ଭୁବନେଶ୍ବର: ଉଠିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ। ଦର୍ଶନକଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଶିବଙ୍କୁ ସ୍ତୁତି କରି କରି ବସିଛନ୍ତି ଉଜାଗର। ବ୍ରତ ଭଙ୍ଗ କରିବେ ଶ୍ରଦ୍ଧାଳୁ। ଅନ୍ୟପଟରେ ଲିଙ୍ଗରାଜ ମନ୍ଦିର ପରିସର ହରିବୋଲ ଓ ହୁଳହୁଳିରେ ଉଛୁଳି ଉଠିଛି। ଆଜି ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟାରେ ଉଠିବ ବୋଲି ପୂର୍ବରୁ ବୈଠକରେ ନିଷ୍ପତ୍ତି ହୋଇଥିଲା।
ପବିତ୍ର ଜାଗରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଆଜି ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଏକାମ୍ର କ୍ଷେତ୍ରକୁ ଛୁଟି ଆସିଛନ୍ତି। ଭକ୍ତି ଓ ଆବେଗରେ କିଏ ଦୀପଟିଏ ଜାଳି ଦେଇ ଗୁହାରି ବାଢୁଛି ତ ଆଉ କିଏ ୧ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିବା ଧାଡ଼ିରେ ପ୍ରଭୁଙ୍କ ଦର୍ଶନ ପାଇଁ ଛିଡ଼ା ହୋଇ ଧୈର୍ଯ୍ୟର ପରୀକ୍ଷା ଦେଉଛି । ଉପବାସର ଯନ୍ତ୍ରଣା ବାଧୁ ନାହିଁ। ଭୋର୍ ୩ଟାରୁ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା। ରାତି ବଢ଼ିବା ସହ ମହାଦୀପ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ି ଚାଲିଥିଲା। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଖି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଚୂଡ଼ାରେ ଲାଖି ରହିଥିଲା। ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ସୌନ୍ଦର୍ଯ୍ୟ ନିଆରା ଅନୁଭବ ଦେଇଥିଲା। ଗତବର୍ଷ ଅପେକ୍ଷା ଏଥର ମଧ୍ୟ ଶ୍ରଦ୍ଧାଳୁଙ୍କ ଆଗମନ ଯଥେଷ୍ଟ ବଢ଼ିଥିଲା।
ମହାପ୍ରଭୁଙ୍କ ସମସ୍ତ ନୀତି ଠିକଣା ସମୟରେ ସଂପନ୍ନ ହେବା ପାଇଁ ପ୍ରଶାସନ ଓ ସେବାୟତମାନେ ସମନ୍ୱୟ ରଖି କାର୍ଯ୍ୟ ଚଳାଇଛନ୍ତି। ମନ୍ଦିର ପରିସରରେ ଯେପରି କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ନ ହୁଏ, ସେଥିପ୍ରତି ପ୍ରଶାସନ ସଜାଗ ଥିବା ବେଳେ ଆଇନଶୃଙ୍ଖଳା ରକ୍ଷା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏକାମ୍ର କ୍ଷେତ୍ରକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଛନ୍ତି।