୨୭ ବର୍ଷ ଧରି ସାଧୁ ବେଶରେ ବୁଲୁଥିଲା ହତ୍ୟା ଅପରାଧୀ, ଏହି ଉପାୟରେ ପୋଲିସ କଲା ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କ୍ରାଇମ୍ ବ୍ରାଞ୍ଚ ୨୭ ବର୍ଷ ଧରି ହତ୍ୟା ଅଭିଯୋଗରେ ଫେରାର ଥିବା ଟିଲ୍ଲୁ ନାମକ ୭୭ ବର୍ଷୀୟ ହତ୍ୟା ଅପରାଧୀକୁ ଋଷିକେଶରୁ ଗିରଫ କରିଛନ୍ତି । ପୋଲିସ ଠାରୁ ରକ୍ଷା ପାଇବା ପାଇଁ ଏହି ଅପରାଧୀ ସାଧୁ ବେଶରେ ବୁଲୁଥିଲା । ଅଭିଯୁକ୍ତ ନିକଟରେ ପହଞ୍ଚିବା ଲାଗି ପୋଲିସ ବିଭିନ୍ନ ସମୟରେ ବିଭିନ୍ନ ଉପାୟ ଆପଣାଉଥିଲା । ଏଥିପାଇଁ ବହୁ ସମୟରେ ପୋଲିସକୁ ଧାର୍ମିକ ସ୍ଥଳରେ ଚକ୍କର କାଟିବାକୁ ପଡୁଥିଲା । ଅଭିଯୁକ୍ତ ୨୭ ବର୍ଷ ଧରି ଦିଲ୍ଲୀ ପୋଲିସକୁ ଚକମା ଦେଇ ଆସୁଥିଲା । ସେ ବାରମ୍ବାର ନିଜ ନାମ ବଦଳାଉଥିଲା, ଠିକଣା ବଦଳାଉଥିଲା ଯେପରି ପୋଲିସ ତାକୁ ଚିହ୍ନି ପାରିବ ନାହିଁ ।

ପୋଲିସ ଅନୁଯାୟୀ ଟିଲ୍ଲୁ ବିରୋଧରେ ୧୯୯୬ରେ ଦିଲ୍ଲୀର ଓଖଲା ଥାନାରେ ହତ୍ୟା ଅଭିଯୋଗ ଦାଖଲ ହୋଇଥିଲା । ୪ ଫେବୃୟାରୀ ୧୯୯୬ରେ ଓଖଲାରେ କିଶନ ଲାଲ ନାମକ ଜଣେ ବ୍ୟକ୍ତିଙ୍କର ରକ୍ତ ଜୁଡୁବୁଡୁ ଶବ ମିଳିଥିଲା । ଏହି ହତ୍ୟା ମାମଲାରେ ପୋଲିସ ଟିଲ୍ଲୁକୁ ଖୋଜୁଥିଲା ।

କେସ୍ ରୁଜୁ କରିବାର କିଛି ବର୍ଷ ପର୍ଯ୍ୟନ୍ତ ପୋଲିସ ଟିଲ୍ଲୁକୁ ବିଭିନ୍ନ ସ୍ଥାନରେ ଖୋଜିଥିଲା । କିନ୍ତୁ ତା’ର କେଉଁଠାରେ ବି କିଛି ସୁରାଗ ମିଳି ନ ଥିଲା । ପରେ କୋର୍ଟ ତାକୁ ଫେରାର ଘୋଷିତ କରିଥିଲା । ୨୦୨୩ରେ ପୋଲିସକୁ ସୂଚନା ମିଳିଥିଲା କି ଟିଲ୍ଲୁ କନ୍ୟାକୁମାରୀରେ ଅଛି । ପୋଲିସକୁ ଟିଲ୍ଲୁର ପରିବାରରୁ କିଛି ମୋବାଇଲ୍ ନମ୍ବର ମିଳିଥିଲା । କିନ୍ତୁ ଏହିସବୁ ନମ୍ବର ବହୁ ସମୟରେ ବନ୍ଦ ରହୁଥିଲା । ତଥାପି ପୋଲିସ ସେହିସବୁ ନଂ ଟ୍ରାକ୍ କରି ଜାଣି ପାରିଥିଲା କି ଟିଲ୍ଲୁ ଅଧିକାଂଶ ସମୟ ଧାର୍ମିକ ସ୍ଥାନ କିମ୍ବା ଧର୍ମଶାଳାରେ ରହୁଥିଲା ।

ଏହାରି ମଧ୍ୟରେ କ୍ରାଇମ୍ ବ୍ରାଞ୍ଚକୁ ଜଣାପଡିଥିଲା କି ଟିଲ୍ଲୁ ଋଷିକେଶରେ ରହୁଛି । ଏହାପରେ ପୋଲିସ ସେଠାରେ ପହଞ୍ଚି ବିଭିନ୍ନ ଲୋକଙ୍କୁ ପଚରାଉଚୁରା କରିଥିଲା । ଲୋକଙ୍କ ସହ ସଂପର୍କ ବୃଦ୍ଧି ଲାଗି ପୋଲିସ ମନ୍ଦିର ନିକଟରେ ଭଣ୍ଡାରା ଆୟୋଜନ କରିଥିଲା । ଏହାରି ମଧ୍ୟରେ ପୋଲିସ ଜାଣିପାରିଲା କି ସେ ଘାଟ ନଂ ୩ରେ ରହୁଛି । ପୋଲିସ ସେଠାରେ ପହଞ୍ଚି ତାକୁ ଗିରଫ କରିଥିଲା ।

 

Get real time updates directly on you device, subscribe now.