fbpx

ଭାରତୀୟ ଲାଇସେନ୍ସରେ ଆମେରିକାରେ ଚଲାଇପାରିବେ ଗାଡ଼ି, ଜାଣନ୍ତୁ କ’ଣ ରହିଛି ନିୟମ ?

ନୂଆଦିଲ୍ଲୀ: ଆଜିକାଲି ଅନେକ ଭାରତୀୟ ପଢ଼ାପଢ଼ି ହେଉ କିମ୍ବା ଚାକିରି, ବିଦେଶ ଯିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ବିଶେଷ କରି ଆମେରିକାରେ ଭାରତୀୟଙ୍କ ସଂଖ୍ୟା ଅଧିକ । ଆମେରିକା ଯିବାପାଇଁ ଆଗ୍ରହୀ ଥିବା ଅନେକଙ୍କ ମନରେ ପ୍ରଶ୍ନ ଆସିଥାଏ ଯେ ଆମେରିକାରେ ଭାରତୀୟ ଲାଇସେନ୍ସ ଥିବା ଗାଡ଼ି ଚାଲିପାରିବ ନା ନାହିଁ । ଏହାର ଉତ୍ତର ହେଉଛି ହିଁ । କେବଳ ଆମେରିକା ନୁହେଁ ଯେକୌଣସି ଦେଶରେ ଆନ୍ତର୍ଜାତୀୟ ଡ୍ରାଇଭିଂ ଲାଇସେନ୍ସ ସାହାଯ୍ୟରେ ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନବାହନ ଚଲାଇପାରିବା । ତେବେ ଆସନ୍ତୁ ଜାଣିବା ଆନ୍ତର୍ଜାତୀୟ ଡ୍ରାଇଭିଂ ଲାଇସେନ୍ସ ବିଷୟରେ ଏବଂ କ’ଣ ରହିଛି ଏହାର ନିୟମ ।

ଆନ୍ତର୍ଜାତୀୟ ଡ୍ରାଇଭିଂ ଲାଇସେନ୍ସ କ’ଣ ?

ଏହା କ୍ଷେତ୍ରୀୟ ପରିବହନ କାର୍ଯ୍ୟାଳୟ, ୱେଷ୍ଟର୍ଣ୍ଣ ଇଣ୍ଡିଆନ ଆସୋସିଏସନ୍ ଏବଂ ଆନ୍ତର୍ଜାତୀୟ ଟ୍ରାଫିକ୍ କଷ୍ଟ୍ରୋଲ ଆସୋସିଏସନ୍ ଦ୍ୱାରା ଜାରି କରାଯାଇଥିବା ଆନ୍ତର୍ଜାତୀୟ ସ୍ତରର ବୈଧ ଲାଇସେନ୍ସ ଅଟେ । ଏହାର ବୈଧତା ଏକ ବର୍ଷ ପର୍ଯ୍ୟନ୍ତ ଥାଏ । ଆନ୍ତର୍ଜାତୀୟ ଡ୍ରାଇଭିଂ ଲାଇସେନ୍ସ ସାହାଯ୍ୟରେ ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ବାହନ ଚଲାଇପାରିବା । ଏହି ଲାଇସେନ୍ସ ବିଶ୍ୱରେ ୧୫୦ଟି ଦେଶରେ ବୈଧ ଅଟେ । ଲାଇସେନ୍ସର ବୈଧତା ଶେଷ ହେଲେ ପୁନଃ ରିନ୍ୟୁ କରିହେବ । ଏହି ଲାଇସେନ୍ସକୁ ଚୀନ, ଜର୍ମାନ, ସ୍ପାନିଶ୍ ଏବଂ ଅରବୀ ଭାଷାରେ ତିଆରି କରାଯାଇପାରିବ ।

