ପଞ୍ଚକୁଲା : ଭାରତୀୟ ବିଶ୍ୱକପ ବିଜେତା ଦଳର ଅଂଶ ଥିବା ଅଲରାଉଣ୍ଡର କ୍ରିକେଟର ଯୁବରାଜ ସିଂଙ୍କ ମା’ଙ୍କ ଘରୁ ଚୋରି ହୋଇଛି । ଏହି ଘଟଣାରେ ଯୁବରାଜ ସିଂଙ୍କ ମା ଏବେ ହରିୟାଣା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ପୋଲିସ ମାମଲା ରୁଜୁ କରିଛି । ସୂଚନାନୁସାରେ, ଯୁବରାଜ ସିଂଙ୍କ ମା ଶବନମ ସିଂଙ୍କ ଘର ହରିୟାଣାର ପଞ୍ଚକୁଲାରେ ରହିଛି । ଏହି ଘରେ ଚୋରି ହୋଇଛି । ଏହି ଚୋରି ମାମଲା ୬ ମାସ ପୁରୁଣା, କିନ୍ତୁ ଏବେ ଯାଇ ମାମଲା ରୁଜୁ ହୋଇଛି ।
ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ମା ’ଶବନମ ସିଂ ଏମଡିସି ପୋଲିସ ଷ୍ଟେସନରେ ଚୋରି ଅଭିଯୋଗ ଆଣିଛନ୍ତି । ଅଭିଯୋଗରେ ସେ କହିଛନ୍ତି ଯେ, ଗତ ବର୍ଷ ସେପ୍ଟେମ୍ବର ୨୦୨୩ ରେ ଏମଡିସି ର ହାଉସ୍ -୧୮ ରେ ଚୋରି ହୋଇଥିଲା । ସେ ଅଭିଯୋଗରେ କହିଛନ୍ତି ଯେ, ସେ ଦୁଇଜଣ ଚାକରଙ୍କୁ ଘରେ ରଖିଥିଲେ ଏବଂ ସେମାନେ ହିଁ ଏହି ଚୋରି କରିଥିଲେ । ଶବନମ ପୋଲିସକୁ କହିଛନ୍ତି ଯେ ଘରର ଆଲମାରୀରୁ ସୁନା ଅଳଙ୍କାର ଏବଂ ୭୫,୦୦୦ ଟଙ୍କା ଚୋରି ହୋଇଛି । ଅଭିଯୁକ୍ତମାନେ ଦାସୀ ଲଲିତା ଦେବୀ ଏବଂ ଶିଲେନ୍ଦ୍ର ଦାସ ବୋଲି ଜଣାପଡିଛି ଏବଂ ସେମାନଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯାଇଛି । ବର୍ତ୍ତମାନ ଏମଡିସି ପୋଲିସ ଷ୍ଟେସନ ଚୋରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ଷ୍ଟେସନରେ ରଖାଯାଇଥିବା ଏଫଆଇଆର ଅନୁଯାୟୀ ମୋଟ ୧ ଲକ୍ଷ ୭୫ ହଜାର ଟଙ୍କା ସମ୍ପତ୍ତି ଚୋରି ହୋଇଛି ।
ଛଅ ମାସ ପୂର୍ବର ମାମଲା :-
ଅଭିଯୋଗରେ ଶବନମ୍ କହିଛନ୍ତି ଯେ, ତାଙ୍କ ଘର ଗୁଡଗାଓଁରେ ରହିଛି ଏବଂ ସେ ସେଠାରେ କିଛି ସମୟ ରହିବାକୁ ଯାଇଥିଲେ । ଯେତେବେଳେ ସେ ଅକ୍ଟୋବର ୫, ୨୦୨୩ ରେ ନିଜ ଘରକୁ ଫେରି ଆସିଲେ, ସେତେବେଳେ ଦେଖିଲେ ଯେ ଘରର ଉପର ମହଲା ରୁମରୁ ଅଳଙ୍କାର ଏବଂ ଟଙ୍କା ଗାଏବ୍ ହୋଇଛି । ସେ କହିଥିଲେ ଯେ ସେ ସମସ୍ତ ସେବକଙ୍କୁ ପଚରାଉଚରା କରିଥିଲେ । କିନ୍ତୁ ପରେ ଉଭୟ ଅଭିଯୁକ୍ତ ଚାକିରି ଛାଡି ପଳାଇ ଯାଇଥିଲେ । ଏଭଳି ପରିସ୍ଥିତିରେ ସେ ସନ୍ଦେହ କରୁଛନ୍ତି ଯେ ସେମାନଙ୍କ ମଧ୍ୟରୁ କେହି ଘର ଚୋରି କରିଛନ୍ତି । ସେ ଦିୱାଲୀ ସମୟରେ ଚାକିରି ଛାଡିଥିଲେ ।