fbpx

ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ପଦକ୍ଷେପ: ଖୁବଶୀଘ୍ର ରାଜ୍ୟରେ ଖୋଲିବ ୨୦ଟି HDU, ଡାକ୍ତର ଓ ନର୍ସଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାରକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ରାଜ୍ୟରେ ମାତୃ ମୃତ୍ୟୁହାର ୧୧୯ ରହିଥିବା ବେଳେ ଶିଶୁ ମୃତ୍ୟୁହାର ୩୬ ରହିଛି । ତେଣୁ ଏଭଳି ସ୍ଥିତିରେ ମାତୃ ଓ ଶିଶୁ ମୃତ୍ୟୁହାରକୁ ରୋକିବା ନିହାତି ଜରୁରୀ ହୋଇ ପଡ଼ିଛି । ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ଏକ ସ୍ୱତନ୍ତ୍ର ପଦକ୍ଷେପ ହାତକୁ ନେଇଛି ।

ସୂଚନା ମୁତାବକ, ଅନେକ ସମୟରେ ଗର୍ଭବତୀ ମହିଳାମାନେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥାନ୍ତି । ତେଣୁ ସେମାନଙ୍କୁ ନିରାପଦ ମାତୃତ୍ୱ ପ୍ରଦାନ ଲକ୍ଷ୍ୟରେ ରାଜ୍ୟ ସରକାର ଖୁବଶୀଘ୍ର ୨୦ଟି ହାଇ ଡିପେଣ୍ଡେନ୍ସି ୟୁନିଟ (ଏଚଡିୟୁ) ଖୋଲିବାକୁ ଯାଉଛନ୍ତି । ବର୍ତ୍ତମାନ ରାଜ୍ୟର କୋରାପୁଟ, କଳାହାଣ୍ଡି, କେନ୍ଦୁଝର, ଢେଙ୍କାନାଳ ଓ ରାଜଧାନୀ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ୫ଟି ଏଚଡିୟୁ ରହିଛି । ନୂଆ ଏଚଡିୟୁରେ ୪୦ ଜଣ ଡାକ୍ତର ଓ ୮୦ ଜଣ ନର୍ସଙ୍କୁ ନିଯୁକ୍ତି ମିଳିବ । ସେଥିପାଇଁ ସେମାନଙ୍କୁ ଏକ ମାସ ଧରି ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି ।

ପ୍ରଶିକ୍ଷଣ ନେଇଥିବା ଡାକ୍ତର ଓ ନର୍ସମାନେ ଏଚଡିୟୁରେ ଦାୟିତ୍ୱ ସମ୍ଭାଳିବେ । ପ୍ରତି ଏଚଡିୟୁରେ ୨ ଜଣ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତର ଓ ୨ ଜଣ ନର୍ସ ରହିବେ । ୧୪ଟି ବ୍ୟାଚକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଶିକ୍ଷଣ କର୍ଯ୍ୟକ୍ରମ ଆୟୋଜିତ ହେବ । ପ୍ରଥମ ବ୍ୟାଚରେ ଅନୁଗୁଳ, କେନ୍ଦୁଝର ଓ କ୍ୟାପିଟାଲ ହସ୍ପିଟାଲ ଡାକ୍ତର ଓ ନର୍ସଙ୍କୁ ଟ୍ରେନିଂ ଦିଆଯାଇଛି । ଉଚ୍ଚ ରକ୍ତଚାପ, ମଧୁମେହ, ବାତ, ରକ୍ତହୀନତା, ହୃଦରୋଗ, ରକ୍ତହୀନତାରେ ପୀଡ଼ିତ ଗର୍ଭବତୀମାନେ କିପରି ନିରାପଦରେ ମାତୃତ୍ୱ ଲାଭ କରିପାରିବେ ସେନେଇ ପ୍ରଶିକ୍ଷଣ ଦିଆଯାଉଛି ।

Get real time updates directly on you device, subscribe now.