fbpx

୧୦ ବର୍ଷରେ ୨୧ ଗୁଣା ବଢିଲା ମୋବାଇଲ ପ୍ରଡକ୍ସନର ମୂଲ୍ଯ, ଜାଣନ୍ତୁ କିଛି ରୋମାଞ୍ଚକର ରେକର୍ଡ ବିଷୟରେ..

ନୂଆଦିଲ୍ଲୀ: ଗତ କିଛି ବର୍ଷରେ ସାରା ଦୁନିଆରେ ଇଣ୍ଟରନେଟ ଏବଂ ଅନଲାଇନ କାରବାର କରିବାର ପ୍ରଚଳନ ଖୁବ ଜୋରରେ ପ୍ରସାରିତ ହୋଇଛି । ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଯେଉଁ କାରଣରୁ ଭାରତ ପରି ଦେଶରେ ସ୍ମାର୍ଟଫୋନର ଚାହିଦା ବହୁମାତ୍ରାରେ ବଢିଛି । ତେବେ ଏହି କାରଣରୁ ଭାରତରେ ୧୦ ବର୍ଷ ମଧ୍ୟରେ ମୋବାଇଲ ଫୋନ ମ୍ୟାନ୍ୟୁଫ୍ୟାକଚରିଂ ମୂଲ୍ୟ ୨୧ ଗୁଣା ବଢିଯାଇଛି ।

ତେବେ ଇଣ୍ଡିଆ ସେଲ୍ୟୁଲର ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ ଏକ ବିବୃତ୍ତି ଜାରି କରି କହିଛି ଯେ, ଭାରତରେ ଗତ ଦଶ ବର୍ଷରେ ମୋବାଇଲ ଫୋନର ମ୍ୟାନ୍ୟୁଫ୍ୟାକଚରିଂ ଭ୍ୟାଲ୍ୟୁ ୨୧ ଗୁଣା ବଢିଯାଇଛି । ଏହା ୪.୧ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଁଚିଯାଇଛି । ଆଇସିଇଏ ନିଜ ବିବୃତ୍ତିରେ ଆଗକୁ କହିଛନ୍ତି ଯେ, ସ୍ଥାନୀୟ ଉତ୍ପାଦନ ପ୍ରତି ବିଶ୍ୱସ୍ତରୀୟ କମ୍ପାନୀକୁ ଆକର୍ଷିତ କରିବା ଲାଗି ସରକାରଙ୍କ ପିଏଲଆଇ ପରି ପଲିସି ବଡ କାମ କରିଛି, ଯେଉଁ କାରଣରୁ ମୋବାଇଲ ମ୍ୟାନ୍ୟୁଫ୍ୟାକଚରିଂର ମୂଲ୍ୟ ଏତେ ସଂଖ୍ୟାରେ ବୃଦ୍ଧି ପାଇଛି ।

ଏହା ବ୍ୟତୀତ ଆଇସିଇଏ ନିଜ ବିବୃତ୍ତିରେ ଆହୁରି କହିଛି ଯେ, ଭାରତରେ ବର୍ତ୍ତମାନ ସ୍ମାର୍ଟଫୋନର ଯେତିକି ଚାହିଦା ରହିଛି, ତାର ୯୭ ପ୍ରତିଶତ ଉତ୍ପାଦନ ଭାରତରେ ହେଉଛି ।ଏହା ବ୍ୟତୀତ ଭାରତରେ ସମୁଦାୟ ଉତ୍ପାଦନର ୩୦ ପ୍ରତିଶତ ୨୦୨୩-୨୪ ଆର୍ଥିକ ବର୍ଷରେ ରପ୍ତାନୀ ହେବ। ଏହି ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଭାରତରୁ ରପ୍ତାନୀ ହୋଇଥିବା ମୋବାଇଲ ଫୋନର ମୋଟ ମୂଲ୍ୟ ପ୍ରାୟ ୧,୨୦,୦୦୦ କୋଟି ଟଙ୍କା ହୋଇପାରେ, ୨୦୧୪-୧୫ ମସିହାରେ ଏହି ସଂଖ୍ୟା ମାତ୍ର ୧୫୫୬ କୋଟି ଟଙ୍କା ଥିଲା। ଏହାର ଅର୍ଥ ହେଉଛି ଗତ ଦଶ ବର୍ଷ ମଧ୍ୟରେ ଭାରତରୁ ରପ୍ତାନୀ ହୋଇଥିବା ମୋବାଇଲ୍ ଫୋନର ମୂଲ୍ୟ ପ୍ରାୟ ୭,୫୦୦% ବୃଦ୍ଧି ହୋଇପାରେ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏକ ପୋଷ୍ଟ ଲେଖିଛନ୍ତି ଯେ, ICEA ଦ୍ବାରା ପ୍ରକାଶିତ ରେକର୍ଡ ଅନୁଯାୟୀ ଗତ ୧୦ ବର୍ଷ ମଧ୍ୟରେ ମୋବାଇଲ୍ ଫୋନ୍ ଉତ୍ପାଦନର ମୂଲ୍ୟ ୨୦ ଲକ୍ଷ କୋଟିରେ ପହଞ୍ଚିଛି ଏବଂ ଭାରତରେ ବିକ୍ରି ହେଉଥିବା ମୋବାଇଲ୍ ଫୋନର ୯୭% ଭାରତରେ ନିର୍ମିତ ହୋଇଛି।

Get real time updates directly on you device, subscribe now.