ଓଡ଼ିଶା ଭାସ୍କର: ଆଜି ବିଜେପିରେ ସାମିଲ ହୋଇଛନ୍ତି ଅଭିନେତା ତଥା ବିଜେଡି ନେତା ଅରିନ୍ଦମ ରାୟ। ବିଜେଡି ଛାଡିବାର ମାତ୍ର କିଛି ସମୟ ପରେ ସେ ବିଜେପିରେ ଯୋଗ ଦେଇଥିଲେ। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। ତେବେ ହଠାତ ଅରିନ୍ଦମ କାହିଁକି ବିଜେଡି ଛାଡିଲେ, ସେନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି। ସେହିପରି ବିଜେପି ଅରିନ୍ଦମଙ୍କୁ ନେଇ କ’ଣ ଯୋଜନା ରଖିଛି। ଅରିନ୍ଦମଙ୍କ ପ୍ରତି ଦଳର ଆଭିମୁଖ୍ୟ କ’ଣ? ଚଳିତ ନିର୍ବାଚନରେ ଅରିନ୍ଦମକୁ ଦଳ କେଉଁଠୁ ପ୍ରାର୍ଥୀ କରିବ, ସେନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି। ତେବେ ବିଶେଷକରି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ହୋଇ ଅରିନ୍ଦମ ଦଳ ପରିବର୍ତ୍ତନ କରିବାକୁ ନେଇ ବେଶୀ ଚର୍ଚ୍ଚା ହେଉଛି।
ତେବେ ଏଥର ନିର୍ବାଚନରେ ଅରିନ୍ଦମଙ୍କୁ ବିଜେଡି ନିଶ୍ଚୟ ଥଇଥାନ କରିବା ନେଇ ଖୁବ ଚର୍ଚ୍ଚା ହେଉଥିଲା। କାରଣ ଆଗାମୀ ନିର୍ବାଚନ ନିମନ୍ତେ କଟକ-ବାରବାଟୀରୁ ଦେବାଶିଷ ସାମନ୍ତରାୟ ବିଧାୟକ ଟିକେଟ ପାଇଁ ଆଶାୟୀ ଥିବାବେଳେ ତାଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କରି ଅରିନ୍ଦମଙ୍କ ପାଇଁ ରାସ୍ତା କ୍ଳିଅର କରିଥିଲା ବିଜେଡି। ଦେବାଶିଷଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ଚୟନ କରାଯାଇଥିବାରୁ ଏବେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ଅଭିନେତା ଅରିନ୍ଦମ ରାଏଙ୍କ ଟିକେଟ ସୁନିଶ୍ଚିତ ହେବା ନେଇ କଟକରେ ଆଲୋଚନା ଜୋର୍ ଧରିଥିଲା। ଏହାପରେ ଅରିନ୍ଦମ କିଛିମାସ ହେବ ଚା’ ଖଟି ଓ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ସାଧାରଣ ଲୋକଙ୍କ ନିକଟତର ହେଉଥିବା ନଜରକୁ ମଧ୍ୟ ଆସିଥିଲା। ତେବେ ଏପରି ପରିବର୍ତ୍ତନ କଟକ ରାଜନୀତିକୁ ବେଶ ସରଗରମ କରିଥିଲା। କିନ୍ତୁ ହଠାତ କ’ଣ ହେଲା ଯେ, ଅରିନ୍ଦମଙ୍କୁ ଦଳ ଛାଡିବାକୁ ପଡିଲା। କ’ଣ ଅରିନ୍ଦମଙ୍କୁ ଏଥର ବି ଟିକେଟ ଦେବା ପାଇଁ ଦଳ ମନା କରିଥିଲା କି? ନା ବିଜେଡି ଉପରେ ଅରିନ୍ଦମଙ୍କ ଭରଷା ଆଉ ପାଇଲା ନାହିଁ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଥାଉକି, ଟିକେଟ ସମ୍ପର୍କରେ ଅରିନ୍ଦମ କହିଥିଲେ, ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବା ପାଇଁ ପ୍ରଥମରୁ ମୁଁ ଆଶାୟୀ ରହିଛି। ସୁଯୋଗ ମିଳିଲେ ନିଶ୍ଚିତ ନିର୍ବାଚନ ଲଢିବି। ଏଥିପାଇଁ ପ୍ରସ୍ତୁତ ଅଛି। ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାକୁ ଅପେକ୍ଷା କରିଛି ବୋଲି ସେ କହିଥିବା ବେଳେ ଶୁକ୍ରବାର ଶଙ୍ଖ ଛାଡ଼ି ପଦ୍ମ ଧରିଥିଲେ। ତେଣୁ ବିଜେପି ଅରିନ୍ଦମଙ୍କୁ କେଉଁଠୁ ଟିକେଟ୍ ଦେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।