ଭାରତ ଜିତିଲା କିନ୍ତୁ ଦୁର୍ବଳତା ପଦାରେ ପଡ଼ିଲା: ଆଗକୁ ଟିମ୍ ଇଣ୍ଡିଆକୁ ୫ଟି ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୧୦୬ ରନରେ ବିଜୟ ହାସଲ କରି ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିପାରିଛି । ତେବେ ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ କରିଥିବା କିଛି ତ୍ରୁଟିକୁ ଦ୍ୱିତୀୟ ଟେଷ୍ଟରେ ସୁଧାରିଥିଲେ ଦଳର ଅନେକ ଦୁର୍ବଳତା ଏବେ ବି ଜଳ ଜଳ ହୋଇ ଦିଶୁଛି । ତେଣୁ ଆଗାମୀ ଦିନରେ ଦଳ ଯଦି ଏହି ଦୁର୍ବଳତାଗୁଡ଼ିକୁ ଅଣଦେଖା କରେ, ତେବେ ଇଂଲଣ୍ଡକୁ ଟକ୍କର ଦେବା ସମ୍ଭବ ହେବନି ।

ଭାଇଜାଗ୍ ଟେଷ୍ଟରେ ଯଶପ୍ରୀତ ବୁମ୍ରା, ଯଶସ୍ୱୀ ଜୟସ୍ୱାଲ ଓ ଆର.ଅଶ୍ୱିନୀ ଶାନଦାର ପ୍ରଦର୍ଶନ କରିଥିଲେ । ଅନ୍ୟ ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିମ୍ନଧରଣର ଥିଲା । ଆସନ୍ତା ୧୫ରେ ତୃତୀୟ ଟେଷ୍ଟ ଖେଳାଯିବାକୁ ଥିବାବେଳେ ଦଳ ପାଖରେ ଏବେ ୯ ଦିନର ବ୍ରେକ୍ ରହିଛି । ତେଣୁ ଏହି ସମୟରେ ଟିମ୍ ଇଣ୍ଡିଆ ତା’ର ଦୁର୍ବଳତାକୁ ଚିହ୍ନଟ କରି ତା’ର ସମାଧାନ ଦିଗରେ ରଣନୀତି ପ୍ରସ୍ତୁତ କରିପାରିବ । ଯଦିଓ ଦଳ ମ୍ୟାଚ ଜିତିଲା ତଥାପି ଦଳକୁ ଏକ ବେଷ୍ଟ ଟିମ୍ କୁହାଯାଇ ପାରିବ ନାହିଁ ।

୧- ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ଟପ୍ ଅର୍ଡରରେ ଖରାପ ପ୍ରଦର୍ଶନ । ଗୋଟିଏ ପଯେ ଯଶସ୍ୱୀ ୨୦୯ ରନର ଇନିଂସ ଖେଳିଥିବା ବେଳେ ଅଧିନାୟକ ରୋହିତ ଶର୍ମା ଖରାପ ପ୍ରଦର୍ଶନ କରିଥିଲେ । ବର୍ତ୍ତମାନ ସୁଦ୍ଧା ରୋହିତ ମୋଟ ୯୦ ରନ୍ ସଂଗ୍ରହ କରିଛନ୍ତି । ସେହିପରି ଶୁବମନ ଗିଲ ଖରାପ ଫର୍ମ ଦେଇ ଗତି କରୁଥିବା ବେଳେ ଗତ ଟେଷ୍ଟର ଦ୍ୱିତୀୟ ଇନିଂସରେ ଜରୁରୀ ସମୟରେ ସେ ଶତକ ହାସଲ କରିଥିଲେ ।

