fbpx

ସୁଡ଼ଙ୍ଗରେ ଫସିଥିବା ପୁଅକୁ ଅପେକ୍ଷା କଲେ ୧୭ ଦିନ: ଶେଷରେ ଆଖିବୁଜିଲେ ଶ୍ରମିକଙ୍କ ବାପା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ସିଲକ୍ୟାରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକ ବର୍ତ୍ତମାନ ବାହାରକୁ ଆସିଛନ୍ତି। ସେମାନଙ୍କ ପରିବାର ଗତ ୧୭ ଦିନ ଧରି ଏହି ଶ୍ରମିକମାନଙ୍କୁ ଅପେକ୍ଷା କରିଥିଲେ। ତେବେ ଶ୍ରମିକମାନେ ବାହାରକୁ ଆସିବା ପରେ ସେମାନଙ୍କ ମୁହଁରେ ଖୁସି ଝଲସି ଉଠିଛି। କିନ୍ତୁ ଏହି ୪୧ ଜଣ ଶ୍ରମିକଙ୍କ ମଧ୍ୟରେ ଜଣେ ଶ୍ରମିକଙ୍କ ଜୀବନରେ ଘୋଟି ଯାଇଛି ଦୁଃଖର କଳା ବାଦଲ । ତାଙ୍କ ମୁଣ୍ଡ ଉପରୁ ତାଙ୍କ ପିତାଙ୍କ ଛାୟା ସବୁଦିନ ପାଇଁ ଉଠିଯାଇଛି। ଏହି ଶ୍ରମିକ ଜଣଙ୍କ ହେଲେ ପୂର୍ବ-ସିଂହଭୂମ ଜିଲ୍ଲାର ବାସିନ୍ଦା ଭକ୍ତୁ ମୁର୍ମୁ।

ଗତକାଲି ରାତିରେ ସିଲକ୍ୟାରା ଟନେଲରୁ ନିରାପଦରେ ବାହାରକୁ ଆସିବା ପରେ ତାଙ୍କୁ ପିତାଙ୍କ ଦେହାନ୍ତ ବିଷୟରେ ସୂଚନା ଦିଆଯାଇଥିଲା। ତେବେ ପିତାଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରେ ଭକ୍ତୁ କାନ୍ଦିବାକୁ ଲାଗିଥିଲେ। ଗତ ୧୭ ଦିନ ଧରି ଟନେଲ ଭିତରେ ଅଟକି ରହିଥିବା ବେଳେ ସେ ଆଶା କରିଥିଲେ ଯେ ସେ ବାହାରକୁ ଆସି ପ୍ରଥମେ ନିଜ ପିତାଙ୍କୁ ଭେଟିବେ । କିନ୍ତୁ ଭାଗ୍ୟର ନିର୍ଦ୍ଦେଶ କିଛି ଅଲଗା ଥଲା । ଭକ୍ତୁ ବାହାରକୁ ବାହାରିବା ପୂର୍ବରୁ ତାଙ୍କ ପିତା ହୃଦଘାତରେ ଆଖିବୁଜି ସାରିଥିଲେ ।

ସୂଚନା ଅନୁଯାୟୀ, ୨୯ ବର୍ଷୀୟ ଭକ୍ତୁ ପୂର୍ବ-ସିଂହଭୂମ ଜିଲ୍ଲାର ବ୍ୟାଙ୍କିସେଲ ପଞ୍ଚାୟତର ବାହାଡା ଗାଁର ବାସିନ୍ଦା। ତେବେ ଗତ ୧୨ ତାରିଖରେ ତାଙ୍କ ୭୦ ବର୍ଷୀୟ ପିତା ଗାଁରେ ଥିବାବେଳେ ତାଙ୍କ ଟନେଲ ଭୁଶୁଡ଼ି ଥିବା ଖବର ପାଇଥିଲେ । ଏହା ସହିତ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ମଧ୍ୟରେ ତାଙ୍କ ପୁଅ ମଧ୍ୟ ଥିବା ଜାଣିବାକୁ ପାଇଥିଲେ । ତେବେ ଗତକାଲି ସକାଳେ, ଜଳଖିଆ ଖାଇବା ପରେ ସେ ଖଟ ଉପରେ ବସିଥିବା ବେଳେ ହଠାତ ଖଟରୁ ତଳେ ପଡ଼ି ଯାଇଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ଦୁଃର୍ଘଟଣାର ମାନସିକ ଆଘାତ ସହିନପାରି ପୁଅର ସ୍ମୃତିରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରୀ ରିପୋର୍ଟରୁ ଜଣାପଡ଼ିଛି।

Get real time updates directly on you device, subscribe now.