶନ ପରେ ଭାରତ ତୃତୀୟ ସ୍ଥାନରେ ରହିଥିବା ବେଳେ ଚୀନ ପ୍ରଥମ, ଆଇଆର ଇରାନ ଦ୍ୱିତୀୟ ଓ ଉଜବେକିସ୍ଥାନ ତୃତୀୟ ସ୍ଥାନରେ ରହିଛନ୍ତି ।

ତେବେ ଆଜି ପୁରୁଷ ୫୦୦ ମିଟର ଟି୧୧ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଭାରତ ପାଇଁ ଅଙ୍କୁର ଧାମା ଏହି ସଫଳତା ହାସଲ କରିଛନ୍ତି । ଅଙ୍କୁର ୧୬:୩୭:୨୯ ମିନିଟରେ ପୋଡିୟମ ସ୍ପଟରେ ପହଞ୍ଚି ରେସିଂରେ ପ୍ରତିପକ୍ଷକୁ ସହଜରେ ପଛରେ ପକାଇ ଦେଇଥିଲେ । କିରଗିଜସ୍ତାନର ଅବଦୁଭାଲାଇ ୧୭:୧୮:୭୪ ମିନିଟରେ ରେସିଂ ସମାପ୍ତ କରି ରୌପ୍ୟ ପଦକ ଜିତିଥିବା ବେଳେ ଏହି ଇଭେଣ୍ଟରେ କାହାକୁ ବ୍ରୋଞ୍ଜ ପଦକ ମିଳିନଥିଲା । ହଂକଂର ଲି ଚୁନ ଫି ୧୮:୪୧:୪୦ ମିନିଟ ସମୟ ନେଇ ଶେଷରେ ରହିଥିଲେ ।

ବର୍ତ୍ତମାନ ସୁଦ୍ଧା ଭାରତ ୧୭ଟି ପଦକ ଜିତିଥିବା ବେଳେ ଆଥଲେଟିକ୍ସରେ ୧୧ଟି ପଦକ ହାସଲ କରିଛି । ସେଥିମଧ୍ୟରେ ୫ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ରହିଛି । ଗତ ୨୦୧୮ ଇଣ୍ଡୋନେସିଆ ଏସୀୟ ପାରା କ୍ରୀଡ଼।।ରେ ଭାରତ ମୋଟ ୭୨ଟି ପଦକ ଜିତିଥିଲା, ଯାହାକି ଭାରତର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ଏଥର ଭାରତୀୟ କ୍ରୀଡ଼ାବିତମାନେ ଉକ୍ତ ରେକର୍ଡକୁ ଅତିକ୍ରମ କରିବାର ସମ୍ଭାବା ରହିଛି । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଏହି ଇଭେଣ୍ଟ ଚାଲିବ । ଏହି ଇଭେଣ୍ଟରେ ଚଳିତ ଥର ୩୦୯ ଜଣ ଭାରତୀୟ ଆଥଲେଟ୍ ଭାଗନେଉଥିବା ବେଳେ ସେଥିମଧ୍ୟରେ ୧୯୬ ଜଣ ପୁରୁଷ ଓ ୧୧୩ ଜଣ ମହିଳା ରହିଛନ୍ତି । ୪ ବର୍ଷ ପୂର୍ବେ ଅନୁଷ୍ଠିତ ହୋଇଥିବା ଜାକର୍ତ୍ତା ସଂସ୍କରଣରେ ଭାରତର ୧୮୮ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.