fbpx

କାଲିଠୁ ପରିବହନ ଶ୍ରମିକ ସଙ୍ଘର ଧର୍ମଘଟ: ଦେଖାଦେବ ତେଲ ଅଭାବ ସମସ୍ୟା

ଓଡିଶା ଭାସ୍କର: ଆସନ୍ତାକାଲିଠାରୁ ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ। ଫଳରେ ତେଲ ଡିପୋରୁ ପେଟ୍ରୋଲ, ଡିଜେଲ ଲୋଡିଂ ବନ୍ଦ ରହିବ। ଏଣୁ ଏହାକୁ ନେଇ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସଭାପତି କହିଛନ୍ତି, ଯଦି ପୁଣି ଧର୍ମଘଟ ହୁଏ, ସୋମବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ପେଟ୍ରୋଲ ପମ୍ପରେ ପୁଣି ତେଲ ଅଭାବ ଦେଖାଦେବ।

ତେବେ ଆନ୍ଦୋଳନ ନେଇ ଆଜି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ସଭାପତି ଜନାର୍ଦ୍ଦନ ପତି କହିଛନ୍ତି, ଆସନ୍ତାକାଲିଠାରୁ ରାଜ୍ୟରେ ଧର୍ମଘଟ ଆରମ୍ଭ ହେବ। ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ଗାଡ଼ି ଚାଳକଙ୍କ ପାଇଁ ଥିବା ଦଣ୍ଡବିଧାନକୁ ବିରୋଧ କରି ଏହି ଧର୍ମଘଟର ଡାକରା ଦିଆଯାଇଛି। କାରଣ ଏଇଟା ଶ୍ରମିକମାନଙ୍କ ବେକରେ ଫାଶୀ ଲଗାଇଲା ଭଳି ହୋଇଛି। କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପ୍ରତ୍ୟାକ୍ଷାନ କରୁଛି। ଏଣୁ ଆମର ଦାବି ଯଥାଶୀଘ୍ର କେନ୍ଦ୍ର ସରକାର ଏହି ଆଇନ୍‌କୁ ପ୍ରତ୍ୟାହାର କରନ୍ତୁ। ଏହି ଆଇନ୍‌କୁ ପ୍ରତ୍ୟାହାର ନହେଲେ ଆଗାମୀ ଦିନରେ ସମଗ୍ର ଭାରତ ବର୍ଷରେ ଆନ୍ଦୋଳନ ହେବ। ଏହା ସହ ସେ କହିଛନ୍ତି, ଆମେ ଚାହୁଁଛୁ ଓଡ଼ିଶା ସରକାର ଡ୍ରାଇଭରଙ୍କୁ ନ୍ୟାୟ ଦିଅନ୍ତୁ। ଆଇନ୍‌କୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାନ୍ତୁ। କିନ୍ତୁ ରାଜ୍ୟ ସରକାର ଯଦି ପୁଲିସ୍‌ ଲଗାଇ ଡ୍ରାଇଭରମାନଙ୍କ ଆନ୍ଦୋଳନକୁ ଦମନ କରିବାକୁ ଉଦ୍ୟମ କରନ୍ତି, ତାହାହେଲେ ବୁଝିବାକୁ ପଡ଼ିବ ରାଜ୍ୟ ସରକାର କୌଣସି ଶାନ୍ତିପୂର୍ଣ୍ଣ ପଦକ୍ଷେପ ନେବାକୁ ଚାହୁଁ ନାହାନ୍ତି।

ଅନ୍ୟପଟେ ଏହି ଧର୍ମଘଟ ସମ୍ପର୍କରେ ଉତ୍କଳ ପେଟ୍ରୋଲିୟମ୍‌ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, ଡ୍ରାଇଭର ଆନ୍ଦୋଳନ ଯୋଗୁ ଶନିବାର ଅଧିକାଂଶ ପେଟ୍ରୋଲ ପମ୍ପରେ ଷ୍ଟକ ବହୁତ କମି ଯାଇଥିଲା। ମାଲକାନଗିରି, ନବରଙ୍ଗପୁର କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ପେଟ୍ରୋଲ ପମ୍ପରେ ତେଲ ସଙ୍କଟ ଦେଖାଦେଇଥିଲା। ଶେଷରେ ଶନିବାର ସନ୍ଧ୍ୟାରେ ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହାର ପରେ ଡିପୋରୁ ୨୫-୩୦ ପ୍ରତିଶତ ଟ୍ୟାଙ୍କରରେ ତେଲ ଲୋଡିଂ ହୋଇପାରିଛି। ରବିବାର ସତ୍ତ୍ୱେ ଆଜି ସକାଳୁ କିଛି ଡିପୋରୁ ଅଳ୍ପ କିଛି ଟ୍ୟାଙ୍କରରେ ତେଲ ଲୋଡ ହୋଇଛି। କିନ୍ତୁ ଆସନ୍ତାକାଲିଠାରୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ପୁଣି ଧର୍ମଘଟ ହେଲେ ସନ୍ଧ୍ୟା ସୁଦ୍ଧା ପ୍ରାୟ ପେଟ୍ରୋଲ ପମ୍ପରେ ପୁଣି ତେଲ ଅଭାବ ଦେଖାଦେବ। ତେଣୁ ତେଲ ଯୋଗାଣ ସ୍ଵାଭାବିକ କରିବା ନେଇ ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସୂଚନା ଥାଉକି, କେନ୍ଦ୍ର ସରକାର ନିକଟରେ ୩ ନୂଆ ଅପରାଧିକ ଆଇନ ପ୍ରଣୟନ କରିଛନ୍ତି। ଯଦି କୌଣସି ଟ୍ରକ୍‌ କିମ୍ବା ଡମ୍ପର ଡ୍ରାଇଭର କାହା ଉପରେ ଗାଡ଼ି ମାଡ଼ କରନ୍ତି ଏବଂ ତାଙ୍କର ମୃତ୍ୟୁ ହୋଇଯାଏ, ତା’ହେଲେ ଡ୍ରାଇଭରଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ମିଳିବ। ଏଥିସହ ସେମାନଙ୍କୁ ୭ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିବ। ତେବେ ପୂର୍ବରୁ ଯେଉଁ ଆଇନ୍‌ ଥିଲା ସେଥିରେ ହିଟ୍‌ ଆଣ୍ଡ ରନ୍ ମାମଲାରେ ଫସିଥିବା ଡ୍ରାଇଭରଙ୍କୁ ବେଶ୍‌ ଅଳ୍ପ ଦିନ ମଧ୍ୟରେ ଜାମିନ ମିଳି ଯାଉଥିଲା। ଆଉ ଦୁଇ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ଥିଲା। ତେବେ କେନ୍ଦ୍ର ସରକାରଙ୍କ ଏହି ହିଟ ଆଣ୍ଡ ରନ ନୂଆ ଆଇନକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ।

 

Get real time updates directly on you device, subscribe now.