୨- ସେହିପରି ମଧ୍ୟମ କ୍ରମରେ ମଧ୍ୟ ଭାରତର ଦୁର୍ବଳତା ରହିଛି । ଶ୍ରେୟସ ଆୟର ଏହି ସିରିଜରେ କିଛି ଖାସ୍ କରିପାରି ନାହାନ୍ତି । ସେ ୪ଟି ଇନିଂସରୁ ମୋଟ ୧୦୪ ରନ୍ ସଂଗ୍ରହ କରିଛନ୍ତି । ସେହିପରି ରଜତ ପାଟିଦାର ନିଜର ଡେବ୍ୟୁ ଟେଷ୍ଟରେ ସେପରି ଖାସ୍ କରିପାରି ନାହାନ୍ତି । ୱିକେଟ କିପରି କେ.ଏସ ଭରତ ମଧ୍ୟ କମାଲ କରିପାରି ନାହାନ୍ତି । ଆଗକୁ ଏହିସବୁ ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।

୩- ଚଳିତ ସିରିଜରେ ଦ୍ରୁତ ବୋଲର ବୁମ୍ରା ଭଲ ବୋଲିଂ କରି ୧୫ଟି ୱିକେଟ ନେଇ ସାରିଲେଣି । ତେବେ ବୋଲିଂ ବାହିନୀର ଦୁର୍ବଳତା ହେଉଛି, ବୁମ୍ରାଙ୍କୁ ସାଥ୍ ମିଳୁନି । ମହମ୍ମଦ ସିରାଜ, ମୁକେଶ କୁମାର ସେପରି କମାଲ କରିପାରି ନାହାନ୍ତି । ବୋଲିଂ ବିଭାଗକୁ ଶକ୍ତ କରିବାକୁ ହେଲେ ଏକାଧିକ ବୋଲର ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଚାପ ପ୍ରୟୋଗ କରିବା ଆବଶ୍ୟକ ।

୪- ବ୍ୟାଟିଂ, ବୋଲିଂ ସହିତ ଦଳର ଫିଲଡିଂରେ ମଧ୍ୟ ତ୍ରୁଟି ପରିଲକ୍ଷିତ ହୋଇଛି । ପ୍ରଥମ ଟେଷ୍ଟରେ ଓଲୀ ପୋପ ଦୁଇଟି ଜୀବନଦାନ ପାଇବା ଦଳକୁ ଏକ ବଡ଼ ଶିକ୍ଷା ଦେଇଛି । ଖରାପ ଫିଲଡିଂ ପାଇଁ ଟିମ୍ ଇଣ୍ଡିଆ ଜିତିବା ମ୍ୟାଚ୍ ହାତଛଡ଼ା କରିଥିଲା । ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଓଲିଙ୍କ ଏକ ସହଜ ଷ୍ଟମ୍ପିଂ ଭରତ ମିସ୍ କରିଥିଲେ । ଏଥିସହିତ ଭାରତୀୟ ଖେଳାଳିମାନେ ପଡ଼ିଆରେ ଖରାପ ଫିଲଡିଂ କରି ପ୍ରତିପକ୍ଷଙ୍କୁ ସହଜରେ ରନ୍ ଦେଉଥିବା ଦେଖାଯାଉଛି ।

୫- ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଶର୍ଟ ସିଲେକ୍ସନ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ । କିଛି ଖେଳାଳି ବେଜବଲ୍ ଶୈଳୀରେ ଶର୍ଟ ଖେଳି ଆଉଟ୍ ହୋଇଥିଲେ । ଗିଲ, ଆୟର ଓ ରୋହିତ ବଡ଼ ଶର୍ଟସ ଖେଳିବାକୁ ପ୍ରୟାସ କରି ଆଉଟ୍ ହୋଇଥିଲେ । ତେଣୁ ପ୍ରତି ଖେଳାଳିଙ୍କୁ ସିରିୟସ ହୋଇ ଖେଳିବା ସହିତ ଦଳକୁ କିଛି ଯୋଗଦାନ ଦେବାକୁ ପଡ଼ିବ । ତେବେ ଯାଇ ଦଳ ସିରିଜ୍ ଜିତିପାରିବ ।