fbpx

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଓଡ଼ିଶାରେ ଖାଲି ଥିବା ୩ଟି ଆସନ କେଉଁ ଦଳ ହାତେଇବ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ଏନେଇ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ । ତେବେ ଏହା ମଧ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ୧୫ଟି ରାଜ୍ୟର ମୋଟ ୫୬ଟି ଆସନ ପାଇଁ ନିର୍ବାଚନ ହେବ । ସେହି ସମସ୍ତ ଆସନ ମଧ୍ୟରେ ଓଡ଼ିଶାର ୩ଟି ଆସନ ଖାଲି ରହିଛି । ବିଜେଡିର ଦୁଇ ସାଂସଦ ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ଏବଂ ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି ।

ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ । ଏହାପରେ ୧୬ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଓ ୨୦ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ । ୨୭ ତାରିଖ ଦିନ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ତା’ପରେ ସନ୍ଧ୍ୟା ୫ଟାରୁ ଭୋଟ ଗଣତି ଆରମ୍ଭ ହେବ । ଓଡ଼ିଶାର କେଉଁ ପ୍ରାର୍ଥୀମାନେ ଏଥର ରାଜ୍ୟସଭାକୁ ଯିବ ତା’ ଉପରେ ଏବେ ସଭିଙ୍କ ନଜର ରହିଛି ।

ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୬ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ସମାପ୍ତ ହେବ । ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ୧୦ ଜଣ, ମହାରାଷ୍ଟ୍ର ଓ ବିହାରର ୬ ଜଣ ଲେଖାଏଁ, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ୫ ଜଣ ଲେଖାଏଁ, ଗୁଜରାଟ ଓ କର୍ଣ୍ଣାଟକର ୪ ଜଣ ଲେଖାଏଁ, ଓଡ଼ିଶା, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ୩ ଜଣ ଲେଖାଏଁ, ଛତିଶଗଡ଼, ହରିୟାଣା ଓ ହିମାଚଳ ପ୍ରଦେଶର ଜଣେ ଲେଖାଏଁ ସାଂସଦଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି ।

Get real time updates directly on you device, subscribe now.