ନୂଆଦିଲ୍ଲୀ: ନଭେମ୍ବର ୧୯ ତାରିଖ ଭାରତୀୟ କ୍ରୀଡ଼ା ଇତିହାସ ପାଇଁ ଏକ ଅଶୁଭ ଦିନ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । କେତେ ଆଶା ଥିଲା, କେତେ ସ୍ୱପ୍ନ ଥିଲା… ସବୁ କିଛି କେଇ ଘଣ୍ଟାରେ ମିଳେଇ ଗଲା । ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମ୍ୟାଚ ଦେଖୁଥିବା ଲକ୍ଷାଧିକ ଦର୍ଶକ ନିମିଷକ ମଧ୍ୟରେ ସ୍ଥାଣୁ ପାଲଟି ଯାଇଥିଲେ । ଦେଶର ୧୪୦ କୋଟି ଜନତାଙ୍କ କାହାକୁ ଦୋଷ ଦେଇ ପାରିନଥିଲେ । କେବଳ ଭାଗ୍ୟକୁ ଆଦରି ନିରାଶ ହୋଇ ରହିଥିଲେ । ଖେଳାଳିଙ୍କ ଠାରୁ ଆରମ୍ଭ କରି ଦର୍ଶକ ସମସ୍ତଙ୍କର ଆଖି ଛଳ ଛଳ ହୋଇଉଠିଥିଲା ।
ଚଳିତ ବିଶ୍ୱକପରେ ଭାରତ ପ୍ରଥମ ଦଳ ଭାବେ ଫାଇନାଲ ପୂର୍ବରୁ ଅପରାଜେୟ ରହିଥିଲା । ତେବେ ପୁଣି ଥରେ ଭାରତ ଆଇସିସିର ବଡ଼ ଟୁର୍ଣ୍ଣାମେଣ୍ଟରେ ବିଫଳ ସାବ୍ୟସ୍ତ ହୋଇଛି । କୌଣସି ଖେଳାଳି, କୌଣସି ଦଳ ଯେତେ ଫର୍ମରେ ଥିଲେ ଠିକ୍ ସମୟରେ ଠିକ୍ ରଣନୀତି ପ୍ରୟୋଗ କରିନପାରିଲେ ଦଳ ହାରିବା ସ୍ୱାଭାବିକ । ତେବେ ପରାଜୟର କାରଣ ଖୋଜିଲେ ତ ଅନେକ କାରଣ ବାହାରିବ । କିଏ ଭଲ ବୋଲିଂ କଲାନି, କିଏ ଭଲ ବ୍ୟାଟଂ କଲା, କିଏ କ୍ୟାଚ ଛାଡ଼ିଲା …. ଆଦି ।
ତେବେ ଟିମ୍ ଇଣ୍ଡିଆର ପରାଜୟର ପାଇଁ ମୁଖ୍ୟତଃ ୩ଟି ବଡ଼ କାରଣ ଦାୟୀ । ତାହା ହେଉଛି ମାତ୍ରାଧିକ ଆତ୍ମବିଶ୍ୱାସ, ଅଧିକ ଚାପ ଓ ବେପରୁଆ ପ୍ରଦର୍ଶନ । ଅଧିନାୟକ ରୋହିତ ଶର୍ମା ସେମିଫାଇନାଲରେ ଯେଉଁ ଆକ୍ରମଣାତ୍ମକ ଖେଳ ଖେଳିଥିଲେ ତାହାକୁ ସେ ଫାଇନାଲରେ ପୁନରାବୃତ୍ତି କରିଥିଲେ । ଶୁବମନ୍ ଗିଲ ଆଉଟ୍ ହେବା ପରେ ବଡ଼ ସଟ୍ ଖେଳିବା ଆଦୌ ଉଚିତ ନୁହେଁ । ରୋହିତ ଓ ବିରାଟ କୋହଲି ହେଉଛନ୍ତି ଟିମ୍ ଇଣ୍ଡିଆର ଦୁଇ ଖୁଣ୍ଟ, ଅନ୍ୟ କେହି ସେମାନଙ୍କର ସମକକ୍ଷ ନୁହନ୍ତି ଏହା ଅଧିନାୟକ ଭାବିବାର ଥିଲା । ଭାରତୀୟ ଦଳ ଘରୋଇ ମାଟିରେ ବିଶ୍ୱକପ ଜିତିବାକୁ ନେଇ ଅଧିକ ଅଧୈର୍ଯ୍ୟ ଓ ଚାପଗ୍ରସ୍ତ ହୋଇ ପଡ଼ିଥିଲା ।
