fbpx

ଧୋନୀଙ୍କ ସହ ୧୫ କୋଟିର ଦୁର୍ନୀତି! ପୁରୁଣା ବିଜନେସ ପାର୍ଟନରଙ୍କ ଉପରେ କେସ୍ କଲେ କ୍ୟାପଟେନ କୁଲ

ନୂଆଦିଲ୍ଲୀ: କ୍ରିକେଟ୍ ପଡ଼ିଆ ପରେ ବ୍ୟବସାୟ ପିଚ୍‌ରେ ଚମତ୍କାର ବ୍ୟାଟିଂ କରୁଥିବା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଏବେ ସେ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ବ୍ୟବସାୟରେ ୧୫ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି ଯେଉଁଥିରେ ସେ ତାଙ୍କର ଜଣେ ପୂର୍ବତନ ବ୍ୟବସାୟିକ ଭାଗିଦାରୀଙ୍କ ବିରୋଧରେ କେସ କରିଛନ୍ତି।

ମନି କଣ୍ଟ୍ରୋଲର ଏକ ରିପୋର୍ଟ ଅନୁଯାୟୀ, ଧୋନୀଙ୍କ ସହ ହୋଇଥିବା ଏହି ଜାଲିଆତି କ୍ରୀଡା ପରିଚାଳନା କମ୍ପାନୀ ଆର୍କା ସ୍ପୋର୍ଟସ ମ୍ୟାନେଜମେଣ୍ଟ ଦ୍ୱାରା କରାଯାଇଛି। ବର୍ତ୍ତମାନ ଏ ସମ୍ପର୍କରେ ଆର୍କା ସ୍ପୋର୍ଟସ ମ୍ୟାନେଜମେଣ୍ଟ କମ୍ପାନୀର ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଧୋନୀଙ୍କ ଓକିଲ କହିଛନ୍ତି ଯେ, ଧୋନୀଙ୍କ କମ୍ପାନୀ ସହ ହୋଇଥିବା ଗୋଟିଏ କାରବାର ଭୁଲ ହୋଇଛି ଯେଉଁଥିରେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ୧୫ କୋଟି ଟଙ୍କା ଠକାଯାଇଛି।

ଧୋନୀଙ୍କ ପ୍ରତିନିଧିତ୍ୱ କରୁଥିବା ବିଦୀ ଆସୋସିଏଟ୍ସର ଦିନାନନ୍ଦ ସିଂ କହିଛନ୍ତି ଯେ, ଆର୍କା ସ୍ପୋର୍ଟସ ମ୍ୟାନେଜମେଣ୍ଟର ମିହିର ଦିୱାକର ଏବଂ ସୋମିଆ ବିଶ୍ୱାସଙ୍କ ବିରୋଧରେ ମାମଲା ଦାୟର କରାଯାଇଛି। ସେ କହିଛନ୍ତି ଯେ କମ୍ପାନୀ ଏବଂ ଧୋନୀ ୨୦୧୭ରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। କମ୍ପାନୀ ସେହି ଚୁକ୍ତିନାମାର ସର୍ତ୍ତାବଳୀ ଆଜି ପର୍ଯ୍ୟନ୍ତ ପୂରଣ କରି ନାହିଁ।

ପୂର୍ବତନ ଭାରତୀୟ ଅଧିନାୟକ ଏବଂ ଆର୍କା ସ୍ପୋର୍ଟସ୍ ମ୍ୟାନେଜମେଣ୍ଟ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ଏକ ବିଶ୍ୱ କ୍ରିକେଟ୍ ଏକାଡେମୀ ପ୍ରତିଷ୍ଠା ବିଷୟରେ ଥିଲା। ଚୁକ୍ତିନାମା ଅନୁଯାୟୀ, ଫ୍ରାଞ୍ଚାଇଜ୍ ଫି ପାଇଁ କମ୍ପାନୀ ଦାୟୀ ଏବଂ କମ୍ପାନୀକୁ ଧୋନୀଙ୍କୁ ମଧ୍ୟ ଲାଭରେ ଅଂଶ ଦେବାକୁ ପଡିବ। ଧୋନୀଙ୍କ ଓକିଲ ଦାବି କରିଛନ୍ତି ଯେ କମ୍ପାନୀ ଏହି ଚୁକ୍ତିନାମାକୁ ପୂରଣ କରିନାହିଁ ଏବଂ ବୃତ୍ତିଗତ ସମ୍ପର୍କକୁ ଭାଙ୍ଗି ଦେଇଛି।

Get real time updates directly on you device, subscribe now.