ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ-ଚୀନ ସୀମା ପରିସ୍ଥିତିରେ ସୁଧାର ଦେଖାଯାଇଛି । କିନ୍ତୁ ଉଭୟ ଦେଶର ସୈନ୍ୟ ଅଭ୍ୟାସ ଜାରି ରଖିବା ସହ ନିଜକୁ ଯେ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରଖିଛନ୍ତି । ଏବେ ଭାରତୀୟ ସେନା ସିକ୍କିମର ବରଫାଚ୍ଛନ୍ନ ଅଞ୍ଚଳରେ ଆଣ୍ଟି-ଟ୍ୟାଙ୍କ ମିସାଇଲରେ ପ୍ରାକ୍ଟିସ ଆରମ୍ଭ କରିଛି । ତେବେ ଭାରତର ଏହି ମକ୍ ଡ୍ରିଲ ଚୀନ ପାଇଁ ଚେତାବନୀ ବୋଲି କୁହାଯାଇପାରେ । ଭାରତର ଶକ୍ତିକୁ ସାମନା କରିବା ପୂର୍ବରୁ ଡ୍ରାଗନକୁ ସାବଧାନ କରି ଦେଇଛି ଭାରତର ଇଷ୍ଟର୍ଣ୍ଣ କମାଣ୍ଡ ।
ସିକ୍କିମର ବରଫାଚ୍ଛନ୍ନ ଅଞ୍ଚଳରେ ପ୍ରାୟ ୧୭ ହଜାର ଫୁଟ ଉଚ୍ଚରେ ଏହି ଡ୍ରିଲ କରିଛି ଇଣ୍ଡିଆନ୍ ଆର୍ମି ।ଆଣ୍ଟି ଟ୍ୟାଙ୍କ ମିସାଇଲ ସହିତ ଇଷ୍ଟର୍ଣ୍ଣ କମାଣ୍ଡ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଏଥିରେ ସେନାର ଆଣ୍ଟି ଟ୍ୟାଙ୍କ ୟୁନିଟ ସାମିଲ ହେବା ସହିତ ପାହାଡ଼ ଏବଂ ପଥୁରିଆ ରାସ୍ତାରେ ଚାଲୁଥିବା ଗାଡ଼ି ଗୁଡ଼ିକୁ ମଧ୍ୟ ସାମିଲ କରାଯାଇଥିଲା । ଭାରତ-ଚୀନ ସୀମା ନିକଟରେ ଏହି ଡ୍ରିଲର ବିଷୟବସ୍ତୁ ଥିଲା ‘ଏକ ମିସାଇଲ ଏକ ଟ୍ୟାଙ୍କ’ । ତେବେ ଏହି ଡ୍ରିଲ ସମୟର ବିଭିନ୍ନ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛି ଭାରତୀୟ ସେନା । ଏହାସହିତ ବିପଦପୂର୍ଣ୍ଣ ଉଚ୍ଚତା ଏବଂ ବିଷମ ପରିସ୍ଥିତିରେ ମଧ୍ୟ ଭାରତୀୟ ସେନା ଖୁବ ସହଜରେ ମିଶନ୍ କୁ ସଫଳ କରାଇଛି । ଭାରତୀୟ ଯବାନ୍ ଖୁବ ସଠିକ ଭାବରେ ଲକ୍ଷ୍ୟଭେଦ କରୁଥିବାର ଏହି ଫଟୋ ଏବଂ ଭିଡିଓରେ ଦେଖାଯାଇଛି ।
ଏହି ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ରରେ କାନ୍ଧରେ ବା ମାଟିରେ ରଖି ଉତକ୍ଷେପଣ ହେଉଥିବା କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ପ୍ରାୟ ୫ କିଲୋମିଟର ଦୂରରେ ଠିଆ ହୋଇଥିବା ଟ୍ୟାଙ୍କକୁ ମଧ୍ୟ ସଠିକ୍ ଲକ୍ଷ୍ୟ ସହିତ ନଷ୍ଟ କରିପାରେ । ଭାରତୀୟ ସେନାର ଏହି ଡ୍ରିଲରେ ‘ଇଷ୍ଟର୍ଣ୍ଣ କମାଣ୍ଡ’ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ତେବେ ଭାରତର ଏହି ଡ୍ରିଲ ଚୀନ ପାଇଁ ଚେତାବନୀ ବୋଲି କୁହାଯାଉଛି । ଏହି ଡ୍ରିଲରେ ଭାରତ ଚୀନକୁ ବୁଝାଇ ଦେଇଛି ଯେ, ଯଦି ଚୀନ ଯୁଦ୍ଧ ପାଇଁ ରଣହୁଙ୍କାର ଦିଏ, ତେବେ ଭାରତର ଏହି ଟ୍ୟାଙ୍କ ଆକ୍ରମଣରେ ଡ୍ରାଗନର ପରିଣାମ କ’ଣ ହେବ?
ଏହାପୂର୍ବରୁ ନିକଟରେ ଭାରତୀୟ ବାୟୁସେନା ଅପରେସନ୍ ‘ଗଗନଶକ୍ତି’ରେ ସେନାର ବଳ ଦେଖାଇଥିଲା । ତେବେ ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଚାଣକ୍ୟ ନୀତି ବ୍ୟବହାର କରି ଭାରତ କ୍ରମାଗତ ଭାବରେ ଚୀନକୁ ବଡ଼ ବାର୍ତ୍ତା ପଠାଉଛି। ଚୀନ୍ ସହିତ ଶାନ୍ତିପୂର୍ଣ୍ଣ ସମ୍ପର୍କ ଭାରତୀୟ ସେନାର ପ୍ରାଥମିକତା, କିନ୍ତୁ ଯୁଦ୍ଧ କ୍ଷମତା ପ୍ରଦର୍ଶନ କରି ଭାରତ ଚୀନକୁ ଖୋଲା ଚାଲେଞ୍ଜ ମଧ୍ୟ ଦେଇଛି । ଭାରତ ବୁଝାଇ ଦେଇଛି ଯେ, ଯଦି ଡ୍ରାଗନ୍ ଯୁଦ୍ଧ କରିବାକୁ ସାହସ କରେ, ତେବେ ଭାରତ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ଅଛି ବୋଲି ଦେଖାଇଛି ଇଣ୍ଡିଆନ୍ ଆର୍ମି ।