fbpx

ଫେବ୍ରୁଆରି ୨୯ ପରେ ବି Paytm app ପୂର୍ବ ପରି ଚାଲିବ: Paytm CEO ବିଜୟ ଶେଖର ଶର୍ମା

ମୁମ୍ବାଇ: ଅନଲାଇନ୍ ପେମେଣ୍ଟ ସେବା ପ୍ରଦାନ କରୁଥିବା କମ୍ପାନୀ ପେଟିଏମର ସଙ୍କଟ ହ୍ରାସ ହେବାର ସଙ୍କେତ ଦେଖାଯାଉନାହିଁ। ତେବେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ ପ୍ୟାରେଣ୍ଟ୍ କମ୍ପାନୀ ୱାନ୯୭ କମ୍ୟୁନିକେସନ୍ ବର୍ତ୍ତମାନ ଅନ୍ୟ ଉପାୟ ଖୋଜିବାକୁ ଆରମ୍ଭ କରିଛି। ଏହା ସହ ଗ୍ରାହକଙ୍କୁ ଆଶ୍ଵସ୍ତି କରାଇବା ପରି ଏକ ସୂଚନା ଦେଇଛନ୍ତି ପେଟିଏମ୍‌ର ନିର୍ମାତା ତଥା ସିଇଓ ବିଜୟ ଶଙ୍କର ଶର୍ମା। ସେ କହିଛନ୍ତି କି ଫେବ୍ରୁଆରି ୨୯ ପରେ ମଧ୍ୟ ଆପ୍‌ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ବ୍ୟବହାରକାରୀମାନେ ଯେଉଁଭଳି ଭାବେ ପେଟିଏମ୍‌ ଆପ୍‌ ବ୍ୟବହାର କରୁଥିଲେ ସେହିପରି ଆଗକୁ ବି କରିପାରିବେ।

ତେବେ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ସେ ଲେଖିଛନ୍ତି, ‘‘ଆପଣଙ୍କ ପ୍ରିୟ ଆପ୍‌ ଚାଲୁଛି। ଫେବ୍ରୁଆରି ୨୯ ପରେ ମଧ୍ୟ ପୂର୍ବ ପରି ଚାଲିବ।’’ କମ୍ପାନି ଆହୁରି ବି କହିଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କଙ୍କ ନିର୍ଦ୍ଦେଶ ବ୍ୟବହାରକାରୀଙ୍କ ସେଭିଂ ଆକାଉଣ୍ଟ୍‌,ୱାଲେଟ୍‌, ଫାଷ୍ଟାଗ୍‌, ଏନ୍‌ସିଏମ୍‌ସି ଆକାଉଣ୍ଟ୍‌କୁ ପ୍ରଭାବିତ କରିପାରିବ ନାହିଁ। ଅନ୍ୟପକ୍ଷରେ ଗ୍ରାହକମାନେ ସେମାନଙ୍କ ସଞ୍ଚୟ ଓ ଚଳନ୍ତି ଖାତାରେ ଥିବା ବାଲାନ୍ସକୁ ନିର୍ଧାରିତ ସୀମା ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ମଧ୍ୟ ସ୍ପଷ୍ଟ କରିଛନ୍ତି। ପେଟିଏମ୍‌କୁ ସ୍ଥାପନ କରିଥିବା ସଂସ୍ଥା ୱାନ୍‌୯୭ କମ୍ୟୁନିକେସନ୍ସ ଲିମିଟେଡ୍ ଓ ପେଟିଏମ୍ ପେମେଣ୍ଟ୍‌ସ ବ୍ୟାଙ୍କ ଲିମିଟେଡ୍‌ର ନୋଡାଲ୍‌ ଆକାଉଣ୍ଟକୁ ରିଜର୍ଭ ବ୍ୟାଙ୍କ ରଦ୍ଦ କରିଛନ୍ତି।

ସୂଚନା ଥାଉକି, କମ୍ପାନୀର ବ୍ୟାଙ୍କିଙ୍ଗ ସେବା ଉପରେ ଆରବିଆଇର କଟକଣା ପରେ ଗୁରୁବାର ଦିନ କମ୍ପାନୀର ସେୟାରରେ ୨୦% ହ୍ରାସ ପାଇଥିଲା ଏବଂ ଷ୍ଟକ୍ ମାର୍କେଟ ଖୋଲିବା ମାତ୍ରେ ପେଟିଏମ୍ ସେୟାର ହ୍ରାସ ପାଇଥିଲା, ଯାହା ବଜାରରେ କାରବାର ଶେଷ ହେବା ପର୍ୟ୍ୟନ୍ତ ଏହି ଅବସ୍ଥାରେ ରହିଥିଲା। ତେବେ ଗୁରୁବାର କମ୍ପାନୀର ଶେୟାର ୨୦% ହ୍ରାସ ପାଇବା ପରେ ଶୁକ୍ରବାର ମଧ୍ୟ କମ୍ପାନୀର ଶେୟର ଲୋୟର ସର୍କିଟ ଛୁଇଁଛି। ଶେୟାର ବଜାର ଖୋଲିବା ମାତ୍ରେ କମ୍ପାନୀର ଶେୟାର ୨୦% ହ୍ରାସ ପାଇଥିଲା। ଏବେ କମ୍ପାନୀର ଶେୟର ମୂଲ୍ୟ ୧୨୧.୮୦ ଟଙ୍କା କମି ୪୮୭.୨୦ ଟଙ୍କା ହୋଇଯାଇଛି। ଏଥିସହିତ କମ୍ପାନୀର ମାର୍କେଟ କ୍ୟାପିଟାଲାଇଜେସନ ହ୍ରାସ ପାଇ ୩୦,୯୪୦ କୋଟି ଟଙ୍କା ହୋଇଯାଇଛି।

Get real time updates directly on you device, subscribe now.