ଆମେରିକାରେ ଭାରତୀୟ ଲାଇସେନ୍ସ ବ୍ୟବହାର କରିବାର କ’ଣ ରହିଛି ନିୟମ

ଆମେରିକାରେ ଭାରତୀୟ ଲାଇସେନ୍ସ ୧ ବର୍ଷ ପର୍ଯ୍ୟନ୍ତି ବୈଧ ଅଟେ । ଏଥିପାଇଁ ସୁନିଶ୍ଚିତ କରିବାକୁ ପଡ଼ିବ ଯେ ଏହା ଇଂରାଜୀରେ ଲେଖା ଥିବା । ଏହା ବ୍ୟତୀତ ଆମେରିକାରେ ପ୍ରବେଶ ପାଇଁ ପ୍ରମାଣ ଭାବରେ I-94 ଫର୍ମ ଥିବା ଆବଶ୍ୟକ । ଏହି ଫର୍ମ ଆମେରିକା ଡ୍ରାଇଭିଂ ନିୟମ ଅଧୀନ । ତେଣୁ ଏହି ଫର୍ମ ମାଧ୍ୟମରେ ବିନା କୌଣସି ଅସୁବିଧାରେ ଆମେରିକା ରାସ୍ତାରେ ଗାଡ଼ି ଚଲାଇପାରିବେ । ଯଦି ଆପଣ ଆମେରିକାର ସ୍ଥାୟୀ ବାସିନ୍ଦା ତେବେ ସେଠାରେ ଲାଇସେନ୍ସ କରିପାରିବେ । ଆପଣ ରହୁଥିବା ରାଜ୍ୟରେ ସ୍ଥିତ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟରୁ ଲାଇସେନ୍ସ ତିଆରି କରିପାରିବେ । ଏଥିପାଇଁ କେବଳ ଆଡ୍ରେସ୍‌(ଠିକଣା) ପ୍ରୁଫର ଆବଶ୍ୟକତା ରହିଛି ।
ଆପଣଙ୍କ୍ ବୟସ ୧୮ ବର୍ଷରୁ କମ୍ ହୋଇଥିଲେ ଲର୍ଣ୍ଣିଂ ଲାଇସେନ୍ସ ମିଳିପାରିବ । ଏହାର ବୈଧତା ୬ ମାସରୁ ୧ ବର୍ଷ ପର୍ଯ୍ୟନ୍ତ ଥାଏ । ତେବେ ଉଭୟ ଲର୍ଣ୍ଣିଂ ଲାଇସେନ୍ସ ଏବଂ ଡ୍ରାଇଭିଂ ଲାଇସେନ୍ସ ପାଇଁ ଏକ ଲିଖିତ ପରୀକ୍ଷା ପାସ କରିବାକୁ ପଡ଼ିଥାଏ । ଏହି ଲାଇସେନ୍ସ ପାଇଁ ଆଡ୍ରେସ୍ ପ୍ରୁଫ୍ ଏବଂ ଆଇଡ଼ି ପ୍ରୁଫ୍ ଆବଶ୍ୟକ ହୋଇଥାଏ । ଆପଣଙ୍କ ବୟସ ୧୮ ବର୍ଷରୁ କମ୍ ହୋଇଥିଲେ ମାତା ପିତା କିମ୍ବା ସ୍କୁଲରୁ ଆଫିଡେଭିଟ୍ କରାଇପାରିବେ । ଲିଖିତ ପରୀକ୍ଷାରେ ପାସ ହେବା ପରେ ଏକ ଚକ୍ଷୁ ପରୀକ୍ଷା ହୋଇଥାଏ । ଦୃଷ୍ଟି ଶକ୍ତି ଦୁର୍ବଳ ଥିଲେ ଡ୍ରାଇଭିଂ ଲାଇସେନ୍ସ ମିଳିନଥାଏ । ଏଥିପାଇଁ ଚଷମା କିମ୍ବା ଲେନ୍ସ ଲଗାଇବାକୁ ପଡ଼ିଥାଏ ।

ଆମେରିକାରେ ଗାଡ଼ି ଚଲାଇବାର ନିୟମ

-ସାଧାରଣତଃ ଭାରତରେ ବାମ ପଟରେ ଗାଡ଼ି ଚାଳନା ହେଉଥିବା ବେଳେ ଆମେରିକାରେ ଡାହାଣ ପଟେ ଗାଡ଼ି ଚଲାଇବାର ନିୟମ ରହିଛି ।
-ଗାଡ଼ି ଚଲାଇବା ସମୟରେ ସିଟ୍ ବେଲ୍ଟ ଲାଗାଇବା ବାଧ୍ୟତାମୂଳକ ଅଟେ ।
– ରାସ୍ତାରେ ସ୍ପୀଡ୍ ଲିମିଟ୍ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ ।

 

Get real time updates directly on you device, subscribe now.