ଭାରତୀୟ ଖେଳାଳି କୌଣସି ରଣନୀତି ନେଇ ପଡ଼ିଆକୁ ଓହ୍ଲାଇଥିବା ଭଳି ମନେ ହେଉନଥିଲା । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଚିରଚରିତ ଢଙ୍ଗରେ ଧୀରସ୍ଥିର ଭାବେ ଖେଳି, ସୁଚତୁର ରଣନୀତି ଆପଣାଇ ବିଶ୍ୱ ଚାମ୍ପିୟନ ହୋଇଥିଲା । ଲିଗ୍ ପର୍ଯ୍ୟାୟରେ ସହଜରେ ମ୍ୟାଚ ଜିତିଗଲା ବୋଲି ଭାରତ ଫାଇନାଲରେ ସହଜରେ ଜିତିଯିବ ଭାବୁଥିଲା, ଏହା ହିଁ ଆମର ଭୁଲ୍ ଥିଲା ବୋଲି ମାନିବାକୁ ପଡ଼ିବ । ଶତ୍ରୁ ଯେତେ ଦୁର୍ବଳ ହେଲେ ବି ତାକୁ କଦାପି ହେୟ ଜ୍ଞାନ କରିବା ଅନୁଚିତ । ବର୍ଷ ବର୍ଷ ଧରି ଭାରତ ଏହି ଭୁଲ୍ କରିଆସିଛି । ବିଶ୍ୱକପ ବିଜୟ ପୂର୍ବରୁ ଭାରତରେ ଯେଉଁ ମାହୋଲ ସୃଷ୍ଟି ହୋଇଥିଲା ରଣନୀତି ପ୍ରସ୍ତୁତିରେ ସେତିକି ସମୟ ଦେଇଥିଲେ ବୋଧହୁଏ ଭଲ ହୋଇଥାନ୍ତା । ଭଲ ଖେଳାଳି ଥାଆନ୍ତୁ ବା ନ ଥାଆନ୍ତୁ କେବଳ ସୁରଣନୀତି ପାଇଁ ହିଁ ଅଷ୍ଟ୍ରେଲିଆ ବାରମ୍ବାର ବିଶ୍ୱ ଚାମ୍ପିୟନ ହୋଇପାରୁଛି ।
୨୦୧୫ ବିଶ୍ୱକପ ସେମିଫାଇନାଲରେ ଓ ୨୦୨୩ ଫାଇନାଲରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଅଷ୍ଟ୍ରେଲିଆ ବୋଲରଙ୍କ ବଲରୁ ଗୋଟିଏ ରନ୍ କରିବାକୁ ଅକ୍ଷମ ହୋଇଥିଲେ । ଏହା ହିଁ ଆମର ବ୍ୟାଟିଂର ବଡ଼ ଦୁର୍ବଳତା । ଭାରତର ମଧ୍ୟମ ଓ ନିମ୍ନ କ୍ରମ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ନଥିଲା । ଜଣେ ଖେଳାଳି ଭଲ ପ୍ରଦର୍ଶନ କରିଦେବା ଫଳରେ ଅନ୍ୟମାନଙ୍କର ତ୍ରୁଟି ସାମ୍ନାକୁ ଆସିପାରିନଥିଲା । ଘରୋଇ ମାଟିରେ ଯଦି ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରିଦେଉଛନ୍ତି ସେମାନଙ୍କୁ ପ୍ରଶଂସାରେ ପୋତି ଦିଆଯାଉଛି । ଏହା ଆମର ବୋକାମି ଛଡ଼ା ଆଉ କିଛି ନୁହେଁ । ଭାରତରେ ଶତକ କରୁଥିବା, ୫ଟି ୱିକେଟ ନେଉଥିବା ବ୍ୟାଟ୍ସମ୍ୟାନ ଓ ବୋଲର ବିଦେଶ ମାଟିରେ ଚିତପଟାଙ୍ଗ ମାରୁଛନ୍ତି । ଫାଇନାଲରେ ଭାଗ୍ୟ ଭାରତର ସାଥ୍ ଦେଇ ନଥିଲା ଏହା ହିଁ କହିବା ଠିକ୍ ହେବ । ଭାରତୀୟ କ୍ରିକେଟକୁ ଆଗକୁ ନେବାକୁ ହେଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇକୁ ଆହୁରି ଅନେକ ସଂସ୍କାର ଆଣିବାକୁ ପଡ଼ିବ । ଭଲ ଖେଳିଲେ ଦଳ ମ୍ୟାଚ ଜିତିପାରେ, ମ୍ୟାଚ ଚାମ୍ପିୟନ ହେବାକୁ ହେଲେ ‘ସ୍ୱତନ୍ତ୍ର ଷ୍ଟ୍ରାଟେଜି’ ଆପଣାଇବାକୁ ପଡ଼ିବ ।