ପ୍ରଦୂଷଣମୁକ୍ତ ହେବ ନଦୀ ଜଳ: ଗଙ୍ଗୁଆ ଓ ଦୟାର ସଂଯୋଗ ସ୍ଥାନରେ ଟ୍ରିଟମେଣ୍ଟ ପ୍ଲାଣ୍ଟ କରିବାକୁ ନିଷ୍ପତି
ଓଡିଶା ଭାସ୍କର: ଦୟା ନଦୀ ଜଳକୁ ପ୍ରଦୂଷଣମୁକ୍ତ ରଖିବା ଦିଗରେ ଆଲୋକପାତ କରିଛନ୍ତି 5-T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନଗର ଉନ୍ନୟନ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମକୁ ସେ ନିର୍ଦ୍ଦେଶ ଦେଇଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବା ସଂକ୍ରାନ୍ତରେ ଆଜି 5-T ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ବିଭିନ୍ନ ପ୍ରତିଷ୍ଠାନର ଦୂଷିତ ଜଳକୁ ସ୍ୱେରେଜ ଲାଇନ୍ ସହିତ ସଂଯୋଗ କରିବା ପାଇଁ ବର୍ତ୍ତମାନ ବ୍ୟାଧତାମୂଳକ କରାଯିବ ବୋଲି ଏହି ବୈଠକରେ ନିଷ୍ପତି ନିଆଯାଇଛି। ଏହା ସହିତ ଈଗଉର ସବୁ ଘର ଯେପରି ସ୍ୱେରେଜ ଲାଇନ୍ ସହିତ ଶୀଘ୍ର ସଂଯୁକ୍ତ ହୋଇପାରିବ ସେଥିପାଇଁ ସଚେତନତା ସୃଷ୍ଟି କରିବା ଲାଗି ଭି.କେ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଥାଉକି, ଭୁବନେଶ୍ୱରରେ ୱାଟ୍କୋ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ସ୍ୱେରେଜ କାମ ଚାଲିଛି। ବିଭିନ୍ନ ଏଜେନ୍ସି ସହ ସମନ୍ୱୟ ରକ୍ଷାକରି କାମ କଲେ ଜନସାଧାରଣଙ୍କ ବିଶେଷ ଅସୁବିଧା ହେବ ନାହିଁ ବୋଲି ମତଦେବା ସହିତ ସ୍ୱେରେଜ କାମ ତ୍ୱରାନ୍ୱିତ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ଏବଂ ବସ୍ତି ସମେତ ସହରର ସବୁ ଅଞ୍ଚଳ ଯେପରି ସ୍ୱେରେଜ ବ୍ୟବସ୍ଥା ସହିତ ସଂଯୁକ୍ତ ହେବ ସେଦିଗରେ ପଦକ୍ଷେପ ନେବା ପାଇଁ ଶ୍ରୀ ପାଣ୍ଡିଆନ ୱାଟ୍କୋକୁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ଦୟା ନଦୀର ଜଳକୁ ବିଶୁଦ୍ଧ କରିବା ପାଇଁ ଦୟା ଓ ଗଙ୍ଗୁଆର ସଂଯୋଗ ସ୍ଥଳରେ ୱାଟ୍କୋ ପକ୍ଷରୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳଯୁକ୍ତ ଏକ ବିଶୋଧନ ପ୍ଲାଣ୍ଟ ନିର୍ମାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।