fbpx

ସେଲଫି ମିଛ କହୁଛି! ମୁହଁର ଗଠନକୁ ବିଗାଡ଼ିବା ସହିତ ନାକକୁ ଲମ୍ବା ଓ ଚଉଡ଼ା କରିଦେଉଛି, ରିସର୍ଚ୍ଚ ଖୋଲିଲା ନୂଆ ରହସ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ଓ ଇଣ୍ଟରନେଟର ବ୍ୟବହାର ବହୁଳ ଭାବେ ବଢ଼ିବାରେ ଲାଗିଛି । ତେଣୁ ଯୁବପୀଢ଼ିଙ୍କ ମଧ୍ୟରେ ସେଲଫି ନେବାର ଏକପ୍ରକାରର ପ୍ରତିଯୋଗିତା ଚାଲିଛି । ନୂଆ ସ୍ଥାନକୁ ବୁଲିବାକୁ ଗଲେ, ନୂଆ ସାଙ୍ଗ ଦେଖାହେଲେ ଆଜିର ଯୁବପୀଢ଼ି ସେଲଫି ନେବାକୁ ଜମାରୁ ଭୁଲି ନଥାନ୍ତି । ତେବେ କ୍ଷଣିକ ଖୁସି ଦେଉଥିବା ଏହି ସେଲଫି ଆପଣଙ୍କ ଜୀବନରେ ଅଶାନ୍ତି ଆଣିପାରେ ।

ସୂଚନା ମୁତାବକ, ସେଲଫିକୁ ନେଇ ହୋଇଛି ଏକ ଭୟଙ୍କର ଖୁଲାସା । ସେଲଫି ମିଛ କହୁଛି । ଆପଣମାନେ ଯଦି ନିଜର ଚେହେରାକୁ ଦେଖି ଖୁସି ହେଉଛନ୍ତି ତେବେ ତାହାକୁ ଏବେଠାରୁ ଭୁଲି ଯାଆନ୍ତୁ । ଅନେକ ସମୟରେ ସେଲଫି ନେବା କାରଣରୁ ଅନେକ ଲୋକ ମୃତ୍ୟୁବରଣ କରିଥିବାର ଦେଖାଯାଇଛି । ତେବେ ସେଲଫି ନେବା ଦ୍ୱାରା ତାହା ଜଣଙ୍କର ମୁହଁକୁ ଫଟୋରେ ବିଗାଡ଼ିବା ସହିତ ନାକକୁ ଲମ୍ବା ଓ ଚଉଡ଼ା କରିଦେଉଛି । ଆମେରିକାର ୟୁନିଭରସିଟି ଅଫ୍ ସାଉଥୱେଷ୍ଟନ ମେଡିକାଲ ସେଣ୍ଟରର ଏକ ଷ୍ଟଡିରୁ ଗତବର୍ଷ ଏଭଳି ଏକ ଖୁଲାସା ହୋଇଥିଲା ।

ରିପୋର୍ଟ ମୁତାବକ, ଯଦି ଜଣେ ବ୍ୟକ୍ତି ୩୦ ସେମି ଦୂରତାରୁ ସେଲଫି ନିଏ, ତେବେ ଏ କ୍ଷେତ୍ରରେ ଉକ୍ତ ବ୍ୟକ୍ତିଙ୍କ ନାକ ବାସ୍ତବ ଆକାରଠାରୁ ୬.୪ ପ୍ରତିଶତ ଲମ୍ବା ଦେଖାଯାଇଥାଏ । ସେହିପରି ଯଦି ଜଣେ ୪୫ ସେମି ଦୂରତାରୁ ସେଲଫି ନିଏ ସେ କ୍ଷେତ୍ରରେ ନାକ ବାସ୍ତବ ଆକାରଠାରୁ ୪.୩ ପ୍ରତିଶତ ଲମ୍ବା ଦେଖାଯାଇଥାଏ । ଏହାର ଅର୍ଥ ହେଉଛି ସେଲଫି ଆପଣଙ୍କର ଚେହେରାକୁ ଫଟୋରେ ଖରାପ କରିଦେଇଥାଏ । ଏହାଛଡ଼ା ଆପଣଙ୍କର ମୁହଁର ଥୋଡ଼ିର ଫଟୋ ମଧ୍ୟ ସେଲଫିରେ ବଦଳି ଯାଇଥାଏ ।

ଯଦି ଆପଣ ୩୦ ସେମି ଦୂରତାରୁ ସେଲଫି ନିଅନ୍ତି, ତେବେ ଆପଣଙ୍କର ଥୋଡ଼ି ୧୨ ପ୍ରତିଶତ କମ୍ ଲମ୍ବା ଦେଖାଯାଏ । ସେହିପରି ଯଦି ସେଲଫି ୪୫ ସେମି ଦୂରତାରୁ ନିଆଯାଏ, ତେବେ ଥୋଡ଼ି ୧୭ ପ୍ରତିଶତ କମ୍ ଲମ୍ବା ଦେଖାଯାଏ । ବାସ୍ତବରେ ଆମେ ଆମର ହାତର ଲମ୍ବା ଦୂରତାରେ ରହି ସେଲଫି ନେଇଥାଉ । ସେଲଫି ଆମର ଶରୀରକୁ ବିଗାଡ଼ି ଦେଉଥିବା ନେଇ ଅନେକ ଦେଶରେ ଲୋକମାନେ ଅଧିକ ଚିନ୍ତାରେ ପଡ଼ିଯାଇଥିଲେ । ଏପରିକି ବ୍ରିଟେନରେ ଅନେକ ଲୋକ ନିଜର ନାକର ସର୍ଜରୀ କରିବାକୁ ମଧ୍ୟ ଆଗେଇ ଆସିଥିଲେ । ଅସଲ କଥା ହେଉଛି, ସେଲଫି ଅନେକ ସମୟରେ ମିଛ କହିଥାଏ । ତେଣୁ ସେଲଫିକୁ ନେଇ ଆମ ମନରେ ଥିବା ଭ୍ରମାତ୍ମକ ଧାରଣାକୁ ଦୂରେଇବା ନିହାତି ଜରୁରୀ । ସେଲଫି ଦ୍ୱାରା ଆମେ ଆମର ଫଟୋକୁ ସିନା ଆକର୍ଷଣୀୟ କରିପାରିବା, କିନ୍ତୁ ହୃଦୟ ଭିତରେ ବସିଥିବା ହୀନ ଭାବନାକୁ ନୁହେଁ । ନିଜକୁ ମିଛ ସୌନ୍ଦର୍ଯ୍ୟରେ ସଜେଇବା ଅପେକ୍ଷା ବାସ୍ତବ ଦୁନିଆରେ ରହିବା ଯଥେଷ୍ଟ ଭଲ ।

Get real time updates directly on you device, subscribe now.