ନୂଆଦିଲ୍ଲୀ: ଜାନୁୟାରୀ ୨୨ ତାରିଖରେ ହେବାକୁ ଥିବା ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଚାତକ ପରି ଚାହିଁ ରହିଛନ୍ତି କୋଟି କୋଟି ରାମଭକ୍ତ । ପ୍ରଭୁଙ୍କ ଆଗମନରେ ସାରା ଦେଶ ଆଜି ପ୍ରଫୁଲ୍ଲିତ ହୋଇ ଉଠିଛି । ତେବେ ଗର୍ଭଗୃହରେ ରାମଲାଲାଙ୍କ ବିଗ୍ରହ ସ୍ଥାପନ ପରେ ଦିବ୍ୟ ଚେହେରାର ଏକ ଫଟୋ ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଫଟୋ ପ୍ରକୃତରେ ଶ୍ରୀରାମଲାଲାଙ୍କ ବିଗ୍ରହର ନୁହେଁ ବୋଲି ଜାଣିବାକୁ ମିଳିଛି । ଏ ନେଇ ମନ୍ଦିରର ମୁଖ୍ୟ ପୂଜକ ଏକ ବଡ଼ ବୟାନ ଦେଇଛନ୍ତି ।
ଶ୍ରୀରାମଲାଲାଙ୍କ ଫଟୋକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ । ପଣ୍ଡିତ ସତ୍ୟେନ୍ଦ୍ର ଦାସ ଅଭିଯୋଗ କରି କହିଛନ୍ତି, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଶ୍ରୀରାମଙ୍କ ଫଟୋ ସାର୍ବଜନୀନ ହେବା ଉଚିତ୍ ନୁହେଁ । ଯେଉଁ ଫଟୋଟି ଭାଇରାଲ ହେଉଛି ତାହା ରାମଲାଲାଙ୍କ ହୋଇ ନଥିବ । ଯଦି ଭାଇରାଲ ଫଟୋଟି ରାମଲାଲାଙ୍କର ତାହେଲେ କିଏ ଓ କେମିତି ଫଟୋ ଭାଇରାଲ କଲା, ଏହାର ତଦନ୍ତ ହେବା ଜରୁରୀ । ବିଧି ଅନୁସାରେ ପ୍ରାଣପ୍ରତିଷ୍ଠା ପୂର୍ବରୁ କୌଣସି ପ୍ରତିମାଙ୍କ ମୁଖରୁ ପଟ୍ଟି ଉଠାଯାଏ ନାହିଁ । ଗର୍ଭଗୃହରେ ମଧ୍ୟ ଶ୍ରୀରାମଙ୍କ ମୁଖରେ ପଟି ରହିଛି ।
ଭାଇରାଲ ହେଉଥିବା ଫଟୋ ପୂର୍ବରୁ ନିଆଯାଇଛି ନଚେତ୍, ଶ୍ରୀରାମଲାଲାଙ୍କ ପ୍ରକୃତ ଫଟୋ ନୁହେଁ ବୋଲି କହିଛନ୍ତି ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ ସତୈନ୍ଦ୍ର ଦାସ । ଗତକାଲି ଠାରୁ ଶ୍ରୀରାମଲାଲାଙ୍କ ଅନେକ ଫଟୋ ସାମ୍ନାକୁ ଆସୁଛି । କିଛି ଫଟୋରେ ରାମଲାଲାଙ୍କ ମୁଖରେ ପଟ୍ଟି ପଡିଥିବାବେଳେ ଆଉ ଏକ ଫଟୋରେ ସମ୍ପୂର୍ଣ୍ଣ ଭଗବାନଙ୍କ ବାଳ ସ୍ୱରୂପକୁ ଦେଖି ହେଇଛି ।