fbpx

ଗଗନଯାନ ମିଶନ ଲାଗି ଚୟନ କରାଯାଇଥିବା ୪ ଜଣ ପାଇଲଟ କିଏ? ସେମାନଙ୍କୁ କିପରି ଚୟନ କରାଯାଇଛି

ନୂଆଦିଲ୍ଲୀ: ଗଗନଯାନ ମିଶନରେ କେଉଁ କେଉଁ ମହାକାଶ ଯାତ୍ରୀ ସାମିଲ ହେବେ ଏହାର ଘୋଷଣା ହୋଇସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ୪ ଜଣଙ୍କ ନାମ ଘୋଷଣା କରିଛନ୍ତି ଯେଉଁମାନେ ଦେଶର ପ୍ରଥମ ମାନବ ଅନ୍ତରୀକ୍ଷ ଉଡାଣ ମିଶନ ଗଗନଯାନ ଲାଗି ପ୍ରଶିକ୍ଷଣ ନେଉଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ମହାକାଶଯାତ୍ରୀ ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ନାୟର, ଗ୍ରୁପ୍ କ୍ୟାପଟେନ୍ ଅଜିତ କୃଷ୍ଣନ, ଗ୍ରୁପ୍ କ୍ୟାପଟେନ୍ ଅଙ୍ଗଦ ପ୍ରତାପ ଓ ୱିଙ୍ଗ କମାଣ୍ଡର ଶୁଭାଂଶୁ ଶୁକ୍ଳାଙ୍କୁ ଗଗନଯାନ ମିଶନ ଲାଗି ଚୟନ କରିଛନ୍ତି । ମୋଦୀ ଏହି ୪ ଜଣଙ୍କୁ ‘ମହାକାଶ ଯାତ୍ରୀ ପଙ୍ଖ’ ପ୍ରଦାନ କରିଛନ୍ତି । ଏହି ୪ ଜଣ ସବୁ ପ୍ରକାରର ଫାଇଟର ଜେଟ୍ ଉଡାଇ ସାରିଛନ୍ତି ।

ଏହି ସମସ୍ତ ମହାକାଶ ଯାତ୍ରୀ ଯେଉଁମାନେ ପ୍ରଥମ କ୍ରୁ ମିଶନର ଅଂଶ ପାଲଟିବାକୁ ଯାଉଛନ୍ତି ସେମାନେ ସମସ୍ତେ ଭାରତୀୟ ବାୟୁସେନାର ଟେଷ୍ଟ ପାଇଲଟ୍ ଅଟନ୍ତି । ଏହା ଚୟନ କରିବା ଲାଗି ଇସ୍ରୋ ଓ ଆଇଏଏଫର ଇନଷ୍ଟିଚ୍ୟୁଟ ଅଫ୍ ଏରୋସ୍ପେସ୍ ମେଡିସିନ(ଆଇଏଏମ୍‌) ଉପରେ ଦାୟିତ୍ୱ ଦିଆଯାଇଥିଲା ।

ଗଗନଯାନ ମିଶନରେ ମହାକାଶ ଯାତ୍ରୀ ହେବା ଲାଗି ଶହ ଶହ ସଂଖ୍ୟାରେ ଟେଷ୍ଟ ପାଇଲଟ୍ ଆବେଦନ କରିଥିଲେ । ଭାରତୀୟ ବାୟୁସେନାର ଆଇଏଏମ୍ ୨୦୧୯ରେ ବେଙ୍ଗାଲୁରରେ ଏମାନଙ୍କ ମଧ୍ୟରୁ ୧୨ ଜଣ ଟେଷ୍ଟ ପାଇଲଟ୍‌ଙ୍କୁ ମନୋନୀତ କରିଥିଲା । ବହୁ ପର୍ଯ୍ୟାୟ ପରେ ଇସ୍ରୋ ୪ ଜଣଙ୍କୁ ଅନ୍ତିମ ଚୟନ କରିଛି । ଏହି ୪ ଜଣଙ୍କୁ ପ୍ରାଥମିକ ପ୍ରଶିକ୍ଷଣ ଲାଗି ରୁଷ ପଠାଯାଇଥିଲା ଓ ଏହା ୨୦୨୧ରେ ସମାପ୍ତ ହୋଇଥିଲା । ଏବେ ସେମାନଙ୍କୁ ବେଙ୍ଗାଲୁରରେ ବହୁ ଏଜେନ୍ସୀ ଓ ସେନା ବାହିନୀ ପ୍ରଶିକ୍ଷଣ ଦେଉଛନ୍ତି । ୪ ଜଣ ନିୟମିତ ଭାବରେ ବାୟୁସେନା ବିମାନ ବି ଉଡାଉଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ଚନ୍ଦ୍ର ଓ ସୂର୍ଯ୍ୟ ପରେ ଭାରତ ମହାକାଶରେ ଆଉ ଏକ ଇତିହାସ ରଚିବାକୁ ପ୍ରସ୍ତୁତ ହେଉଛି । ଗଗନଯାନ ମିଶନରେ ସଫଳତା ମିଳିଲେ ଆମେରିକା, ଚୀନ୍ ଓ ରୁଷ ପରେ ଭାରତ ମାନବଯୁକ୍ତ ମହାକାଶ ଯାନ ପ୍ରେରଣ କରିଥିବା ବିଶ୍ୱର ୪ର୍ଥ ଦେଶ ପାଲଟିଯିବ । ଏହି ଗଗନଯାନ ମିଶନ ଆଗାମୀ ବର୍ଷ ଲଞ୍ଚ ହେବ ।

Get real time updates directly on you device, subscribe now.