fbpx

ନିର୍ବାଚନ ପାଇଁ ବିପଦ ସାଜୁଛି ଡିପଫେକ୍ ଏବଂ ଭଏସ୍ କ୍ଲୋନିଂ, ଭ୍ରମିତ ଭୋଟରଙ୍କ ବିଶ୍ୱାସ ଜିତିବା ପାଇଁ ରାଜନେତାଙ୍କ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ

ଓଡ଼ିଶା ଭାସ୍କର: ସାରା ଦେଶରେ ବର୍ତ୍ତମାନ ନିର୍ବାଚନୀ ମାହୋଲ । ପ୍ରଚାରରେ କମ୍ପୁଛି ପଲ୍ଲୀରୁ ସହର । ଏଥର ନିର୍ବାଚନୀ ମଇଦାନରେ ମୁହାଁମୁହିଁ ହେବେ ଅଭିଜ୍ଞ ନେତା ଓ ନୂଆ ପ୍ରାର୍ଥୀ । ବିଭିନ୍ନ ରାଜନୈତିକ ଦହ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାଁନ୍ତି । ଗେଟିଏ ପଟେ ଦଳୀୟ ପ୍ରାର୍ଥୀଙ୍କ ଦଳ ଡିଆଁ ଜାରି ରହିଥିବା ବେଳେ ଅନ୍ୟପଟେ ବିରୋଧୀଙ୍କ ସମସ୍ତ ଚାଲକୁ ଦୁର୍ବଳ କରିବା ଚ୍ୟାଲେଞ୍ଜ ପାଲଟିଛି । ଏଭଳି ସ୍ଥିତିରେ କୃତ୍ରିମ ବୁଦ୍ଧିମତା(AI ) ଏବଂ ଡିପ୍ଫେକ୍ ପ୍ରଯୁକ୍ତିର ଦୁରୁପଯୋଗ ହେବା ନେଇ ସାଇବର security ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

କହିବାକୁ ଗଲେ ଏପର୍ଯ୍ୟନ୍ତ କୃତ୍ରିମ ବୁଦ୍ଧିମତା ବ୍ୟବହାରରେ ପ୍ରସ୍ତୁତ ହେଉଥିବା ଜାଲ ଭିଡ଼ିଓ କଣ୍ଟେଣ୍ଟକୁ ଚିହ୍ନଟ କରିବା ଏବଂ ମୌଳିକ କଣ୍ଟେଣ୍ଟ ସହ ସେଥିରେ ଥିବା ପାର୍ଥକ୍ୟ ଚିହ୍ନଟ ପାଇଁ କୌଣସି ପ୍ରଯୁକ୍ତି ବାହାରି ନାହିଁ । ଆଉ ଏହାର ଫାଇଦା ଉଠାଉଛନ୍ତି କିଛି ମନ୍ଦ ଉଦେ୍ଦଶ୍ୟ ରଖୁଥିବା କିଛି ବ୍ୟକ୍ତି । ନିକଟରେ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଭଳି ଅନ୍ୟ ବ୍ୟକ୍ତି ବିଶେଷଙ୍କ ଡିପଫେକ୍ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ନକଲି ଭିଡିଓ ଠାରୁ ସତର୍କ ରହିବା ସହ ଏ ବିଷୟରେ ତୁରନ୍ତ ରିପୋର୍ଟ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ସେହିପରି ଶାହା ନକଲି ଭିଡିଓକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ କଂଗ୍ରେସ ହତାଶ ହୋଇ ତାଙ୍କର ଓ ଅନେକ ବିଜେପି ନେତାଙ୍କ ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷଙ୍କ ନକଲି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରୁଛି । ଏଥିରୁ ସେମାନେ କେତେ ହତୋତ୍ସାହିତ ତାହାର ପ୍ରମାଣ ମିଳୁଛି ବୋଲି କହିଥିଲେ ଶାହା । ଅପରପକ୍ଷରେ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଉଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନକଲି ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓ ଭାଇରାଲ କରୁଥିବା ଅଭିଯୁକ୍ତକୁ ପୋଲିସ ଭାରତୀୟ ପିଙ୍ଗଳ କୋଡ୍ ଏବଂ ସାଇବର ଆଇନର ବିଭିନ୍ନ ଧାରା ଅନୁଯାୟୀ ଗିରଫ କରିଛି ।

ଭୋଟରଙ୍କୁ ଭ୍ରମିତ କରିବା ପାଇଁ ଭଏସ୍ କ୍ଲୋନିଂ ଏବଂ ଡିପ୍ଫେକକୁ ଆସ୍ତ୍ର ଭାବେ ବ୍ୟବହାର କରାଯାଉଛି । AI ପ୍ରସ୍ତୁତ ମିଥ୍ୟ ସୂଚନାର ବ୍ୟାପକ ପ୍ରସାର ନିର୍ବାଚନୀ ପ୍ରକ୍ରିୟା ଏବଂ ଗଣତାନ୍ତ୍ରିକ ପ୍ରତିଷ୍ଠାନ ଉପରେ ଥିବା ସାଧାରଣ ଜନତାଙ୍କ ବିଶ୍ୱାସକୁ ନଷ୍ଟ କରିଦେଇପାରେ ବୋଲି ପୂର୍ବତନ ଆଇପିଏସ୍ ଅଫିସର ତଥା ସାଇବର security ବିଶେଷଜ୍ଞ ତ୍ରୀବଣୀ ସିଂହ କହିଛନ୍ତି । ଭଏସ୍ କ୍ଲୋନିଂ ଏବଂ ଡିପ୍ଫେକ୍ ଚିହ୍ନଟ ଓ ସମୀକ୍ଷା କରିବା ପାଇଁ ସୁରକ୍ଷା ଏଜେନ୍ସି ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହା ସହ ଭୋଟର ଡିପଫେକ୍ ଏବଂ ଭଏସ୍ କ୍ଲୋନିଂ ବିଷୟରେ ସଚେତନ ରହିବା ନେଇ ସରକାର ନିବେଦନ କରିଛନ୍ତି ।

 

Get real time updates directly on you device, subscribe now.