fbpx

କାଳିଆ ଛାତ୍ରବୃତ୍ତିରେ ସଂଶୋଧନ କଲେ ରାଜ୍ୟ ସରକାର

ରାଜ୍ୟ ସରକାର କାଳିଆ ଛାତ୍ରବୃତ୍ତିରେ ସଂଶୋଧନ କରିଛନ୍ତି । ଏହାଦ୍ୱାରା ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ଛାତ୍ରବୃତ୍ତି ପାଇଁ ଛାତ୍ରଛାତ୍ରୀମାନେ ଆଜିଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଛାତ୍ରଛାତ୍ରୀଙ୍କୁ ବୃତ୍ତିଗତ ଉଚ୍ଚଶିକ୍ଷା ପାଇଁ ଏହା ପ୍ରଦାନ କରାଯିବ । ଛାତ୍ରଛାତ୍ରୀମାନେ www. scholarship.odisha.gov.in ରେ ଆବେଦନ କରିପାରିବେ ।

କୃଷି ଭବନରେ ସୋମବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି, ବୃତ୍ତିଗତ କିମ୍ୱା ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ପାଇଁ ଅଲ୍‌ଇଣ୍ଡିଆ ସର୍ଭେ ଅନ୍‌ ହାୟାର ଏଜୁକେସନ୍‌(ଏଆଇଏସ୍‌ଏଚ୍‌ଇ) କୋଡ ପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଛି। ଏହାସହ ସମସ୍ତ ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଛି। ନୂତନ ଭାବେ ବିବିଏ ଓ ବିସିଏ ପାଠ୍ୟକ୍ରମକୁ ସାମିଲ କରାଯାଇଛି। ସ୍ନାତକ ପାଠ୍ୟକ୍ରମରେ ଏମ୍‌ଟେକ୍‌, ଏମ୍‌ଏସ୍‌ (ଏଗ୍ରି), ଏମ୍‌ଏସ୍‌ସି (ଫରେଷ୍ଟ୍ରି), ମେଡିକାଲ ସାଇନ୍ସରେ ପିଜି ପାଠ୍ୟକ୍ରମ, ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଫାର୍ମ ପରି ବୃତ୍ତିଗତ ଓ ବୈଷୟିକ ପାଠ୍ୟକ୍ରମ ଓ ତତୁଲ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ଏହାସହ ପି.ଏଚ୍‌.ଡି ପାଠ୍ୟକ୍ରମକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଏଥିପାଇଁ ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ୪ ବର୍ଷ ପାଇଁ ବୃତ୍ତି ପ୍ରଦାନ କରାଯିବ। ଏନ୍‌ଆଇଟି, ଆଇଆଇଟି, ଆଇଆଇଏମ୍‌, ଏମସ୍‌, ଆଇସିଏଆର୍‌, ଆଇଏଆର୍‌ଆର୍‌, ଆଇଭିଆର୍‌ଆଇ, ସିଆଇଏଫ୍‌ଇ, ଏନ୍‌ଡିଆର୍‌ଆଇ, ଆଇଜର, ନାଇଜର ପରି ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.