fbpx
BJD SKY
BJD SKY

ଜାନୁଆରୀ ମାସ ସୁଦ୍ଧା କାର୍ଯ୍ୟରେ ଯୋଗଦେବେ ୨୦ ହଜାର କନିଷ୍ଠ ଶିକ୍ଷକ: ରାଜ୍ୟର ୫୮ଟି କେନ୍ଦ୍ରରେ ଚାଲିଛି ପରୀକ୍ଷା

BJD

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ସମଗ୍ର ଶିକ୍ଷା ଯୋଜନାରେ ୨୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ, ଆସନ୍ତା ଜାନୁଆରୀ ମାସ ସୁଦ୍ଧା କାର୍ଯ୍ୟରେ ଯୋଗଦେବେ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ– ଓସେପା ପକ୍ଷରୁ ସୂଚନା ମିଳିଛି । କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ପାଇଁ ବର୍ତ୍ତମାନ ରାଜ୍ୟର ୫୮ଟି କେନ୍ଦ୍ରରେ ପରୀକ୍ଷା ଚାଲିଛି । ଆସନ୍ତା ୧୭ ତାରିଖରେ ଏହି ପରୀକ୍ଷା ଶେଷ ହେବ ।

ପରୀକ୍ଷା ପରିଚାଳନାକୁ ତ୍ରୁଟିଶୂନ୍ୟ କରିବା ଲାଗି ନିୟମିତ ଭାବେ ସମୀକ୍ଷା କରାଯାଉଛି । ଆସନ୍ତା ଡିସେମ୍ବର ମାସ ତୃତୀୟ ସପ୍ତାହ ବେଳକୁ ପରୀକ୍ଷାଫଳ ପ୍ରକାଶ ପାଇବ ଏବଂ ଜାନୁଆରୀ ମାସ ବେଳକୁ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ତେବେ ପରୀକ୍ଷାକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସମସ୍ତ ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାସ୍ତରରେ ଜିଲା ଶିକ୍ଷା ଅଧିକାରୀମାନେ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରୀକ୍ଷା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତିର ଠିକ୍‌ ବିବରଣୀ ପ୍ରଦାନ କରିଛନ୍ତି। ଜିଲାପାଳମାନେ ନିଜ ଜିଲାର ପରୀକ୍ଷା କେନ୍ଦ୍ରର ସୁପରିଚାଳନା ନିମନ୍ତେ ନୋଡାଲ ଅଫିସର ନିଯୁକ୍ତ କରିଛନ୍ତି। ପ୍ରତ୍ୟେକ ଜିଲାର ପୋଲିସ ଅଧିକାରୀ ପରୀକ୍ଷା କେନ୍ଦ୍ରରେ ପୋଲିସ୍‌ ଡିପ୍ଲୋମେଣ୍ଟ ନିମନ୍ତେ ପଦକ୍ଷେପ ନେଇଛନ୍ତି।

ରାଜ୍ୟସ୍ତରରେ ବିଭାଗ ସମେତ ଅନ୍ୟ ନିର୍ଦ୍ଦେଶାଳୟର ୧୮ଜଣ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଜିଲା ଦାୟିତ୍ୱ ଦିଆଯାଇଛି। ବରିଷ୍ଠ ଅଧିକାରୀମାନେ ପରୀକ୍ଷା ଦିନଗୁଡିକରେ ଜିଲା ଗସ୍ତ କରିବା ସହ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଶାନ୍ତିଶୃଙ୍ଖଳା ସହିତ ପରୀକ୍ଷା କାର୍ଯ୍ୟର ତଦାରଖ କରିବେ। ପିଲାଙ୍କ ଆଡ୍‌ମିଟ୍‌ କାର୍ଡ ସମସ୍ୟାର ସମାଧାନ ପାଇଁ ଓସେପାରେ ଏକ ସୁବିଧା କେନ୍ଦ୍ର ଖୋଲାଯାଇଛି। ଏତଦ୍‌ବ୍ୟତୀତ ୪ଟି ସହର ଯଥା- ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର ଓ କୋରାପୁଟ ଜିଲାରେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସହାୟକ କେନ୍ଦ୍ର ସହିତ ଓସେପା କାର୍ଯ୍ୟାଳୟ ପରିସରରେ ଏକ କମାଣ୍ଡ ସେଣ୍ଟର ଖୋଲାଯାଇଛି। ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସି କ୍ୟାମେରା ଦ୍ୱାରା ପରୀକ୍ଷାର ଲାଇଭ୍‌ ଷ୍ଟ୍ରିମିଂ ହୋଇପାରିବ। ପରୀକ୍ଷା ସୁପରିଚାଳନା ନିମନ୍ତେ ନିଆଯାଇଥିବା ଏସବୁ ପଦକ୍ଷେପ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

Get real time updates directly on you device, subscribe now.