fbpx

ଆବଶ୍ୟକତାଠାରୁ ଅଧିକ ଭିଟାମିନ–ଡି ସେବନ ଶରୀର ପାଇଁ କ୍ଷତିକାରକ : ଜାଣନ୍ତୁ କେଉଁ ସମସ୍ୟା ସୃଷ୍ଟି ହୁଏ ?

ଭିଟାମିନ-ଡି ଅଭାବ ଯୋଗୁ ଜଟିଳ ଶାରୀରିକ ସମସ୍ୟା ଦେଖାଯାଏ। ଯାହାକୁ ଅନେକ ସମୟରେ ଲୋକେ ଗୁରୁତ୍ୱ ଦିଅନ୍ତି ନାହିଁ। ମାନବ ଶରୀର ଠିକ ଭାବେ କାମ କରିବା ପାଇଁ ଭିଟାମିନ-ଡି’ର ଆବଶ୍ୟକତା ରହିଛି। କିନ୍ତୁ ଆମ ଜୀବନଶୈଳୀ ଓ ଖରାପ ଅଭ୍ୟାସ ଯୋଗୁ ଶରୀରରେ ଭିଟାମିନ-ଡି ଅଭାବ ଦେଖାଦେଇଥାଏ। ଏପରି ଅନେକ ଲୋକଙ୍କୁ ଆପଣ ଜାଣିଥିବେ, ଯେଉଁମାନେ ଡାକ୍ତରଙ୍କ ବିନା ପରାମର୍ଶରେ ଆବଶ୍ୟକତାଠାରୁ ଅଧିକ ପରିମାଣରେ ଭିଟାମିନ-ଡି ସେବନ କରିଥାନ୍ତି। ପରିବର୍ତ୍ତୀ ସମୟରେ ଏହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

ଭିଟାମିନ-ଡି ଅଭାବ କେଉଁ ସମସ୍ୟା ସୃଷ୍ଟି କରେ ?

ଶିଶୁମାନଙ୍କଠାରେ ଭିଟାମିନ-ଡି ଅଭାବ ଅଧିକ ମାତ୍ରାରେ ପରିଲକ୍ଷିତ ହୋଇଥାଏ। ଏହାର ମୁଖ୍ୟ କାରଣ ମାଆ କ୍ଷୀରରେ ଭିଟାମିନ-ଡି ପରି ପୋଷକତତ୍ତ୍ୱ ଖୁବ କମ ପରିମାଣରେ ଥାଏ। ବୃଦ୍ଧମାନଙ୍କ ଶରୀରରେ ମଧ୍ୟ ଭିଟାମିନ-ଡି ଅଭାବ ଦେଖିବାକୁ ମିଳିଥାଏ। କାରଣ ବୟସ୍କ ବ୍ୟକ୍ତିଙ୍କ ଶରୀରରେ ସୂର୍ଯ୍ୟ କିରଣ ପଡ଼ିଲେ ମଧ୍ୟ ଚର୍ମ ଭିଟାମିନ-ଡି ତିଆରି କରିବାରେ ସକ୍ଷମ ହୋଇପାରିନଥାଏ। ସେଥିପାଇଁ ବୟସ୍କଙ୍କୁ ଅଧିକ ଭିଟାମିନ-ଡି ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଏହାବ୍ୟତୀତ ଯେଉଁ ବ୍ୟକ୍ତି ସିଲିଏକ କିମ୍ବା କ୍ରୋହନ ରୋଗରେ ପୀଡ଼ିତ, ସେମାନଙ୍କ ଶରୀରରେ ଭିଟାମିନ-ଡି ଅଭାବ ଦେଖାଦେଇଥାଏ। ଯାହା ଫଳରେ ଚର୍ବି ନିୟନ୍ତ୍ରଣ ହୋଇପାରିନଥାଏ। ଭିଟାମିନ-ଡି ଚର୍ବିରେ ଦ୍ରବିଭୂତ ହୋଇ ଚର୍ବିକୁ ଶୋଷଣ କରିଥାଏ। ସାଧାରଣତଃ ଯେଉଁ ବ୍ୟକ୍ତିମାନେ ମେଦବହୁଳତାର ଶିକାର ହୋଇଥାନ୍ତି, ସେମାନଙ୍କ ଶରୀରରେ ଭିଟାମିନ-ଡି କମ୍ ଥାଏ।

ଆବଶ୍ୟକତାଠାରୁ ଶରୀରରେ ଅଧିକ ଭିଟାମିନ–ଡି ଥିଲେ କଣ ହୁଏ ?

ମେଡିକାଲ ଏକ୍ସପର୍ଟଙ୍କ ପରାମର୍ଶ ଅନୁସାରେ, ବିନା ଡାକ୍ତରୀ ପରାମର୍ଶରେ କେବେ ବି ସପ୍ଲିମେଣ୍ଟ ସେବନ କରିବା ଉଚିତ ନୁହେଁ। କାରଣ ଏବେ ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି କି, ଲୋକମାନେ ବିନା ଡାକ୍ତରୀ ପରାମର୍ଶରେ ସପ୍ଲିମେଣ୍ଟ ସେବନ କରୁଛନ୍ତି। ଆବଶ୍ୟକତାଠାରୁ ଅଧିକ ଭିଟାମିନ ସେବନ କିଡନୀକୁ କ୍ଷତି ପହଞ୍ଚାଇଥାଏ। ଏହାସହିତ ଶରୀରରେ ଅତ୍ୟଧିକ ମାତ୍ରାରେ ଭିଟାମିନ-ଡି ଶରୀରକୁ ବିଶାକ୍ତ କରିଦେଇଥାଏ। ଯାହା ଫଳରେ ଶରୀରରେ ଅଧିକ କ୍ୟାଲସିୟମ ପ୍ରସ୍ତୁତି ହେବା ସହ ବାନ୍ତି, ବାରମ୍ବାର ପରିସ୍ରା ପରି ଲକ୍ଷଣ ଦେଖାଯାଏ।

ଆପଣଙ୍କ ଶରୀରରେ ଆବଶ୍ୟକତାଠାରୁ ଅଧିକ ଭିଟାମିନ-ଡି ମହଜୁଦ ରହିବାର ଲକ୍ଷଣ ଗୁଡ଼ିକ ହେଉଛି ଭୋକ ନଲାଗିବା, କୋଷ୍ଠକାଠିନ୍ୟ, ଜଳାଭାବ, ମୁଣ୍ଡ ବୁଲାଇବା, ଦୁର୍ବଳତା, ଉଚ୍ଚ ରକ୍ତଚାପ, ଚିଡ଼ାପଣ, ବାନ୍ତି, ବାରମ୍ବାର ପରିସ୍ରା ଲାଗିବା, ଦୁର୍ବଳ ମାଂସପେଶୀ ଇତ୍ୟାଦି ।

Get real time updates directly on you device, subscribe now.