fbpx

ରାଜସ୍ଥାନରେ ଅନ୍ୟ ଜଣେ ଯୋଗୀଙ୍କୁ ନେଇ ବଢୁଛି ଚର୍ଚ୍ଚା, ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି ଜନତା

ଜୟପୁର: ରାଜସ୍ଥାନରେ ଗେହଲଟଙ୍କ ଯାଦୁ ଚାଲିବ କି ୫ ବର୍ଷ ପରେ ସରକାର ବଦଳିବାର ଟ୍ରେଣ୍ଡ ଜାରି ରହିବ ଏହା ୩ ଡିସେମ୍ବରରେ ନିର୍ବାଚନ ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ । ଫଳାଫଳ ପୂର୍ବରୁ ଆସିଥିବା ଏକଜିଟ୍ ପୋଲ୍ ପରିଣାମ କଂଗ୍ରେସ ଓ ବିଜେପି ଉଭୟଙ୍କ ହୃଦସ୍ପନ୍ଦନ ବଢାଇଦେଇଛି । ଏକ୍‌ଜିଟ୍ ପୋଲ୍ ରିପୋର୍ଟରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଆକଳନରୁ ଜଣାପଡିଛି କଂଗ୍ରେସ ୮୬ରୁ ୧୦୬ ଓ ବିଜେପି ୮୦ରୁ ୧୦୦ ସିଟ୍ ଦଖଲ କରିପାରେ । ତେବେ ଆଜତକ୍ Axis My India Exit Poll ର ସର୍ଭେରେ ମୁଖ୍ୟମନ୍ତ୍ରୀ ପଦ ଲାଗି ଏପରି ଏକ ନାମ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି ।

ଏହି ପୋଲ୍‌ରେ ଅଶୋକ ଗେହଲଟ ଜନତାଙ୍କ ପ୍ରଥମ ପସନ୍ଦ ରହିଥିବା ବେଳେ ଏହି ଲିଷ୍ଟରେ ୨ୟ ନମ୍ବରରେ ବସୁନ୍ଧରା ରାଜେ କି ସଚିନ ପାଇଲଟ୍‌ଙ୍କ ନାମ ନୁହେଁ ବରଂ ରହିଛି ମହନ୍ତ ବାଳକନାଥ ଯୋଗୀଙ୍କ ନାମ । ବାଳକନାଥ ଯୋଗୀଙ୍କୁ ସର୍ଭେରେ ସାମିଲ ୧୦% ଲୋକ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହାନ୍ତି ।
କିଏ ଏହି ବାଳକନାଥ ଯୋଗୀ?

ମହନ୍ତ ବାଳକନାଥ ଯୋଗୀ ଅଲୱରରୁ ସାଂସଦ ଅଛନ୍ତି । ବିଜେପି ତାଙ୍କୁ ତିଜାରା ବିଧାନସଭା ଆସନରୁ ନିର୍ବାଚନରେ ଛିଡା କରିଛି । ବିଜେପିର ଫାୟାରବ୍ରାଣ୍ଡ ନେତାଙ୍କ ମଧ୍ୟରେ ସାମିଲ ବାବା ବାଳକନାଥ ଯୋଗୀ ଆଦିତ୍ୟନାଥଙ୍କ ପରି ବେଶଭୂଷା ଧାରଣ କରନ୍ତି । ଏହି କାରଣରୁ ତାଙ୍କୁ ଲୋକମାନେ ରାଜସ୍ଥାନର ଯୋଗୀ କହିଥାନ୍ତି ।

ଅଲୱର ଓ ଏହାର ଆଖପାଖ ଅଞ୍ଚଳରେ ବାବା ବାଳକନାଥଙ୍କ ବେଶ୍ ନାଁ ରହିଛି । ଏହି କାରଣରୁ ବିଜେପି ବିଧାନସଭା ନିର୍ବାଚନରେ ତାଙ୍କ ଉପରେ ଭରସା ସ୍ଥାପନ କରିଛି । ସେ ବିଜେପିର ହିନ୍ଦୁତ୍ୱବାଦୀ ଏଜେଣ୍ଡା ଅନୁଯାୟୀ ପୁରା ଫିଟ୍ ବୋଲି ଦଳ ମନେକରୁଛି । ମହନ୍ତ ବାଳକନାଥ ଯୋଗୀଙ୍କ ଜନ୍ମ ୧୬ ଏପ୍ରିଲ ୧୯୮୪ରେ ରାଜସ୍ଥାନର ଅଲୱର ଜିଲ୍ଲା କୋହରାନା ଗ୍ରାମରେ ଏକ କୃଷକ ପରିବାରରେ ହୋଇଥିଲା । ତାଙ୍କ ପରିବାର ପିଢି ପରେ ପିଢି ଜନକଲ୍ୟାଣ ଓ ସାଧୁ ସନ୍ଥଙ୍କ ସେବା କରି ଆସୁଛନ୍ତି ।

ମାତ୍ର ୬ ବର୍ଷ ବୟସରୁ ସେ ଆଧ୍ୟାତ୍ମ ପଥରେ ଯାତ୍ରା କରି ଘର ଛାଡିଥିଲେ ଓ ମହନ୍ତ ଚାନ୍ଦନାଥଙ୍କ ପାଖରେ ରହି ଶିକ୍ଷା ଦୀକ୍ଷା ଗ୍ରହଣ କରିଥିଲେ । ତାଙ୍କର ବାଳକ ପରି ପ୍ରବୃତ୍ତିକୁ ଦେଖି ମହନ୍ତ ଚାନ୍ଦ ନାଥ ତାଙ୍କୁ ବାଳକନାଥ ବୋଲି ଡାକୁଥିଲେ । ୨୦୧୬ରେ ସେ ମହନ୍ତ ଚାନ୍ଦ ନାଥଙ୍କ ଉତ୍ତରାଧିକାରୀ ହୋଇଥିଲେ । ବାବା ବାଳକନାଥ ହିନ୍ଦୁ ଧର୍ମର ନାଥ ସଂପ୍ରଦାୟର ୮ମ ସନ୍ଥ ଅଟନ୍ତି । ଏହା ବ୍ୟତିତ ସେ ବାବା ମସ୍ତନାଥ ବିଶ୍ୱବିଦ୍ୟାଳୟର ଚାନସେଲର ମଧ୍ୟ ଅଟନ୍ତି । ଯେଉଁ ନାଥ ସଂପ୍ରଦାୟ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜଡିତ ସେହି ସଂପ୍ରଦାୟ ସହ ବାବା ବାଳକନାଥ ବି ଜଡିତ । ଯୋଗୀଙ୍କ ପରି ବାଳକନାଥ ମଧ୍ୟ ନିଜର ଆକ୍ରାମକ ବକ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ୨୦୧୯ରେ ସେ ପ୍ରଥମ ଲୋକସଭା ନିର୍ବାଚନରେ ବିଜୟ ଲାଭ କରିଥିଲେ ।

Get real time updates directly on you device, subscribe now.