ବିଜେଡି ସୁପ୍ରିମୋ ଯଦି ଅନୁମତି ଦେବେ, ତାହେଲେ କୋରେଇରୁ ନିର୍ବାଚନ ଲଢିବି: ଅଭିନେତ୍ରୀ ଝିଲିକ୍

ଓଡ଼ିଶା ଭାସ୍କର: ଅଭିନେତା ଆକାଶ ଦାସନାୟକଙ୍କୁ କୋରେଇରୁ ପ୍ରାର୍ଥୀ କରିଛି ବିଜେପି । ହେଲେ କୋରେଇ ପାଇଁ ବିଜେଡି ପ୍ରାର୍ଥୀ କିଏ ହେବ ସେନେଇ ଏବେ ଚର୍ଚ୍ଚା ଲାଗି ରହିଛି। ଆଉ ଏହି ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଛି ନୂଆ ମୁହଁ । ଏଥର କୋରେଇରୁ ନିର୍ବାଚନ ଲଢ଼ିବା ପାଇଁ ମନ ବଳାଇଛନ୍ତି ସୁକିନ୍ଦା ବିଧାୟକଙ୍କ ପତ୍ନୀ ତଥା ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ । ବିଜେଡି ସୁପ୍ରିମୋ ଯଦି ଅନୁମତି ଦେବେ, ତାହେଲେ କୋରେଇରୁ ନିର୍ବାଚନ ଲଢିବି ବୋଲି କହିଛନ୍ତି ଝିଲିକ। ତେବେ ଝିଲିକଙ୍କ ଏଭଳି ବୟାନ ପରେ କୋରେଇରେ ଏଥର ଅଭିନେତା ବନାମ ଅଭିନେତ୍ରୀ ଲଢେଇ ହୋଇପାରେ ବୋଲି କୁହାଯାଉଛି ।

ତେବେ ବିଜେଡି ୯୯ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିଲେ ମଧ୍ୟ ଏଯାଏଁ କୋରେଇ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । କିନ୍ତୁ ଅପରପକ୍ଷେ ବିଜେଡି ଛାଡି ବିଜେପି ଯାଇଥିବା ପୂର୍ବତନ କୋରେଇ ବିଧାୟକ ତଥା ଅଭିନେତା ଆକାଶ ଦାସନାୟକଙ୍କୁ ପ୍ରାର୍ଥୀ କରିଛି ବିଜେପି । ତେଣୁ କୋରେଇରେ ଏଥର ଏକ ବଡ଼ ଲଢେଇ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ଯାହାକୁ ଦୃଷ୍ଟିରେ ରଖି ଜଣେ ଉପଯୁକ୍ତ ପ୍ରାର୍ଥୀ ଅପେକ୍ଷାରେ ରହିଛି ଶାସକ ବିଜେଡି। ଆଉ ଏସବୁ ଭିତରେ କୋରେଇ ନିର୍ବାଚନ ମଣ୍ଡଳୀର ଶତାଧିକ ବ୍ୟକ୍ତି ଆଜି ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରୀତିରଂଜନ ଘଡେଇଙ୍କ ଯାଜପୁର ରୋଡ ସ୍ଥିତ ବାସଭବନରେ ପହଞ୍ଚି ପତ୍ନୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ କୋରେଇ ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ଅନୁରୋଧ କରିଛନ୍ତି । କୋରେଇବାସୀଙ୍କ ଦାବିକୁ ସମର୍ଥନ ଜଣାଇ ଝିଲିକ୍ ମଧ୍ୟ ନିର୍ବାଚନ ଲଢିବା ସପକ୍ଷରେ ମତ ରଖିଛନ୍ତି । କହିଛନ୍ତି, ଦଳୀୟ ସଭାପତି ନବୀନ ପଟ୍ଟନାୟକ ଯଦି ଦଳୀୟ ଟିକେଟରେ ଲଢିବାକୁ ସୁଯୋଗ ଦିଅନ୍ତି ତେବେ ଲଢିବି ।

ସୂଚନା ଥାଉକି, କୋରେଇ ଆସନ ବର୍ତ୍ତମାନ ସୁଦ୍ଧା ବିଜେଡି ଦଖଲରେ ରହିଛି । ଏଠାରେ ଅଶୋକ ବଳ ବିଜେଡି ବିଧାୟକ ରହିଥିବା ବେଳେ ଦଳ ଏଥର ପ୍ରାର୍ଥୀ ବଦଳାଇବାକୁ ଚାହୁଁଛି। ତେବେ ଅଶୋକଙ୍କୁ ବାଦ ଦେବା ପରେ ଏଥର କୋରେଇରେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକଙ୍କ ଭାଇ ଭବ ପ୍ରସାଦ ଦାସ ନିର୍ବାଚନ ଲଢ଼ିବା ନେଇ ଖୁବ ଚର୍ଚ୍ଚା ହେଉଛି। ଅନ୍ୟପଟେ ସବୁ ଥର ପରି ଏଥର ବି ଆମଦାନୀ ନେତାଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । ଆଉ ଏସବୁ ଭିତରେ ଜଣେ ଅଭିନେତାଙ୍କ ସହ ଜଣେ ଅଭିନେତ୍ରୀଙ୍କୁ ନିର୍ବାଚନ ଲଢ଼ିବାକୁ ଦଳ ସୁଯୋଗ ଦେଇପାରେ ବୋଲି ମଧ୍ୟ କୁହାଯାଉଛି।