fbpx

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର: ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ । ପରେ ପଶ୍ଚିମ, ଉତ୍ତର ଓ ପଶ୍ଚିମ ଦିଗରେ ଗତିକରି ଆହୁରି ଘନୀଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପ ପ୍ରଭାବରେ ୧୫ ତାରିଖରୁ ଓଡ଼ିଶା ଭିଜିବ । ଦକ୍ଷିଣ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବା ସହ କେତେକ ସ୍ଥାନରେହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।

ବିଶେଷକରି ମାଲକାନଗିରି, କୋରାପୁଟ, ରାୟଗଡ଼ା, କଟକ, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ବର୍ଷା ହେବା ନେଇ ଆକଳନ କରାଯାଇଛି । ୧୬ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ୧୦ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୭ ଓ ୧୮ ତାରିଖରେ ସାରା ରାଜ୍ୟରେ ପାଗ ମେଘୁଆ ରହିବ ଓ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ପାଣିପାଗ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସତର୍କ ସୂଚନା ଦିଆଯାଇଛି ।

ଅମଳଯୋଗ୍ୟ ହୋଇଥିବା ଧାନକୁ ଯଥାସମ୍ଭବ ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ବର୍ଷାପରେ ଓଡ଼ିଶାକୁ ପୂର୍ବ ଦିଗରୁ ଗରମ ଶୁଷ୍କ ପବନ ପ୍ରବାହିତ ହେବ । ଫଳରେ ରାତିର ତାପମାତ୍ରାରେ ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ବୃଦ୍ଧିର ସମ୍ଭାବନା ରହିଛି । ଏବେ ଉତ୍ତର- ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କପବନ ପ୍ରବାହିତ ହେଉଥିବାରୁ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଛି । କିନ୍ତୁ ବାୟୁମଣ୍ଡଳରେ ଜଳୀୟବାଷ୍ପ ପରିମାଣ ନଥିବା ତଥା ମେଘମୁକ୍ତ ଆକାଶ ଏବଂ ସୂଯ୍ୟଙ୍କ ପ୍ରଖର କିରଣ ପାଇଁ ଦିନରେ ଗରମ ଅନୁଭୂତ ହେଉଛି । ତେବେ ପାହାନ୍ତିଆ ଏବଂ ସନ୍ଧ୍ୟା ସମୟରେ ସାମାନ୍ୟ ଶୀତୁଆ ଲାଗୁଥିବା ଦେଖାଯାଉଛି ।

Get real time updates directly on you device, subscribe now.