ଆୟକର ବିଭାଗକୁ ମିଳିଲା ବଡ଼ ପ୍ରମାଣ: ୨୦୧୯ ନିର୍ବାଚନ ସମୟରେ କଂଗ୍ରେସ ଅତ୍ୟଧିକ କ୍ୟାଶ ବ୍ୟବହାର କରିଥିଲା- ସୂତ୍ର

ନୂଆଦିଲ୍ଲୀ: ଆସନ୍ତା ମାସ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଯାଉଛି । ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି । ତେବେ ନିକଟରେ ଆୟକର ବିଭାଗ ପକ୍ଷରୁ କଂଗ୍ରେସକୁ ୧୮୦୦ କୋଟି ଟଙ୍କାର ଏକ ନୋଟିସ୍ ପଠାଯାଇଥିବା ବେଳେ ଏହା ମଧ୍ୟରେ ପୁଣି କଂଗ୍ରେସର ମୁସ୍କିଲ ବଢ଼ିଯାଇଛି । ଆୟକର ବିଭାଗ ଅଧିକାରୀଙ୍କ ହାତରେ ଏକ ଠୋସ୍ ପ୍ରମାଣ ଲାଗିଛି ।

୨୦୧୯ ଲୋକସଭା ନିର୍ବାଚନ ସମୟରେ କଂଗ୍ରେସ ଅତ୍ୟଧିକ କ୍ୟାଶ ବ୍ୟବହାର କରିଥିଲା । ୨୦୨୯ ମସିହା ଏପ୍ରିଲ ମାସର ତଲାସୀ ସମୟରେ ଆୟକର ଅଧିକାରୀମାନେ ଏହି ପ୍ରମାଣ ପାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । କଂଗ୍ରେସ ପକ୍ଷରୁ ଆୟକର ବିଭାଗ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ରିଟ୍ ପିଟିସନ ଦାୟର କରାଯାଇଥିଲା । ସେଥିରେ ଆର୍ଥିକ ବର୍ଷ ୨୦୧୩-୧୪ ଠାରୁ ୨୦୧୯-୨୦ ମଧ୍ୟରେ କରାଯାଇଥିବା ପୁନମୂଲ୍ୟାୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରାଯାଇଥିଲା । ଗତ ନିର୍ବାଚନ ସମୟରେ କଂଗ୍ରେସ ବିପୁଳ ମାତ୍ରାରେ କ୍ୟାଶ ବ୍ୟବହାର କରିଥିବା ନେଇ ବିଭାଗର ସୂଚନାକୁ ହାଇକୋର୍ଟ ବିଚାରକୁ ନେଇଥିଲେ ।

ଆଇଟି ଅଧିନିୟମ ଅନୁସାରେ ଯାଞ୍ଚ ପାଇଁ ଆୟକର ବିଭାଗ ପାଖରେ ଯଥେଷ୍ଟ ପ୍ରମାଣ ରହିଥିବା ନେଇ ହାଇକୋର୍ଟ ପୂର୍ବ ଆଦେଶରେ କହିଥିଲେ । ଉକ୍ତ ବିଚାର ସମୟରେ ଦିଲ୍ଲୀ ହାଇକୋର୍ଟ ଆୟକର ବିଭାଗର ‘ସନ୍ତୁଷ୍ଟି ନୋଟ’ ଉପରେ ବିଚାର କରିଥିଲେ, ଯେଉଁଥିରେ ନିର୍ବାଚନ ସମୟରେ ନଗଦ କାରବାର ହୋଇଥିବା ସୂଚନା ରହିଥିଲା । ‘ସନ୍ତୁଷ୍ଟି ନୋଟ’ରେ ଦିଆଯାଇଥିବା ସୂଚନାକୁ କଂଗ୍ରେସ ମିଥ୍ୟା ପ୍ରମାଣିତ କରିବାରେ କଂଗ୍ରେସ ବିଫଳ ହୋଇଥିବା କୋର୍ଟ ହୃଦୟଙ୍ଗମ କରିଥିଲେ । ତେବେ ସୂତ୍ରରୁ ମୁତାବକ, ଆୟକର ବିଭାଗ ପାଖରେ ଉପଲବ୍ଧ ଥିବାସ ସମସ୍ତ ପ୍ରମାଣ କଂଗ୍ରେସକୁ ଦିଆଯିବା ସହିତ ଜବାବ ଦାଖଲ ପାଇଁ ସୁଯୋଗ ଦିଆଯାଇଥିଲା । କଂଗ୍ରେସ ଦ୍ୱାରା ଦାଖଲ କରାଯାଇଥିବା ସମସ୍ତ ଜବାବ ଉପରେ ବିଚାର କରିବା ପରେ ବିଭାଗ ଏବେ ୭ ବର୍ଷ ପରେ ମୂଲ୍ୟାଙ୍କନ ସମାପ୍ତ କରିସାରିଛି ।